ଏମକେସିଜି ମେଡ଼ିକାଲ କଲେଜ୍ ଓ ଭିମସାରରେ କରୋନା ପରୀକ୍ଷା କେନ୍ଦ୍ର ପାଇଁ ଦାବି : କେନ୍ଦ୍ରକୁ ପତ୍ର ଲେଖିଲା ରାଜ୍ୟ

ଭୁବନେଶ୍ବର : ସରକାର ରାଜ୍ୟରେ କରୋନା ଭୂତାଣୁ ସଂକ୍ରମଣ କୋଭିଡ଼-୧୯ ପ୍ରତିରୋଧ କ୍ଷେତ୍ରରେ ସମସ୍ତ ପ୍ରକାର ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରିଥିବା ବେଳେ କେନ୍ଦ୍ର ସରକାର ନିୟମିତ ଭାବରେ ଭିଡ଼ିଓ କନଫରେନ୍ସିଂରେ ରାଜ୍ୟ ସରକାରଙ୍କ ସହ ଯୋଗାଯୋଗରେ ଅଛନ୍ତି ଓ ଆବଶ୍ୟକୀୟ ପରାମର୍ଶ ଦେଉଛନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦକ୍ଷ ନେତୃତ୍ବରେ ସରକାର କୋଭିଡ଼-୧୯ ସଂକ୍ରମଣର ପ୍ରତଶୋଧ ପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି।

ରାଜ୍ୟ ସରକାର ସମସ୍ତ ସରକାରୀ ଓ ଘରୋଇ ହସ୍ପିଟାଲମାନଙ୍କରେ କୋଭିଡ଼-୧୯ର ଚିକିତ୍ସା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରିଛନ୍ତି। ଅନ୍ୟପକ୍ଷରେ କେନ୍ଦ୍ରୀୟ ସରକାରୀ ଉଦ୍ୟୋଗ ଅଧିନରେ ଆସୁଥିବା ଇଏସଆଇ, ନାଲକୋ, ଏମସିଏଲ ସହିତ ଭୁବନେଶ୍ବର ସ୍ଥିତ ଏମସକୁ କୋଭିଡ଼-୧୯ର ଚିକିତ୍ସା କ୍ଷେତ୍ରରେ ସମସ୍ତ ସୁବିଧା ଯୋଗାଇଦେବା ପାଇଁ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନବକିଶୋର ଦାସ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନଙ୍କୁ ଚିଠି ଲେଖି ଜଣାଇଛନ୍ତି।

ଏହି ଚିଠିରେ କେନ୍ଦ୍ର ସରକାର ଭୁବନେଶ୍ବରର ଆରଏମଆରସି, ଏମସ୍ ସହ କଟକର ଏସସିବି ମେଡ଼ିକାଲ କଲେଜ ଓ ହସ୍ପିଟାଲରେ କୋଭିଡ଼-୧୯ ପରୀକ୍ଷା କେନ୍ଦ୍ରର ବ୍ୟବସ୍ଥା ସଂପ୍ରସାରଣ କରିଥିବାରୁ ମନ୍ତ୍ରୀ ଶ୍ରୀ ଦାସ ଧନ୍ୟବାଦ ପ୍ରଦାନ କରିଛନ୍ତି। ତେବେ ଭୁବନେଶ୍ବର ଓ କଟକରେ କୋଭିଡ଼-୧୯ର ପରୀକ୍ଷା ସୀମିତ ଥିବାରୁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ତଥା ଦୂରଦୂରାନ୍ତ ଅଞ୍ଚଳ ଜନସାଧାରଣ ଏହି ପରୀକ୍ଷା ସୁବିଧାରୁ ବଞ୍ଚିତ ହେଉଛନ୍ତି।

ଏହି ଅସୁବିଧାକୁ ଦୃଷ୍ଟିରେ ରଖି ମନ୍ତ୍ରୀ ଶ୍ରୀ ଦାସ ଅନୁରୋଧ କରିଛନ୍ତି କି, କୋଭିଡ଼-୧୯ ପରୀକ୍ଷା ସୁବିଧା ବ୍ରହ୍ମପୁର ଏମକେସିଜି ମେଡ଼ିକାଲ କଲେଜ ଓ ବୁର୍ଲାର ଭିମସାର ପାଇଁ ବ୍ୟବସ୍ଥା କଲେ ସାରା ରାଜ୍ୟର ଜନସାଧାରଣ ଉପକୃତ ହୋଇପାରିବେ। ଏହାସହିତ ଭେଣ୍ଟିଲେଟର, ପିପିଇ, ମାସ୍କ ଓ ସାନିଟାଇଜର ଭଳି ସାମଗ୍ରୀର ଅତ୍ୟନ୍ତ ଆବଶ୍ୟକତା ରହିଛି। ଏସବୁ ଯୋଗାଇଦେଲେ ରାଜ୍ୟର ସମସ୍ତ ଜିଲା ମୁଖ୍ୟ ଚିକିତ୍ସାଳୟ, ଆରଜିଏଚ୍ ରାଉରକେଲା ହସ୍ପିଟାଲରେ ରୋଗୀ ସେବା ଓ ଚିକିତ୍ସାରେ ସହାୟକ ହୋଇପାରିବ।

Comments are closed.