ଡାକ୍ତରଖାନାରେ କରୋନା ସଂକ୍ରମିତଙ୍କ ବାହାଘର

ତିରୁଅନନ୍ତପୁରମ୍‌ : କେରଳ ଆଲାଫୁଝା ଜିଲାର ବନ୍ଦନାମ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟରେ ରବିବାର ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି। ଚିକିତ୍ସାଳୟର କୋଭିଡ୍‌ ଚିକିତ୍ସା କେନ୍ଦ୍ରରେ ଜଣେ କରୋନା ସଂକ୍ରମିତ ଯୁବକ ବିବାହ କରିଛନ୍ତି। ସରଥ ମନ ନାମକ ଯୁବକ ବାହାଘର ସ୍ଥିର ହୋଇ ସାରିଥିବାବେଳେ ବିବାହର କିଛି ଦିନ ପୂର୍ବରୁ ସେ ଓ ତାଙ୍କର ମା’ କରୋନା ସଂକ୍ରମିତ ହୋଇଥିଲେ। ଫଳରେ ସରଥ ଓ ତାଙ୍କ ମା’ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଏପରି ଦୁର୍ଭାଗ୍ୟଜନକ ପରିସ୍ଥିତି ସତ୍ତ୍ବେ ସରଥଙ୍କ ପରିବାର ଓ କନ୍ୟା ପକ୍ଷର ପରିବାର ନିର୍ଦ୍ଧାରିତ ତାରିଖରେ ବିବାହ କାର୍ଯ୍ୟ କରିବାକୁ ନିଷ୍ପତ୍ତି ନେଇଥିଲେ। ଉଭୟ ପକ୍ଷରୁ ପରିବାର ଜିଲାପାଳ ଓ ଚିକିତ୍ସାଳୟ ମୁଖ୍ୟଙ୍କଠାରୁ ଅନୁମତି ନେଇ ଡାକ୍ତରଖାନା ମଧ୍ୟରେ ବିବାହ କାର୍ଯ୍ୟ ସମ୍ପନ୍ନ କରିଛନ୍ତି। କନ୍ୟା ଅଭିରାମି ଓ ବର ସରଥ ଡାକ୍ତରଖାନାରେ ପରସ୍ପରକୁ ବରଣମାଳ ପିନ୍ଧାଇବା ପୂର୍ବକ ବିବାହ ସମ୍ପନ୍ନ କରାଯାଇଛି। କନ୍ୟା କରୋନା ପୋଷାକ ପିନ୍ଧି ବିବାହ କରିଥିଲେ। ଡାକ୍ତରଖାନାର ଡାକ୍ତର ଓ କର୍ମଚାରୀଙ୍କ ଉପସ୍ଥିତିରେ ଏହି ବିବାହ ହୋଇଛି। ଅଭିରାମି ଘରକୁ ଫେରିଯାଇଥିବାବେଳେ ସରଥ ଡାକ୍ତରଖାନାରେ ରହିଛନ୍ତି।

Comments are closed.