ପୁଣି ବିଗିଡ଼ିଯିବ ରାଜ୍ୟ ଅର୍ଥନୀତି

ବିକାଶ ବାଟରେ କରୋନା କଣ୍ଟା

ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ ନିୟନ୍ତ୍ରଣ ବାହାରକୁ ଯିବାବେଳେ ରାଜ୍ୟ ସରକାର ଶେଷ ମୁହୂର୍ତ୍ତରେ ତାଙ୍କର ଶେଷ ଅସ୍ତ୍ର ତାଲାବନ୍ଦ ଘୋଷଣା କରିବାକୁ ଏକପ୍ରକାର ବାଧ୍ୟ ହୋଇଛନ୍ତି। ସରକାର ଜୀବିକା ଅପେକ୍ଷା ଜୀବନ ଉପରେ ଅଧିକ ଗୁରୁତ୍ବ ଦେଇଛନ୍ତି। ସଂକ୍ରମଣ ରୋକିବାକୁ ବାରମ୍ବାର ସତର୍କ ଓ ସଚେତନତାର ବାର୍ତ୍ତା ବାଣ୍ଟିବା ପରେ ପରିସ୍ଥିତିରେ ଉନ୍ନତି ନଘଟିବାରୁ ତାଲାବନ୍ଦକୁ ବିକଳ୍ପ ପନ୍ଥା ଭାବେ ଧରିନିଆଯାଇଛି। ପରିସ୍ଥିତିରୁ ରକ୍ଷା ପାଇଁ ଏହାକୁ ବାଧ୍ୟବାଧକତା ବୋଲି ମନେକରାଯାଉଛି। କିନ୍ତୁ ଏହାଦ୍ବାରା ରାଜ୍ୟ ଅର୍ଥନୀତି ଗତବର୍ଷ ଭଳି ପୁନର୍ବାର ମାନ୍ଦାସ୍ଥିତିକୁ ଫେରିଯାଇପାରେ ବୋଲି ଆଶଙ୍କା ଦେଖାଦେଲାଣି।
ସୂଚନାଯୋଗ୍ୟ ଯେ ଗତବର୍ଷ କରୋନା ପଞ୍ଝା ମେଲାଇବା କାଳରୁ ସତର୍କତାମୂଳକ ବ୍ୟବସ୍ଥା ଭାବେ ସାନ୍ଧ୍ୟ ଆଇନ, ତାଲାବନ୍ଦ ଓ ସମ୍ପୂର୍ଣ୍ଣ ବନ୍ଦ ଭଳି କଡ଼ା ପଦ‌େ‌କ୍ଷପ ଦ୍ବାରା ରାଜ୍ୟରେ ବଡ଼ଧରଣର ବିପଦକୁ ଏଡ଼ାଇଦିଆଯିବା ସମ୍ଭବ ହୋଇଥିଲା। ମାତ୍ର ଏଭଳି କଠୋର ପଦକ୍ଷେପ ଅର୍ଥନାତିକୁ ଧରାଶାୟୀ କରିଦେଇଥିଲା। କଳକାରଖାନାଠାରୁ ଆରମ୍ଭକରି ବେପାର ବଣିଜ, ଏପରିକି କୃଷି କାର୍ଯ୍ୟ ଉପରେ ଏହାର ସାଂଘାତିକ ପ୍ରଭାବ ଅନୁଭୂତ ହୋଇଥିଲା। ଦୀର୍ଘକାଳ ଉତ୍ପାଦନ ବନ୍ଦ ଯୋଗୁଁ ବେକାରୀ ଓ ଦାରିଦ୍ର୍ୟ ବଢ଼ିଥିଲା। ରାଜ୍ୟରେ ଦାରିଦ୍ର୍ୟ ଅଢ଼େଇଗୁଣ ବଢ଼ି ୧୦ ପ୍ରତିଶତରୁ ପ୍ରାୟ ୨୫ ପ୍ରତିଶତରେ ପହଞ୍ଚିଥିଲା। ଏପରିକି ଓଡ଼ିଶା ଫେରିଥିବା ପ୍ରବାସୀ ଶ୍ରମିକ କାମ ନପାଇ ନିରାଶ ହୋଇପଡ଼ିଥିଲେ। ଏପ୍ରିଲରୁ ଅଗଷ୍ଟ ପ୍ରାୟ ପାଞ୍ଚ ମାସ କାଳ ଥିଲା ଭୟଙ୍କର ସମୟ ଯେତେବେଳେ ଅଧିକାଂଶ ଲୋକଙ୍କୁ କୌଣସି ଉପାୟରେ ବଞ୍ଚିଯିବା ପାଇଁ ଅହରହ ସଂଗ୍ରାମ କରିବାକୁ ପଡ଼ିଥିଲା।
