ଆଶା ଯେତିକି ଆଶଙ୍କା ସେତିକି: ୭ ଦିନରେ ୮୦୦ ମୃତ, ସୁସ୍ଥ ଅନୁପାତ ୨୯%ରୁ ଅଧିକ

ନୂଆଦିଲ୍ଲୀ: କୋବିଦ-୧୯କୁ ନେଇ ଦେଶରେ ଆଶା ଯେତିକି ଆଶଙ୍କା ବି ସେତିକି । ଦେଶରେ ସଂକ୍ରମିତଙ୍କ ମଧ୍ୟରୁ ସୁସ୍ଥ ହେଉଥିବା ଲୋକଙ୍କ ସଂଖ୍ୟା ଯେତିକି ବଢ଼ୁଛି, ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ସେତିକି ବଢ଼ୁଛି । ସଂକ୍ରମିତଙ୍କ ମଧ୍ୟରୁ ପ୍ରତି ୩ ଜଣରୁ ଜଣେ ସୁସ୍ଥ ହେଉଛନ୍ତି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ କହଛନ୍ତି । ଅପରପକ୍ଷରେ ଗତ ୩୦ ଏପ୍ରିଲରେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୩୩ ହଜାର ପାଖାପାଖି ଥିବାବେଳେ ମଇ ମାସର ପ୍ରଥମ ୭ ଦିନରେ ଏହି ସଂଖ୍ୟା ୨୩ ହଜାର ବୃଦ୍ଧି ପାଇ ୫୬ ହଜାରରେ ପହଞ୍ଚିବା ଚିନ୍ତାର କାରଣ ହୋଇଛି । ଅନୁରୂପ ଭାବରେ ୩୦ ଏପ୍ରିଲରେ ୧୦୭୫ ଜଣଙ୍କର ମୃତ୍ୟୁ ହୋଇଥିଲା, ଯାହା ବର୍ତ୍ତମାନ ଦୁଇଗୁଣ ପାଖାପାଖି ପହଞ୍ଚି ଲାଣି । ଅର୍ଥାତ୍ ଗତ ୭ ଦିନରେ ୮୦୦ ଲୋକ ପ୍ରାଣ ହରାଇଛନ୍ତି ।

କରୋନା ସଂକ୍ରାନ୍ତ ନିଜ ଦୈନିକ ସୂଚନାରେ ଶ୍ରୀ ଅଗ୍ରୱାଲ ଗତ ୨୪ ଘଣ୍ଟାରେ ୩୩୯୦ ନୂଆ ସଂକ୍ରମଣ ସୂଚନା ମିଳିଥିବା କହିଛନ୍ତି । ସେ କହିଛନ୍ତି ଯେ ଦେଶର ୨୧୬ ଜିଲ୍ଲାରେ ଏ ପର୍ଯ୍ୟନ୍ତ କରୋନା ଛୁଇଁନି । ଏହି ଜିଲ୍ଲାଗୁଡିକରୁ ଗୋଟିଏ ବି କରୋନା କେସ୍ ଆସିନାହିଁ । ଅନ୍ୟପଟେ ଗତ ୨୮ ଦିନ ହେବ ୪୨ ଜିଲ୍ଲାରେ, ୨୧ ଦିନ ହେବ ୨୯ ଜିଲ୍ଲାରେ, ୧୪ ଦିନ ହେବ ୪୬ ଜିଲ୍ଲାରେ କରୋନା ସଂକ୍ରମିତ କେସ୍‌ ସାମ୍ନାକୁ ଆସିନି। ସମଗ୍ର ଦେଶରେ ଅଦ୍ୟାବଧି ୧୬୫୪୦ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ୩୭,୯୧୬ ସଂକ୍ରମିତ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ବୋଲି ସେ କହିଛନ୍ତି ।

ଗତ ୨୪ ଘଣ୍ଟାରେ ୩୩୯୦ ନୂତନ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୨୭୩ ଜଣ ସୁସ୍ଥ ହୋଇଛନ୍ତି। ସେ କହିଛନ୍ତି ସଂକ୍ରମିତଙ୍କ ସୁସ୍ଥ ହେବା ହାର ବଢିବାରେ ଲାଗିଛି। ରେଳବାଇ ୫୨୩୧ ରେଳ ଡବାକୁ କୋଭିଡ୍ କେୟାର କେନ୍ଦ୍ରରେ ପରିବର୍ତ୍ତିତ କରିଛି। ଏହାକୁ ୨୧୫ଟି ନିର୍ବାଚିତ ଷ୍ଟେସନରେ ରଖାଯିବ । ୨୧୫ ଷ୍ଟେସନରୁ ​ରେଳବାଇ ୮୫ ଟିରେ ସ୍ବାସ୍ଥ୍ୟ କର୍ମୀଙ୍କୁ ନିଯୁକ୍ତି ଦେଇଛି । ଅବଶିଷ୍ଟ ଷ୍ଟେସନଗୁଡ଼ିକରେ ସମ୍ପୃକ୍ତ ରାଜ୍ୟର ସରକାର କର୍ମଚାରୀ ଓ ଔଷଧ ଯୋଗାଇ ଦେବେ ।

Comments are closed.