ଆଗକୁ ପାର୍ବଣ; ବଢ଼ିବ ସଂକ୍ରମଣ

ଦ୍ବିତୀୟ ସେରୋ ସର୍ଭେ ରିପୋର୍ଟରେ ଆଇସିଏମ୍‌ଆରର ସତର୍କତା

ନୂଆଦିଲ୍ଲୀ : ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମ୍‌ଆର) ଦ୍ବାରା କରାଯାଇଥିବା ଦ୍ବିତୀୟ ପର୍ଯ୍ୟାୟର ସେରୋ ସର୍ଭେ ରିପୋର୍ଟ ଆସିଛି। ପ୍ରଥମ ରିପୋର୍ଟ ମେ ମାସରେ ଆସିଥିଲାବେଳେ ଦ୍ବିତୀୟ ରିପୋର୍ଟ ଅଗଷ୍ଟର କରୋନା ସଂକ୍ରମଣ ସ୍ଥିତିକୁ ଦର୍ଶାଇଛି। ଦ୍ବିତୀୟ ରିପୋର୍ଟ ଅନୁଯାୟୀ, ଚଳିତ ବର୍ଷ ଅଗଷ୍ଟ ସୁଦ୍ଧା ଭାରତର ପ୍ରତି ୧୫ ଜଣଙ୍କ ମଧ୍ୟରୁ ଜଣେ କରୋନା ସଂସ୍ପର୍ଶରେ ଆସିଛନ୍ତି। ଏମାନଙ୍କ ବୟସ ୧୦ ବର୍ଷରୁ ଅଧିକ ରହିଛି। ଏ​‌େ​‌ବ ବି ବହୁ ସଂଖ୍ୟାରେ ଲୋକ ଏହି ମହାମାରୀରେ ସଂକ୍ରମିତ ହେବାର ଆଶଙ୍କା ରହିଛି। ତେଣୁ ସେମାନଙ୍କୁ ସୁରକ୍ଷିତ ରଖିବା ଲାଗି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କେତେକ ପଦକ୍ଷେପ ଗ୍ରହଣ କରିବାକୁ ନୀତିଗତ ନିଷ୍ପତ୍ତି ନେଇଛି। ସଂପ୍ରତି କରୋନା ଭୂତାଣୁ ଦ୍ବାରା ସଂକ୍ରମିତ ହେବା ପରେ ଦେଶରେ ଏବେ ୫୧ ଲକ୍ଷ ଲୋକ ଆରୋଗ୍ୟ ଲାଭ କରିସାରିଛନ୍ତି।
ଦ୍ବିତୀୟ ସେରୋ ସର୍ଭେ ରିପୋର୍ଟ ସଂପର୍କରେ ସୂଚନା ଦେଇ ଆଇସିଏମ୍ଆର ମହାନିର୍ଦ୍ଦେଶକ ବଳରାମ ଭାର୍ଗବ କହିଛନ୍ତି ଯେ, ୧୦ ବର୍ଷରୁ ଅଧିକ ବୟସର ୧୫ ଜଣ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ଅଗଷ୍ଟ ସୁଦ୍ଧା କରୋନା ସଂସ୍ପର୍ଶରେ ଆସିଛନ୍ତି। ରିପୋର୍ଟ ଅନୁଯାୟୀ, ଏହି ସମୟ ମଧ୍ୟରେ ଦେଶର ଗ୍ରାମାଞ୍ଚଳ ତୁଳନାରେ ସହରାଞ୍ଚଳର ବସ୍ତି ଏବଂ ସହରାଞ୍ଚଳ ଅଣ-ବସ୍ତି ଅଞ୍ଚଳରେ କରୋନା ସଂକ୍ରମଣର ମାତ୍ରା ଅଧିକ ରହିଥିଲା। ଅଗଷ୍ଟ ୧୭ରୁ ସେପ୍ଟେମ୍ବର ୨୨ ତାରିଖ ମଧ୍ୟରେ ୨୯,୦୮୨ ଜଣ ଲୋକଙ୍କୁ ନେଇ ଏହି ସର୍ଭେ କରାଯାଇଥିଲା। ଏଥିରୁ ୬.୬ ପ୍ରତିଶତ କରୋନା ସଂକ୍ରମିତ ହୋଇସାରିଥିବା ଜଣାପଡିଛି। ମେ ମାସ ତୁଳନାରେ ଅଗଷ୍ଟରେ ସଂକ୍ରମଣ ହାର କମ୍‌ ରହିଥିବା ଜଣାପଡିଛି। ତେବେ ଅଧିକ ମାତ୍ରାରେ ପରୀକ୍ଷା ଓ ଚିହ୍ନଟ ହେବା ଯୋଗୁଁ ଏଭଳି ହୋଇଛି। ୭.୧ ପ୍ରତିଶତ ପ୍ରୌଢ ଲୋକଙ୍କ କରୋନାରେ ସଂକ୍ରମିତ ହୋଇଛନ୍ତି। ଆଗକୁ ପାର୍ବଣ ଓ ଶୀତ ଋତୁ ଆସୁଛି। ପାର୍ବଣରେ ଜନଗହଳି ବଢିବା ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରମାନେ ଅଧିକ ସତର୍କ ରହିବେ। ଗୋଷ୍ଠୀ ସଂକ୍ରମଣ ରୋକିବାକୁ କୌଶଳାତ୍ମକ ରଣନୀତି ଆପଣାଇବାକୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ନିର୍ଦେଶ ଦେଇଛନ୍ତି। ଏହି ସେରୋ ସର୍ଭେ ୨୧ଟି ରାଜ୍ୟର ୭୦ଟି ଜିଲାର ୭୦୦ଟି ଗାଁ, ୱାର୍ଡ(ସହରାଞ୍ଚଳ)ରେ କରାଯାଇଥିଲା। ମେ ମାସର ପ୍ରଥମ ସେରୋ ସର୍ଭେ ମଧ୍ୟ ଏହି ସବୁ ଅଞ୍ଚଳରେ କରାଯାଇଥିଲା।
ଶ୍ରୀ ଭାର୍ଗବ କହିଛନ୍ତି ଯେ, ଜନସଂଖ୍ୟାର ଏକ ବଡ଼ ଅଂଶ ଏପର୍ଯ୍ୟନ୍ତ ସଂକ୍ରମିତ ହୋଇନଥିବାରୁ ସେମାନଙ୍କୁ ସୁରକ୍ଷିତ ରଖିବା ଲାଗି ୫-ଟି ରଣନୀତି ପାଳନ କରାଯିବ। ଏହି ୫-ଟି ହେଉଛି ଟେଷ୍ଟିଂ, ଟ୍ରାକିଂ, ଟ୍ରେସିଂ, ଟ୍ରିଟ୍‌ମେଣ୍ଟ ଓ ଟୋକ୍ନୋଲୋଜିର ଉପଯୋଗ କରି କରୋନା ସଂକ୍ରମଣ ରୋକିବାକୁ ପ୍ରୟାସ କରାଯାଉଛି। ନିତି ଆୟୋଗ ସଦସ୍ୟ ଡଃ ଭି.କେ.ପଲ କହିଛନ୍ତି ଯେ ଆମ ସମସ୍ତଙ୍କୁ ନିଶ୍ଚିତ ଭାବେ ମାସ୍କ, ସାମାଜିକ ଦୂରତା ଓ ସାନିଟାଇଜର ବ୍ୟବହାର କରି ପର୍ବ’ ପାଳନ କରିବାକୁ ପଡିବ।

Comments are closed.