କରୋନା ପ୍ରଭାବ ; ଉତ୍କଟ ରୂପ ଧାରଣ କରିବ ବେରୋଜଗାରୀ

 – ଅନ୍‌ଲକ୍- ୧.୦ରେ ଅର୍ଥନୈତିକ ଉନ୍ନତି ଆସୁନି
– ଔଷଧ କ୍ଷେତ୍ରରେ ୭୦ % ବ୍ୟବସାୟ ହ୍ରାସ
– ଦରମା କାଟ୍‌ ପରେ ଏବେ କର୍ମଚାରୀ ଛଟେଇ
– ଗୁରୁତର ପ୍ରଭାବିତ ହେବ ରାଜ୍ୟ ବିକାଶ ହାର

ଭୁବନେଶ୍ବର: : ଭଦ୍ରକର ଶ୍ରୀମନ୍ତ ଦାସ ଭୁବନେଶ୍ବରରେ ଥିବା ଏକ ତାରକା ହୋଟେଲ୍‌ରେ ରୁମ୍ ସର୍ଭିସ୍ ବିଭାଗରେ ବାର ବର୍ଷ ହେଲା କାମ କରୁଥିଲେ। ଯାହା ଦରମା ମିଳୁଥିଲା ଏଠି ତିନି ଜଣିଆ ପରିବାର ଚଳାଇ ମାସ ଶେଷକୁ ସ୍ବଳ୍ପ ସଞ୍ଚୟ କିଛି ହୋଇଯାଉଥିଲା; କିନ୍ତୁ କରୋନା ଆଜି ତାଙ୍କ ରୋଜଗାର ଛଡ଼ାଇ ନେଇଛି। ଏବେ ଅନ୍ଧକାର ଭବିଷ୍ୟତ ନେଇ ଗାଁକୁ ଫେରିବା ଛଡ଼ା ତାଙ୍କ ପାଖରେ ଅନ୍ୟ ଉପାୟ କିଛି ନାହିଁ।

ଏପରି ଅନେକ ଲୋକ ଅଛନ୍ତି, ଯେଉଁମାନେ ଜନ୍ମମାଟିରୁ ଦୂରରେ ରହି ଏକ ସୁନ୍ଦର ଭବିଷ୍ୟତ ଗଢ଼ିବା ପାଇଁ ସ୍ବପ୍ନ ଦେଖୁଥିଲେ, ଆଉ ତାକୁ ସାକାର କରିବା ପାଇଁ ଦିନରାତି ପରିଶ୍ରମ କରୁଥିଲେ; ହେଲେ ଆଜି କରୋନା ସବୁ କିଛି ବଦଳାଇ ଦେଇଛି। ଓଡ଼ିଶାର ଯଦି ସହରାଞ୍ଚଳ କଥା ଦେଖାଯାଏ, ତା’ହେଲେ ସବୁ କ୍ଷେତ୍ରରେ ମାନ୍ଦାବସ୍ଥା ଲାଗିଛି, ଆଉ ଲୋକଙ୍କ ଚାକିରି ଯାଉଛି। କରୋନା ମହାମାରୀ ଏବେ ରାଜ୍ୟର ବରୋଜଗାରୀ ହାରକୁ ଶୀର୍ଷକୁ ନେଇଯିବ ଏବଂ ଓଡ଼ିଶା ଭଳି ଏକ ବିକାଶୋନ୍ମୁଖୀ ରାଜ୍ୟକୁ ବହୁ ପଛକୁ ଟାଣିନେବ ବୋଲି ଅର୍ଥନୀତିଜ୍ଞମାନେ ଆଶଙ୍କା ପ୍ରକାଶ କରିଛନ୍ତି। ଏବେଠାରୁ ଦୀର୍ଘମିଆଦୀ ଯୋଜନା ପ୍ରସ୍ତୁତ କରିବା ସହିତ ଛୋଟଛୋଟ ପୁଞ୍ଜିନିବେଶ ପାଇଁ ପଥ ପ୍ରସ୍ତୁତ କରାଗଲେ ବେକାରୀ ସମସ୍ୟା ଉତ୍କଟ ରୂପ ଧାରଣ କରିବା ଆଶଙ୍କାକୁ ଏଡ଼ାଇ ଦିଆଯାଇ ପାରିବ ବୋଲି ମତପ୍ରକାଶ ପାଇଛି।

କରୋନା ମହାମାରୀ ପାଇଁ ଏବେ ସମଗ୍ର ବିଶ୍ବ ଅଟକି ଯାଇଛି। ଲକ୍‌ଡାଉନ୍ ଯୋଗୁଁ ପ୍ରତ୍ୟେକ କ୍ଷେତ୍ରରେ ମାନ୍ଦାବସ୍ଥା ଆଉ ଘୋର ଆର୍ଥିକ ସଙ୍କଟ ଦେଖାଦେଇଛି। କରୋନା ଯିବାର ଦୀର୍ଘଦିନ ପର୍ଯ୍ୟନ୍ତ ଆର୍ଥିକ ମାନ୍ଦାବସ୍ଥା ଓ ଉତ୍କଟ ବେକାରୀ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ। ଏଥିରୁ ଓଡ଼ିଶା ମଧ୍ୟ ବାଦ୍ ପଡ଼ିନାହିଁ। ଏବେ ଅନ୍‌ଲକ୍- ୧.୦ରେ କଟକଣା କୋହଳ ହେବା ପରେ ଜୀବନଯାତ୍ରା କିଛିଟା ସ୍ବାଭାବିକ ହୋଇଛି; କିନ୍ତୁ ଅର୍ଥନୀତିରେ ସୁଧାର ଆସୁ ନ ଥିବାରୁ ରୋଜଗାର ଯିବା ଆରମ୍ଭ କରିଛି। ରାସ୍ତାକଡ଼ରେ ଥିବା ଛୋଟଛୋଟ ଜଳଖିଆ ଦୋକାନଠାରୁ ଆରମ୍ଭ କରି ଆଇଟି, ଔଷଧ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ବିପୁଳ ଆର୍ଥିକ କ୍ଷତି। କେବଳ ସରକାରୀ କର୍ମଚାରୀଙ୍କୁ ବାଦ୍‌ଦେଲେ ଛୋଟବଡ଼ ଦୋକାନ, ବଡ଼ ବ୍ୟବସାୟ ପ୍ରତିଷ୍ଠାନ, ଘରୋଇ ସଂସ୍ଥା, ସବୁଆଡ଼େ ଦୁଇମାସ ଧରି ଦରମା କାଟ୍‌ ପରେ ଏବେ ଛଟେଇ ଆରମ୍ଭ ହୋଇଛି। ସବୁଆଡ଼େ ଚାକିରିକୁ ନେଇ ହାହାକାର। ଲକ୍‌ଡାଉନ୍ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ କୁହାଯାଉଥିବା ଔଷଧ କ୍ଷେତ୍ର ଭଲ ଚାଲୁଛି ବୋଲି ଧାରଣା ରହିଥିଲା। କିନ୍ତୁ ବାସ୍ତବତା ହେଉଛି, ଏହି କ୍ଷେତ୍ରରେ ବ୍ୟବସାୟ ୯୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇଛି। ଯେଉଁଠି ବଡ଼ କମ୍ପାନୀର ଜଣେ ଜଣେ ମେଡିସନ୍ ରିପ୍ରେଜେଣ୍ଟେଟିଭ୍ ମାସିକ ୭୦ ହଜାରରୁ ୧ ଲକ୍ଷ ପର୍ଯ୍ୟନ୍ତ ଦରମା ପାଉଥିଲେ, ଆଜି ସେଠି ସେମାନଙ୍କୁ ମାତ୍ର ୨୦ ପ୍ରତିଶତ ଦରମାରେ ପରିବାର ଚଳାଇବାକୁ ପଡ଼ୁଛି। ଅପରପକ୍ଷେ ରାଜ୍ୟ ବାହାରେ ବିଭିନ୍ନ କାମଧନ୍ଦାରେ ନିୟୋଜିତ ଲକ୍ଷାଧିକ ପ୍ରବାସୀ ଓଡ଼ିଆ ମଧ୍ୟ ରୋଜଗାର ହରାଇ ଘରକୁ ଫେରିଛନ୍ତି। କହିବା ବାହୁଲ୍ୟ ଯେ ସାଧାରଣ ହେଉ ଅବା ଅତ୍ୟାବଶ୍ୟକ ସେବା, ସବୁଠି ମାନ୍ଦାବସ୍ଥା। ସରକାରୀ ଚାକିରିଆ ଏବଂ କିଛି ନିର୍ଦିଷ୍ଟ ଶ୍ରେଣୀର ଲୋକଙ୍କୁ ବାଦ୍‌ଦେଲେ ଅନ୍ୟ ଲୋକଙ୍କ ପାଖରେ ଖାଇବା ପାଇଁ ପଇସା ନାହିଁ। ସରକାରୀ ସ୍ତରରେ କୌଣସି ଠୋସ୍ ପଦକ୍ଷେପ ବିନା ଏପରି ସ୍ଥିତି ବେଶ୍ କିଛି ଦିନ ଲାଗି ରହିବ ବୋଲି ତଥ୍ୟାଭିଜ୍ଞ ମହଲରେ ଆଶଙ୍କା ପ୍ରକାଶ ପାଇଛି।

ଅର୍ଥନୀତି ବିଶେଷଜ୍ଞ ନଟବର ଖୁଣ୍ଟିଆ କହିଛନ୍ତି, କରୋନା ପାଇଁ ଯେଉଁ ମାନ୍ଦାବସ୍ଥା ଦେଖାଦେଇଛି ରାଜ୍ୟର ବେରୋଜଗାରୀ ହାରକୁ ବୃଦ୍ଧି କରୁଛି, ଆଉ ଆଗକୁ ମଧ୍ୟ ବୃଦ୍ଧି ପାଇବ। ମାନ୍ଦାବସ୍ଥାର ପ୍ରଭାବ ଦୀର୍ଘସ୍ଥାୟୀ ହେବ। ମନରେଗା ହେଉ ଅବା ଗରିବ କଲ୍ୟାଣ ଯୋଜନା, ଏପରି ସରକାରୀ କାର୍ଯ୍ୟକ୍ରମ ବେକାରୀ ସମସ୍ୟା ଦୂର ପାଇଁ ସକ୍ଷମ ନୁହେଁ।
ତେଣୁ ଦୀର୍ଘ ମିଆଦି ଯୋଜନା ପ୍ରସ୍ତୁତ କରି ଘରୋଇ ପୁଞ୍ଜିନିବେଶ ପାଇଁ ପଥ ପ୍ରସ୍ତୁତ କରିବା ଉଚିତ। ବିଶେଷକରି କୃଷିକ୍ଷେତ୍ରକୁ ପ୍ରାଧାନ୍ୟ ଦେବା ଉଚିତ। କୃଷିରୁ ଫାଇଦା ମିଳିଲେ ଲୋକେ ଏଥିପ୍ରତି ଆଗଭର ହେବେ। କୃଷିରେ ସଫଳତା ଅନେକାଂଶରେ ସୁଧାର ଆଣିପାରିବ ବୋଲି ସେ କହିଛନ୍ତି। ଅର୍ଥନୈତିଜ୍ଞ ଦିଲୀପ ବିଷୋୟୀ କହିଛନ୍ତି, ପୂର୍ବରୁ ମାନ୍ଦାବସ୍ଥା ଓ ବେକାରୀ ସମସ୍ୟା ସହିତ ସଂଘର୍ଷ କରୁଥିବା ଭାରତକୁ କରୋନା ଆହୁରି ପଛକୁ ଟାଣିନେଇଛି। କାରଣ ଅନ୍‌ଲକ୍- ୧.୦ରେ ଅର୍ଥନୈତିକ କାରବାରରେ ସେଭଳି କୌଣସି ଉନ୍ନତି ଆସିବାର ଲକ୍ଷଣ ଦେଖାଯାଉ ନାହିଁ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରଥମେ ଲୋକଙ୍କ ହାତକୁ ସିଧାସଳଖ ଆର୍ଥିକ ସହାୟତା ଦେବା ଉଚିତ। ପାଣ୍ଠି ଯୋଗାଡ଼ ପାଇଁ ସରକାର ଋଣ କରିବା ସହ ନିଜ ସମ୍ପତ୍ତି ବିକ୍ରି କରି ପାରିପାରିବେ। ଆବଶ୍ୟକ ପଡ଼ିଲେ କେନ୍ଦ୍ର ସରକାର ଟଙ୍କା ଛାପିବା ଉଚିତ ବୋଲି ସେ ମତ ଦେଇଛନ୍ତି।

Comments are closed.