ଅକ୍ଟୋବରରେ ତୃତୀୟ ଲହର; ବର୍ଷେ ରହିବ ଭୟ

ବେଙ୍ଗାଲୁରୁ: ଆସନ୍ତା ଅକ୍ଟୋବରରେ ଭାରତରେ କରୋନା ଭୂତାଣୁ ସଂକ୍ରମଣର ତୃତୀୟ ଲହର ଆସିବ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ସତର୍କ କରାଇଛନ୍ତି। ଅନ୍ୟ ଦୁଇଟି ଲହର ତୁଳନାରେ ତୃତୀୟ ଲହରକୁ ମୁକାବିଲା କରିବା ସହଜ ହେବ; ମାତ୍ର ଏହି ଲହର ଦେଶ ପାଇଁ ଆଉ ଏକ ସ୍ବାସ୍ଥ୍ୟ ସଙ୍କଟ ଆଣିବାକୁ ଯାଉଛି। ରଏଟର୍ସ ପକ୍ଷରୁ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତାମତ ନିଆଯାଇଥିବାବେଳେ ସେମାନେ କହିଥିଲେ ଯେ ଟିକାକରଣ ଦ୍ବାରା କରୋନାର ତୃତୀୟ ଲହରକୁ ବହୁଳ ମାତ୍ରାରେ ପ୍ରତିରୋଧ କରାଯାଇପାରିବ।

ବିଶ୍ବର ପ୍ରାୟ ୪୦ଜଣ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତାମତ ନିଆଯାଇଥିବାବେଳେ ୮୫% କହିଥିଲେ ଯେ ଅକ୍ଟୋବରରେ ଭାରତରେ ତୃତୀୟ ଲହର ଆସିବ। ୩ଜଣ ବିଶେଷଜ୍ଞ କହିଥିଲେ ଅଗଷ୍ଟରେ ଓ ୧୨ ଜଣ ବିଶେଷଜ୍ଞ କହିଥିଲେ ଯେ ସେପ୍ଟେମ୍ବରରେ ତୃତୀୟ ଲହର ଆସିବ। ୭୦% ବିଶେଷଜ୍ଞ କହିଥିଲେ ଯେ ତୃତୀୟ ଲହରକୁ ନିୟନ୍ତ୍ରଣ କରିବା ବର୍ତ୍ତମାନ ଅପେକ୍ଷା ସହଜ ହେବ। ଦିଲ୍ଲୀ ଏମ୍ସ ନିର୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ କହିଛନ୍ତି ଯେ ଦେଶରେ ଅଧିକରୁ ଅଧିକ ଟିକାକରଣ କରାଯାଉଛି। ଏହାଦ୍ବାରା କମ୍ ବ୍ୟକ୍ତି ସଂକ୍ରମିତ ହେବେ। ଏହା ସହିତ ଦ୍ବିତୀୟ ଲହର ଯୋଗୁଁ ଲୋକଙ୍କ ଠାରେ ପ୍ରାକୃତିକ ଉପାୟରେ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବ।

Comments are closed.