ଜୁନ୍ ଶେଷ ସୁଦ୍ଧା ୧୦ ହଜାର ଛୁଇଁବ ଓଡ଼ିଶାରେ ସଂକ୍ରମିତଙ୍କ ସଂଖ୍ୟା !

୪୧ ଦିନରେ ପହଞ୍ଚିଥିଲା ଶହେରେ; ୫୦୦ ଛୁଇଁଲା ୨ ମାସରେ । ପରବର୍ତୀ ୫୦୦ ମାତ୍ର ୮ ଦିନରେ

ଭୁବନେଶ୍ଵର: ମାର୍ଚ ୧୫ ତାରିଖରେ ରାଜ୍ୟରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଥିଲେ । ଏହାପରେ ଦ୍ରୁତଗତିରେ ମାଡ଼ି ଚାଲିଛି କରୋନା । ୨ ମାସରେ ରୋଗୀ ସଂଖ୍ୟା ୫୦୦ରେ ପହଞ୍ଚିଥିଲା। ମାତ୍ର ଏହାପରେ ଆଉ ୫୦୦ ସଂକ୍ରମିତ ଠାବ ହୋଇଥିଲେ ମାତ୍ର ୮ ଦିନରେ । ସଂକ୍ରମଣର ଏହି ଦୃତ ପ୍ରଗତି ରାଜ୍ୟରେ କୋକୁଆ ଭୟ ସୃଷ୍ଟି କରିଛି । ଅନ୍ୟପକ୍ଷରେ ରାଜ୍ୟ​‌ରେ ସଂକ୍ରମିତଙ୍କ ସଂଖ୍ୟା ୧୧ଶହ ଅତିକ୍ରମ କରି ସାରିଥିବାବେଳେ ଜୁନ୍ ମାସ ଶେଷ ସୁଦ୍ଧା ଏହି ସଂଖ୍ୟା ୧୦ ହଜାର ଛୁଇଁପାରେ ବୋଲି କିଛି ସ୍ବାସ୍ଥ୍ୟ ବିଶେଷଜ୍ଞ ଅନୁମାନ କରିଛନ୍ତି ।

୪୧ ଦିନ ପରେ ସଂକ୍ରମିତଙ୍କ ସଂଖ୍ୟା ୧୦୦ ଛୁଇଁଥିଲା । ତା ପର ୧୦୦ ଅତିକ୍ରମ କଲା ୧୧ ଦିନରେ। ହେଲେ ୩୦୦ ଶହ ଛୁଇଁବାକୁ ନେଲା ମାତ୍ର ୩ ଦିନ  । ୩୦୦ରୁ୪୦୦ ଛୁଇଁବାକୁ ୨ ଦିନ ଏବଂ ୫୦୦ ଓ ୬୦୦ ଛୁଇଁବାକୁ ଗୋଟିଏ ଗୋଟିଏ ଦିନ ନେଇଛି କରୋନା ଭୂତାଣୁ ।   ସେମିତି ୭୦୦ ଓ ୮୦୦ ଛୁଇଁବାକୁ ଲାଗିଛି ଗୋଟିଏ ଲେଖାଏଁ ଦିନ । ଏବେ ସଂକ୍ରମିତଙ୍କ ସଂଖ୍ୟା ୧୧୦୦ ଟପିଲାଣି । ପ୍ରବାସୀଙ୍କ ଆଗମନ ଓ  ଅଧିକ ସ୍ୱାବ ପରୀକ୍ଷା ଯୋଗୁଁ ଅଧିକ ରୋଗୀ ଚିହ୍ନଟ ହେବା ଅନୁମାନ କରାଯାଉଛି ।

ତେ​‌ବେ ଏଥିପାଇଁ ଆତଙ୍କିତ ନ ହେବା ନିମନ୍ତେରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ବୈଷୟିକ ମୁଖପାତ୍ର ଡାକ୍ତର ଜୟନ୍ତ ପଣ୍ଡା ଆଶ୍ଵାସନା ଦେଇଛନ୍ତି । ସେ କହିଛନ୍ତି ସଂକ୍ରମଣ ସଂଖ୍ୟା ବୃଦ୍ଧି ହେବା ପରେ ହିଁ ଗୋଷ୍ଠୀ ସଂକ୍ରମଣ ପ୍ରତିରୋଧ ଶକ୍ତି  ବଢ଼ି ପାରିବ କୌଣସି ଅଞ୍ଚଳରେ ଗୋଷ୍ଠୀ ପ୍ରତିରୋଧକ ଶକ୍ତି ଆସିବାକୁ ହେଲେ ସେଠାରେ ଦୁଇ ତୃତୀୟାଂଶଙ୍କୁ ସଂକ୍ରମଣ ହେବା ଦରକାର ବୋଲି ଡାକ୍ତର ପଣ୍ଡା କହିଛନ୍ତି । ସେଇଥିପାଇଁ ଅଧିକ ପରୀକ୍ଷା କରାଯାଉଛି ଓ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇ ପାରିଲେ ଯାଇ ସେମାନଙ୍କର ଚିକିତ୍ସା ସମ୍ଭବ ହୋଇ ପାରିବ ଓ ଗୋଷ୍ଠୀ ସଂକ୍ରମଣକୁ ରୋକାଯାଇ ପାରିବ । ଜୁନ୍ ସୁଦ୍ଧା ରାଜ୍ୟରେ ୧୦୦୦୦ କରୋନା ସଂକ୍ରମିତ ଚିହ୍ନଟ ହୋଇ ପାରନ୍ତି ବୋଲି ମଧ୍ୟ ସେ ପୂର୍ବାନୁମାନ କରିଛନ୍ତି ।

Comments are closed.