କରୋନା: କିଛି କଥା କିଛି ବ୍ୟଥା

ଘରୁ ନ ବାହାରିବା ପାଇଁ ମିଳିଥିବା ଉପଦେଶକୁ ମାନି ମୁଁ ଅନେକ ଦିନ ହେଲା ଘରୁ ବାହାରୁନି। ତେଣୁ ବହିପଢ଼ା ଓ ଟିଭି ଦେଖାରେ ବ୍ୟସ୍ତ ରହୁଛି। ଆମ ଦେଶର ପ୍ରାୟ ସମସ୍ତ ଜଣାଶୁଣା ଟିଭି ଚ୍ୟାନେଲ ସମେତ ହଂକଂ, ସିଙ୍ଗାପୁର, ଅଷ୍ଟ୍ରେଲିଆ, ଅଲ୍‌ ଜଜିରା, ଫ୍ରାନ୍ସ ୨୪, ବିବିସି, ସିଏନ୍‌ଏନ୍‌ ଓ ରୁଷିଆନ୍‌ ଟିଭି ଦେଖୁଛି। ତା’ ସାଙ୍ଗେସାଙ୍ଗେ ରେଡ଼ିଓ ଶୁଣୁଛି ଓ ଇଣ୍ଟରନେଟ୍‌ରେ ଏସିଆ, ଆଫ୍ରିକା, ୟୁରୋପର ଅନେକ ଖବରକାଗଜର ପ୍ରଥମ ପୃଷ୍ଠା ଦେଖୁଛି। ସବୁଥିରେ ଭୟ, ଆଶଙ୍କା, ଏପରିକି ଆତଙ୍କ। ଅଧିକାଂଶ କ୍ଷେତ୍ରରେ ଗଣମାଧ୍ୟମ ବହୁତ ସକ୍ରିୟ ଏବଂ ସକାରାତ୍ମକ। ସେଇ ଗୋଟିଏ ଚର୍ଚ୍ଚା କରୋନା ଭାଇରସ୍‌, କେଉଁଠୁ ବାହାରିଲା, କେମିତି ବ୍ୟାପିଲା, କେଉଁ ଦେଶ କେତେ ସଂକ୍ରମିତ ଏବଂ ବିଭିନ୍ନ ଦେଶରେ କି ବ୍ୟବସ୍ଥା କରାଯାଇଛି। ଏହା ସାଙ୍ଗେସାଙ୍ଗେ ବିଭିନ୍ନ ସରକାରଙ୍କର ଉପଦେଶ ବେଳେବେଳେ ଆଦେଶ ଅଜାଡ଼ି ହୋଇପଡ଼ୁଛି। ବ୍ୟବସାୟ, ବାଣିଜ୍ୟ, ଶିଳ୍ପ ପର୍ୟ୍ୟଟନ, ବର୍ତ୍ତମାନ ଆଇସିୟୁରେ। ଏଭଳି ଚହଳ ଦ୍ବିତୀୟ ବିଶ୍ବ ଯୁଦ୍ଧ ପରେ ପ୍ରଥମଥର ପାଇଁ ହୋଇଛି। କାରଣ ଗଣମାଧ୍ୟମ ଅତ୍ୟନ୍ତ ଉତ୍ସାହର ସହିତ ତାଙ୍କ କାମ କରୁଛନ୍ତି। ବିଭିନ୍ନ ସରକାରଙ୍କ ବ୍ୟତୀତ ଦୁଇଟି ଅନୁଷ୍ଠାନ ତଥା ବ୍ୟକ୍ତିବିଶେଷ ଧନ୍ୟବାଦ ଓ କୃତଜ୍ଞତାର ଅଧିକାରୀ ସେମାନେ ହେଲେ ଗଣମାଧ୍ୟମ ଓ ସମଗ୍ର ବିଶ୍ବର ଡାକ୍ତରମାନେ। ଡାକ୍ତରମାନଙ୍କ ପାଇଁ ଏହା ଏକ ଆହ୍ବାନ। ସଂଗ୍ରାମ, ଯେଉଁଥିରେ ଅଛି ଜୀବନ ପ୍ରତି ପ୍ରବଳ ଭୟ, କିନ୍ତୁ ମୃତ୍ୟୁକୁ ଭୟ ନକରି ସୈନ୍ୟ ଓ ପୁଲିସବାହିନୀ ପରି ସେମାନେ ଲଢ଼ି ଚାଲିଛନ୍ତି କରୋନା ସାଙ୍ଗରେ। ଲକ୍ଷ୍ୟ ଆୟ ନୁହେଁ, ସଫଳତା, କେବଳ ସଫଳତା।