୨୦୨୦ ‌େ‌ଶଷ ଭାଗରେ କରୋନା ପରିସ୍ଥିତିରେ ଉନ୍ନତି ଘଟିବା ସହିତ ଜୀବିକା ପନ୍ଥା ଉପରେ ସରକାର ଜୋର ଦେବା ଯୋଗୁଁ ଅର୍ଥନୀତିର ପୁନରୁତ୍ଥାନ ପ୍ରକ୍ରିୟା ଚାଳିଥିବାବେଳେ ଏବେ କରୋନା ମାଡ଼ ବେଡ଼ି ଉପରେ କରୋଡ଼ା ଭଳି ହୋଇଛି। ୨୦୨୦-୨୧ରେ କରୋନା ପ୍ରଭାବରୁ ରାଜ୍ୟ ଅର୍ଥନୀତିର ଅଭିବୃଦ୍ଧି ହାର ପ୍ରାୟ ବିଯୁକ୍ତ ୫ପ୍ରତିଶତ ପର୍ଯ୍ୟନ୍ତ ଖସିଯିବା ନେଇ ଆକଳନ କରାଯିବା ପରେ ଅବସ୍ଥା ସୁଧାରିବାକୁ ସରକାର ରାଜ୍ୟ ବଜେଟର ଆକାର ବଢ଼ାଇବା ସହିତ ଅନେକ ସକାରାତ୍ମକ ପଦକ୍ଷେପ ହାତକୁ ନେଇଥିଲେ ହେଁ କରୋନା ପୁଣି ପରିସ୍ଥିତିକୁ ବିଗାଡ଼ିଦେଲାଣି।
ଲେଉଟାଣି ଡର ଭିତରେ ଲୋକଙ୍କ ଜୀବିକାକୁ ପ୍ରାଧାନ୍ୟ ଦେଇ ଆର୍ଥିକ କାର୍ଯ୍ୟକ୍ରମକୁ ଚଳଚଞ୍ଚଳ ରଖିବା ଓ ତାଲାବନ୍ଦ ପରିସ୍ଥିତିକୁ ଏଡ଼ାଇଯିବା ପାଇଁ ସରକାରଙ୍କ ସବୁ ଯୋଜନା ଶେଷରେ ଫସର ଫାଟିଯାଇଛି। ଗତବର୍ଷ ସେପ୍ଟେମ୍ବର ୨୫ରେ ରାଜ୍ୟରେ କରୋନା ସର୍ବୋଚ୍ଚ ସୀମା ଛୁଇଁଥିଲା। ତଥାପି ସେତେବେଳେ ଦୈନିକ ସଂକ୍ରମଣ ୪୦୦୦ରୁ ୫୦୦୦ ଭିତରେ ସୀମିତ ରହୁଥିଲା। ଏପରିକି ଭୁବନେଶ୍ବରରେ ସଂକ୍ରମଣ ୬୦୦ରୁ ୮୦୦ ପର୍ଯ୍ୟନ୍ତ ବଢ଼ିଥିଲା। କିନ୍ତୁ ଚଳିତ ଏପ୍ରିଲରେ ରାଜ୍ୟରେ ସଂକ୍ରମଣ ୧୦ହଜାର ଟପିଥିବାବେଳେ ଭୁବନେଶ୍ବରରେ ଦୈନିକ ୧୦୦୦ ଅତିକ୍ରମ କଲାଣି। ଏ ପର୍ଯ୍ୟନ୍ତ ଗତବର୍ଷର ସବୁ ରେକର୍ଡକୁ କରୋନା ଭାଙ୍ଗିଦେଇଛି। ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇ ରାଜ୍ୟ ସରକାରଙ୍କୁ ବିଳମ୍ବରେ ହେଲେ ବି ତାଲାବନ୍ଦ ବ୍ୟବସ୍ଥା ଆପଣାଇବାକୁ ପଡ଼ିଛି।
ଦ୍ବିତୀୟ ଲହରର ମୁକାବିଲା କରିବା ଭିତରେ ଅର୍ଥନୀତିର ଅବସ୍ଥା କୁଆଡ଼କୁ ଯିବ ତାହା ଏବେ ସବୁଠୁ ବଡ଼ ପ୍ରଶ୍ନ। ଅବଶ୍ୟ ଗତ ଥରର ତାଲାବନ୍ଦ ନିୟମାବଳିରେ କିଛି ପରିବର୍ତ୍ତନ କରାଯାଇ ଏଥର ଶିଳ୍ପ ସଂସ୍ଥା, ବିଭିନ୍ନ ଉଦ୍ୟୋଗ, ବ୍ୟବସାୟ, ନିର୍ମାଣ କାର୍ଯ୍ୟ, ଯୋଗାଣ ଓ ଜୀବିକା ସହିତ ସଂଯୁକ୍ତ ଥିବା ଅନେକ ଆର୍ଥିକ କାର୍ଯ୍ୟକ୍ରମକୁ ଏଥିରୁ ବାଦ ଦିଆଯାଇଛି। ହେଲେ ସଂକ୍ରମଣ ଭିତରେ ଜୀବନ ସହିତ ସଂଗ୍ରାମ କରୁଥିବା ଲୋକେ ଏଥିରୁ କେତେଦୂର ଉପକୃତ ହେବେ ତାହା ସମୟ କହିବ।

Comments are closed.