ନଭେମ୍ବର ମଝିରେ ଶିଖର ଛୁଇଁବ ସଂକ୍ରମଣ

ଆଇସିଏମଆର ରିସର୍ଚ୍ଚ ଅପରେସନ୍‌ ଗ୍ରୁପ୍‌ର ରିପୋର୍ଟ

-ଅଭାବ ପଡ଼ିବ ଆଇସିୟୁ ଶଯ୍ୟା ଓ ଭେଣ୍ଟିଲେଟର, -ସ୍ବାସ୍ଥ୍ୟ ଭିତ୍ତିଭୂମି ସୁଧୁରିବାକୁ ସୁଯୋଗ ଦେଲା ଲକ୍‌ଡାଉନ୍‌

ନୂଆଦିଲ୍ଲୀ : ଦେଶରେ ଦିନକୁ ଦିନ ଜଟିଳ ପରିସ୍ଥିତି ସୃଷ୍ଟି କଲାଣି କରୋନା ଭୂତାଣୁ ସଂକ୍ରମଣ। ଭାରତ ଏବେ ବିଶ୍ବର ଚତୁର୍ଥ ବୃହତ୍ କରୋନା ସଂକ୍ରମିତ ରାଷ୍ଟ୍ର। ତେବେ ପରିସ୍ଥିତି ଆଗକୁ ଆଉ ଅଧିକ ଗୁରୁତର ହେବାକୁ ଯାଉଛି। ନଭେମ୍ବର ମଧ୍ୟଭାଗକୁ କରୋନା ସଂକ୍ରମଣ ଦେଶରେ ଶିଖର ଛୁଇଁବ। ସେତେବେଳେ ରୋଗୀଙ୍କ ସଂଖ୍ୟା ଏଭଳି ବଢିବ ଯେ, ଜଟିଳ ରୋଗୀଙ୍କ ଲାଗି ଆଇସିୟୁ ଶଯ୍ୟା ଓ ଭେଣ୍ଟିଲେଟର ଉପଲବ୍ଧ କରାଇବା କଷ୍ଟକର ହୋଇପଡିବ। ଭାରତୀୟ ଭେଷଜ ଓ ଗବେଷଣା ପରିଷଦ (ଆଇସିଏମଆର) ପକ୍ଷରୁ ଗଠିତ ଏକ ରିସର୍ଚ୍ଚ ଅପରେସନ୍‌ ଗ୍ରୁପ୍ ପକ୍ଷରୁ କରାଯାଇଥିବା ଅନୁସନ୍ଧାନରୁ ଏଭଳି ଆଶଙ୍କା ସୃଷ୍ଟି ହୋଇଛି। ତେବେ ଏହା ଭିତରେ ଆଶ୍ବସ୍ତିର କଥା ହେଉଛି, ୭୬ ଦିନର ଲକ୍‌ଡାଉନ୍‌ ଯୋଗୁଁ ସଂକ୍ରମଣର ହାରକୁ ଅନେକାଂଶରେ କିଛିଦିନ ଲାଗି ଟାଳି ଦିଆଯାଇଛି। ଏଥିଯୋଗୁଁ ମହାମାରୀ ସଂକ୍ରମଣର ଶିଖର ସମୟକୁ ୩୪ରୁ ୭୬ ଦିନକୁ ବିଳମ୍ବିତ କରାଯାଇପାରିଛି। ଏହାଦ୍ବାରା ସଂକ୍ରମଣ ସଂଖ୍ୟାକୁ ମଧ୍ୟ ୬୯ରୁ ୯୭ ପ୍ରତିଶତ ହ୍ରାସ କରାଯାଇପାରିଥିବା ଅନୁସନ୍ଧାନ ରିପୋର୍ଟରୁ ଜଣାପଡିଛି। ତଥାପି ଏହାସତ୍ତ୍ବେ ସଂକ୍ରମଣ ସଂଖ୍ୟା ଏବେ ପ୍ରାୟ ଏକ ସପ୍ତାହ ଧରି ୧୦ ହଜାର ଓ ମୃତ୍ୟୁସଂଖ୍ୟା ବି ୨୫୦ରୁ ୩୦୦ ଲେଖାଁଏ ରହୁଛି।
ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଉଛି, କରୋନା ସଂକ୍ରମଣର ହୁ ହୁ ବଢିବା ସଂଖ୍ୟାକୁ ଲକ୍‌ଡାଉନ୍‌ ଦ୍ବାରା ବିଳମ୍ବିତ କରି ସରକାର ଏହାର ଆଗାମୀ ମୁକାବିଲା ଲାଗି ସ୍ବାସ୍ଥ୍ୟ ଭିତ୍ତିଭୂମି ସଜାଡିବା ଲାଗି ସମୟ ପାଇଛନ୍ତି। ନଭେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ୬୦ ପ୍ରତିଶତ ପ୍ରଭାବୀ ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ପ୍ରସ୍ତୁତ କରାଯାଇପାରିବ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଏହାପରେ ମଧ୍ୟ ସଂକ୍ରମିତଙ୍କ ଲାଗି ୫.