୧୯୫୮ ମସିହାରେ ଜାପାନ ନିକଟସ୍ଥ ଏକ ଦ୍ବୀପରେ ଫ୍ରାନ୍ସ ଏକ ପରମାଣୁ ବୋମା ପରୀକ୍ଷା କଲା। ଫଳରେ ବାୟୁମଣ୍ଡଳ ଦୂଷିତ ହୋଇ ଏକରକମ ଫ୍ଲୁ ଭୂତାଣୁ ଜାତ ହେଲା ଓ ସମଗ୍ର ପୃଥିବୀ ସଂକ୍ରମିତ ହେଲା। ସେତେବେଳେ ମୁଁ ସମ୍ବଲପୁରରେ ଛାତ୍ର ଥିଲି ଓ ଦେଖିଲି ଘରେଘରେ ଫ୍ଲୁ। ଶ୍ରେଣୀକୁ ପ୍ରାୟ ଅଧେ ପିଲା ଆସିଲେ ନାହିଁ, କିନ୍ତୁ ସେତେବେଳେ ସରକାର କିମ୍ବା ଗଣମାଧ୍ୟମ ଏତେ ସଂଗଠିତ ନଥିଲେ ଓ ଦେଶ ଅନ୍ଧାରରେ ରହିଲା। ଫ୍ଲୁର ବ୍ୟାପକତା ଯେପରି ୧୯୨୦ ମସିହାରେ ସ୍ପେନରୁ ଜାତ ହେଲା ଏକ ଭୂତାଣୁ ଓ ସ୍ପେନୀୟ ଫ୍ଲୁ ଚେଙ୍ଗିଜ୍‌ ଖାଁ ଭଳି ମାଡ଼ିଗଲା ସବୁଆଡ଼େ ଓ ଯିଏ ସାମନାରେ ପଡ଼ିଲା ତାକୁ ମାରିଦେଲା। ପାଞ୍ଚକୋଟି ଲୋକ ମଲେ- ପ୍ରଥମ ମହାଯୁଦ୍ଧରେ ମରିଥିବା ଲୋକଙ୍କଠୁ ବେଶୀ। ସେତେବେଳେ ଚିକିତ୍ସା ବିଜ୍ଞାନ ଏତେ ଉନ୍ନତ ହୋଇନଥିଲା। ଡାକ୍ତରଙ୍କ ସଂଖ୍ୟା ବହୁତ କମ୍‌ ଥିଲା। ତେଣୁ ଯଥେଷ୍ଟ ମୁକାବିଲା ହୋଇପାରିଲା ନାହିଁ, କିନ୍ତୁ ୨୦୦୨ ବେଳକୁ ପୃଥିବୀ ବହୁତ ଆଗେଇ ଗଲାଣି। ଚୀନରୁ ବାହାରିଥିବା ସାର୍ସ ଭୂତାଣୁ ସାରା ବିଶ୍ବରେ ଖେଳିଗଲା। ଅନେକ ଲୋକ ମଲେ, କିନ୍ତୁ ବହୁ ସଂକ୍ରମିତ ଲୋକ ବଞ୍ଚିଲେ କେବଳ ଚିକିତ୍ସା ପାଇଁ। ସାର୍ସଠାରୁ ବହୁ ପରିମାଣରେ ସାଂଘାତିକ ହୋଇଛି କରୋନା ଭାଇରସ। ରୋଗୀକୁ ଛୁଇଁଦେଲେ ସଂକ୍ରମିତ ହୋଇଯାଉଛନ୍ତି। ସବୁଠୁ ବିପଜ୍ଜନକ କଥା ହେଉଛି ଜଣେ ରୋଗୀ କି ନୀରୋଗ, ତାକୁ ଦେଖିଲେ ଜାଣିହେବ ନାହିଁ। ତେଣୁ ବହୁତ ଉପଦେଶ, ଯଥା- ସମସ୍ତଙ୍କଠାରୁ ଦୂରେଇ ରହନ୍ତୁ। କୌଣସି ସଭା, ଭୋଜିଭାତ କୁ ଯାଆନ୍ତୁ ନାହିଁ, ନିହାତି ଦରକାର ନହେଲେ ହୋଟେଲ କିମ୍ବା କ୍ଲବକୁ ଯାଆନ୍ତୁ ନାହିଁ, ବାରମ୍ବାର ହାତ ଧୁଅନ୍ତୁ।
ଚୀନ୍‌ରୁ ଆରମ୍ଭ ହେଲା ଡିସେମ୍ବର ମାସରେ ଉହାନ୍‌ ପ୍ରଦେଶରେ। ଯେଉଁ ଡାକ୍ତର ତାକୁ ଆବିଷ୍କାର କଲେ (ନିହାତି ଜଣେ ବିଚକ୍ଷଣ ଡାକ୍ତର ହୋଇଥିବେ) ଓ ଲାଗି ପଡ଼ିଲେ ସମସ୍ତଙ୍କ ଚିକିତ୍ସା ପାଇଁ, ସେ ନିଜେ ସଂକ୍ରମିତ ହୋଇ ମଲେ। ଡାକ୍ତର ‘ଲି’ଙ୍କର ଆତ୍ମତ୍ୟାଗ। ଯଦି ଆଉ କେଉଁ ଦେଶର ହୋଇଥା​‌େ​‌ନ୍ତ ତେବେ ସରକାର ତାଙ୍କର ପ୍ରତିମୂର୍ତ୍ତି କରିଥାନ୍ତେ, କିନ୍ତୁ ଚୀନ୍‌ ସରକାର ତାଙ୍କୁ ତାଗିଦ୍‌ କରିଥିଲେ। ଗଣତାନ୍ତ୍ରିକ ଦେଶରେ ଗଣମାଧ୍ୟମ ଖବର ପ୍ରକାଶିତ କରିବାପାଇଁ ଯେମିତି ବ୍ୟଗ୍ର, ଚୀନ୍‌ରେ ଖବର ଘୋଡ଼ାଇବା ପାଇଁ ତାଙ୍କ ସରକାର ତା’ଠାରୁ ବେଶୀ ବ୍ୟଗ୍ର। ସେଠାରେ ସାମ୍ବାଦିକ ଓ ବୁଦ୍ଧିଜୀବୀମାନେ ସରକାରଙ୍କଠାରେ ବନ୍ଧକ ପଡ଼ିଛନ୍ତି। ସେଥିପାଇଁ ୧୯୫୮-୫୯ରେ ଉତ୍କଟ ଦୁର୍ଭିକ୍ଷ ପଡ଼ିଲା, କିନ୍ତୁ ଖବର ପ୍ରକାଶିତ ହେଲାନାହିଁ। ସାରାବିଶ୍ବ ଜାଣି ପାରିଲା ନାହିଁ। ଦୁର୍ଭିକ୍ଷରେ ୪୦ଲକ୍ଷ ଲୋକ ମରିବା ଏକଚ୍ଛତ୍ରବାଦୀ ଶାସନକୁ ବ୍ୟଥିତ କରେନାହିଁ କିନ୍ତୁ ଗୋଟିଏ ଗଣତାନ୍ତ୍ରିକ ଦେଶରେ ଜଣେ ଲୋକ ଅନାହାରରେ ମଲେ ସମଗ୍ର ଦେଶରେ କମ୍ପନ ସୃଷ୍ଟି ହୁଏ ଓ ସରକାରଙ୍କୁ ହଜାରେ କୈଫିୟତ ଦେବାକୁ ପଡ଼େ। ସେହି ପରିପ୍ରେକ୍ଷୀରେ ଆମେ ଦେଖିବା ପ୍ରକୃତରେ ଚୀନ୍‌ରେ କେତେ ଲୋକ ସଂକ୍ରମିତ ହୋଇଛନ୍ତି, କେତେ ମରିଛନ୍ତି। ଅଥଚ ଦକ୍ଷିଣ କୋରିଆ (ଗଣତାନ୍ତ୍ରିକ ରାଜ୍ୟ) ଠିକ ଖବର ଦେଉଛି। ସଂକ୍ରମିତ ଲୋକଙ୍କୁ ଚିହ୍ନଟ କରିବା ଓ ସଂଖ୍ୟା ବଢ଼ିଲେ ଦେଶର ବଦ୍‌ନାମ କିମ୍ବା ସୁନାମ ହୁଏ ନିର୍ଭର କରେ ଆମର ଆଭିମୁଖ୍ୟରେ ସରକାର ଅପାରଗ ବୋଲି କହିବା ପାଇଁ ସୁଯୋଗ ମିଳେ, କିନ୍ତୁ ସକାରାତ୍ମକ ଦୃଷ୍ଟିରେ ଦେଖିବାକୁ ଗଲେ କୁହାଯିବ ଯେ କରୋନାକୁ ସରକାର ନିମନ୍ତ୍ରଣ କରିନାହାନ୍ତି। ତାହା ବିଭିନ୍ନ କାରଣରୁ ବ୍ୟାପିଛି ଏବଂ ସରକାର ଧନ୍ୟବାଦର ପାତ୍ର ଯେ ସେମାନେ ଏତେଜଣ ସଂକ୍ରମିତ ଲୋକଙ୍କୁ ଚିହ୍ନଟ କରି ତାଙ୍କର ଚିକିତ୍ସା କରୁଛନ୍ତି। ସମୟ ଥିଲା ହଇଜାରେ ଜଣେ ମଲେ କୁହାଯାଉଥିଲା ସେ ଡାଇରିଆରେ ମରିଛି। ଦକ୍ଷିଣ କୋରିଆ ସରକାର ଚାହିଁଥିଲେ ଏଭଳି ଆଉ ଗୋଟିଏ କ’ଣ ନା ଦେଇପାରିଥାନ୍ତେ, କିନ୍ତୁ ତାଙ୍କ ପାଇଁ ଗୋଟିଏ ନାଗରିକ ମୂଲ୍ୟବାନ ଯାହା ଚାଇନାରେ ନୁହେଁ।
କରୋନା ବ୍ୟାପିଛି ୟୁରୋପକୁ। ବେଶୀ ସଂକ୍ରମିତ ହୋଇଛନ୍ତି ଇଟାଲି, ଫ୍ରାନ୍ସ ଓ ସ୍ପେନ୍‌। ସେ ଦେଶରେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିଚାଲିଛି। ପ୍ରତି ସପ୍ତାହରେ ସଂଖ୍ୟା ବଢ଼ୁଛି ସାତ ଆଠହଜାର କିମ୍ବା ତତୋଽଧିକ, କିନ୍ତୁ ମୃତ୍ୟୁ ସଂଖ୍ୟା ସମଗ୍ର ବିଶ୍ବରେ ହେଉଛି ଶତକଡ଼ା ଏକରୁ ଦୁଇ। ତା’ଠୁ ବହୁ ସଂଖ୍ୟାରେ ଶିଶୁ ମରୁଛନ୍ତି ଅନୁନ୍ନତ ଦେଶରେ, ଶତକଡ଼ା ଦଶହାରରେ, କିନ୍ତୁ କରୋନାର ଭୟ ବହୁତ ବେଶୀ। ହୋଇପାରେ ଯେ ଉନ୍ନତ ଦେଶମାନଙ୍କରେ କରୋନା ବ୍ୟାପିବାରୁ ଏ ସମସ୍ତ ଦେଶରେ କାହିଁକି କରୋନା ହେଲା ସେ ବିଷୟରେ ଚର୍ଚ୍ଚା ଓ ଗବେଷଣା ହେଉଛି। ଗୋଟିଏ ଯୁକ୍ତି ହେଲା ଯେ ଯେଉଁ ଦେଶରେ ବୃଦ୍ଧଙ୍କ ସଂଖ୍ୟା ଅଧିକା ଏବଂ ଯେଉଁ ଦେଶରେ ଚୀନ୍‌ର ଅଧିବାସୀ କିମ୍ବା ପର୍ୟ୍ୟଟକମାନେ ବେଶୀ ସଂଖ୍ୟାରେ ଅଛନ୍ତି ସେଠାରେ ଏ ରୋଗ ବ୍ୟାପୁଛି। ଚୀନ୍‌ର ବହୁତ ଲୋକ ଯାଆନ୍ତି ପର୍ୟ୍ୟଟକ ଭାବରେ ଓ ସାଙ୍ଗରେ ନେଇ ଯାଇଥାନ୍ତି ଭୂତାଣୁ, ତେଣୁ ସେଇ କାରଣରୁ ବ୍ୟାପିଥାଇପାରେ। ଆଉ ଏଇ କାରଣ ହୋଇପାରେ ଯେ ଥଣ୍ଡା ଦେଶରେ ଏହା ବେଶୀ ହେଉଛି। ବାୟୁମଣ୍ଡଳର ତାପମାତ୍ରା ୩୦ଡିଗ୍ରୀରୁ ଟପିଲେ ଏ ଭୂତାଣୁ ମରିଯିବେ। ଯଦିବା ପ୍ରମାଣିତ ହୋଇନାହିଁ ତେବେ ସଂଖ୍ୟା ଏ ଯୁକ୍ତିକୁ କିଛି ପରିମାଣରେ ପ୍ରମାଣିତ କରୁଛି। ଭାରତର ୧୩୦କୋଟି ଲୋକ ଥିଲା​‌େବ​‌ଳେ କରୋନାଜନିତ ସଂକ୍ରମଣ ୧୫୦ ଟପିନାହିଁ ଓ ମୃତ୍ୟୁ ସଂଖ୍ୟା ୩। ପାକିସ୍ତାନରେ ୨୯୬ ଓ ବାଂଲାଦେଶ ନେପାଳ ଇତ୍ୟାଦିରେ ଏହା ହାତଗଣତି ମାତ୍ର। ଅଥଚ ମାଲେସିଆ, ଥାଇଲାଣ୍ଡରେ ଏହା ବ୍ୟାପୁଛି। କାରଣ ହୋଇପାରେ ଯେ ସେଠାକୁ ଚୀନର ବହୁତ ପର୍ୟ୍ୟଟକ ଆସନ୍ତି।
ସର୍ଦି, କାଶ, ଜ୍ବର ହୋଇଗଲେ ଯେ କରୋନା ହୋଇଗଲା, ସାଙ୍ଗେସାଙ୍ଗେ ପରୀକ୍ଷା କରିବା, ଏ ଚିନ୍ତାରୁ ମୁକ୍ତ ହେବା ଆବଶ୍ୟକ। କାରଣ ଋତୁ ପରିବର୍ତ୍ତନ ହେଉଛି। ଏହି ସମୟରେ ଭୂତାଣୁଙ୍କ ସଂଖ୍ୟା ବୃଦ୍ଧିହୋଇ ହାତ ଫ୍ଲୁ କି ମିଳିମିଳା,, ସର୍ଦି, କାଶ ବେମାରି ହୁଏ। ଏହା ସବୁ ବର୍ଷ ହୁଏ। ତେଣୁ ଏ ବର୍ଷ ହେଲେ ଭୟଭୀତ ନହୋଇ ଯଦି ବେମାରି ପ୍ରବଳ ହୁଏ ତେବେ ଡାକ୍ତରଙ୍କ ପରାମର୍ଶ ନେବାପାଇଁ ଏମ୍‌ସର ମୁଖ୍ୟ ଡଃ ଗୁଲେରିଆ କହିଛନ୍ତି। ଆଉ ଏକ ସମସ୍ୟା ହେଉଛି ଏ ବିଷୟର ହଜାରେ ଲୋକ ହଜାରେ କଥା କହୁଛନ୍ତି ଯଥା- ଉଷୁମ ପାଣିରେ ହଳଦୀ ପକେଇ ପିଅନ୍ତୁ କିମ୍ବା ତୁଳସୀ ପତ୍ର ଖାଆନ୍ତୁ, ଅମୁକ ହୋମିଓପାଥିକ ଔଷଧ ଖାଆନ୍ତୁ। ଯୋଗ ବ୍ୟାୟାମ କରନ୍ତୁ ଇତ୍ୟାଦିଇତ୍ୟାଦି। ଏ ସମସ୍ତ ଶରୀର ପାଇଁ ହିତକାରୀ ହୋଇପାରେ, କିନ୍ତୁ କରୋନାର ପ୍ରତିଷେଧକ କିମ୍ବା ଆରୋଗ୍ୟ କରିବାରେ ଦକ୍ଷ, ଏକଥା ଏ ପର୍ୟ୍ୟନ୍ତ ପ୍ରମାଣିତ ହୋଇପାରିନାହିଁ। ଏସବୁକୁ ଖାଇବାରେ ମନା ନାହିଁ, କିନ୍ତୁ ସଂପୂର୍ଣ୍ଣ ନିର୍ଭର କରିବାରେ ବିପଦର ସମ୍ଭାବନା ଅଛି। ଯଦିବା କରୋନା ଦ୍ବାରା ମୃତ୍ୟୁ ସଂଖ୍ୟା ସାରା ପୃଥିବୀରେ ୬୦୦କୋଟି ଲୋକଙ୍କ ମଧ୍ୟରୁ ଦଶହଜାର ମଧ୍ୟ ଟପି ନାହିଁ ତଥାପି ଆମମାନଙ୍କର ଭୟ କମିନାହିଁ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନେ ପ୍ରାଣପଣେ ଲାଗି ପଡ଼ିଛନ୍ତି।
ସଭାସମିତି, ହାଟ, ମଲ୍‌ ବନ୍ଦ୍‌ କରିଦିଆଗଲାଣି। ଡାକ୍ତରମାନେ ପାରୁପର୍ୟ୍ୟନ୍ତ ଚେଷ୍ଟା କରୁଛନ୍ତି। ବର୍ତ୍ତମାନ ହେଉଛି ସାମାଜିକ ଅନୁଷ୍ଠାନ ପାଇଁ ଏବେ ବିରାଟ ଆହ୍ବାନ। ପିପିଲି ପାଖ ଏକ ଗାଁରେ ମହିଳାମାନେ ଘରଘର ବୁଲି ସତର୍କତାର ବାର୍ତ୍ତା ଜଣେଇଛନ୍ତି। ସାମାଜିକ ଅନୁଷ୍ଠାନମାନେ ଚାହିଁଲେ ସମଗ୍ର ଦେଶରେ ଏହା କରିପାରିବେ। ସେଇଭଳି ଭୂମିକା ରାଜନୈତିକ ଦଳମାନେ ମଧ୍ୟ ନିଭାଇ ପାରନ୍ତି। ସରକାରଙ୍କୁ ଟେକା ମାରିବା ପରିବର୍ତ୍ତେ ନିଜ ନିର୍ବାଚନ ମଣ୍ଡଳୀର କରୋନା ବିଷୟରେ ସତର୍କତାର ବାର୍ତ୍ତା ଶୁଣାନ୍ତୁ। ଦେଶ ପାଇଁ ବିପତ୍ତି ସମସ୍ତଙ୍କ ପାଇଁ, ଏକଥା ଯଦି ବଡ଼ବଡ଼ ନେତାମାନେ ବୁଝିନପାରି ଟେକା ମାରିବାରେ ବ୍ୟସ୍ତ ରହନ୍ତି ତାହା ସବୁଠାରୁ ଦୁର୍ଭାଗ୍ୟଜନକ।

ବିପିନ ବିହାରୀ ମିଶ୍ର

Comments
Loading...