୪ ମାସର ଆଇସୋଲେସନ୍‌ ବେଡ୍‌, ୪.୬ ଆଇସିୟୁ ବେଡ୍‌ ଏବଂ ୩.୯ ମାସ ଲାଗି ଭେନ୍‌ଟିଲେଟରର ଅଭାବ ପଡିବ ବୋଲି ସ୍ବାସ୍ଥ୍ୟ ଗବେଷକ ଅନୁମାନ କରୁଛନ୍ତି। ଯଦି ଲକ୍‌ଡାଉନ୍‌ କରାଯାଇ ନଥାନ୍ତା ଓ ତାତ୍କାଳୀକ ସ୍ବାସ୍ଥ୍ୟ ପଦକ୍ଷେପ ଗ୍ରହଣ କରାଯାଇ ନଥାନ୍ତା, ତେବେ ଏହି ଅଭାବ ୮୩ ପ୍ରତିଶତ ଅଧିକ ବଢିଯାଇଥାନ୍ତା। ୮୦ ପ୍ରତିଶତ ସ୍ଥିତି ସମ୍ଭାଳିବା ଲାଗି ଦେଶର ବିଭିନ୍ନ ରାଜ୍ୟ, ସହର ଓ କରୋନା ସଂକ୍ରମିତ ଅଞ୍ଚଳରେ ଚିହ୍ନଟଙ୍କୁ ପୃଥକୀକରଣ କରିବା, ପରୀକ୍ଷା କରାଇବା, ଚିକିତ୍ସା ସୁବିଧା ଯୋଗାଇବା ଭଳି ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ଦୃଢ କରାଯାଉଥିବା ଗବେଷକ ଦଳ ସୂଚନା ଦେଇଛନ୍ତି। ଏହାଫଳରେ ଶିଖର ସମୟରେ ସଂକ୍ରମଣକୁ ୭୦ ପ୍ରତିଶତ ହ୍ରାସ ସହ ମୋଟ ୨୭ ପ୍ରତିଶତ କମାଯାଇପାରିଛି। ସ୍ବାସ୍ଥ୍ୟ ଭିତ୍ତିଭୂମି ଲାଗି ବରାଦ ଅର୍ଥ ଦେଶର ମୋଟ ଜିଡିପିର ୬.୨ ପ୍ରତିଶତ ବୋଲି ଆକଳନ କରାଯାଇଛି।
ଅନ୍ୟପକ୍ଷରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ରିପୋର୍ଟ ଅନୁଯାୟୀ, ରବିବାର ହିଁ କେବଳ ସଂକ୍ରମିତଙ୍କ ସଂଖ୍ୟା ରେକର୍ଡ ୧୧,୯୨୯ ଛୁଇଁଥିବାବେଳେ ମୋଟ ସଂଖ୍ୟା ୩ ଲକ୍ଷ ୨୦ ହଜାର ଅତିକ୍ରମ କରିଛି। ୩୧୧ ଜଣ ମୃତ୍ୟୁବରଣ କରିଛନ୍ତି। ଜୁନ୍‌ ୯ ତାରିଖର ବିଭାଗୀୟ ସୂଚନାନୁଯାୟୀ, ୯୫୮ଟି ସ୍ବତନ୍ତ୍ର କୋଭିଡ୍‌ ହସ୍ପିଟାଲରେ ୧,୬୭,୮୮୩ ଆଇସୋଲେସନ୍‌ ବେଡ୍‌, ୨୧,୬୧୪ ଆଇସିୟୁ ଏବଂ ୭୩,୪୬୯ ଅକ୍ସିଜେନ୍‌ ବ୍ୟବସ୍ଥା ବଢାଯାଇଛି। ଏପରିକି ୨୩୧୩ଟି ସ୍ବତନ୍ତ୍ର କୋଭିଡ ହେଲ୍ଥ ସେଣ୍ଟର ସହିତ ଏଥିରେ ୧,୩୩,୦୩୭ ଆଇସୋଲେସନ୍‌ ବେଡ୍‌, ୧୦,୭୪୦ ଆଇସିୟୁ ବେଡ୍‌ ଏବଂ ୪୬,୬୩୫ ଅକ୍ସିଜେନ୍‌ ବ୍ୟବସ୍ଥା ଥିବା ବେଡ୍‌ ରହିଛି। ସେହିଭଳି ଦେଶରେ କରୋନା ମୁକାବିଲା ଲାଗି ୭୫୨୫ କୋଭିଡ୍‌ କେୟାର ସେଣ୍ଟରରେ ୭,୧୦,୬୪୨ ଶଯ୍ୟା ରହିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନାନୁଯାୟୀ, ଏବେ ଦେଶରେ ୨୧,୪୯୪ ଭେଣ୍ଟିଲେଟର ଉପଲବ୍ଧ ରହିଛି ଓ ଆଉ ୬୦,୮୪୮ଟି ଭେଣ୍ଟିଲେଟର କିଣିବା ଲାଗି କୁହାଯାଇଛି।

Comments are closed.