କରୋନା ସଙ୍କଟ : ଟିକସ ସଂଗ୍ରହ ୨୨.୫% ଖସିଲା

ନୂଆଦିଲ୍ଲୀ : କରୋନା ମହାମାରୀର ବଡ ପ୍ରଭାବ ଦେଶର ଅର୍ଥନୀତି ଉପରେ ପଡିଥିବାବେଳେ ଏବେ ଟିକସ ରାଜସ୍ବ ସଂଗ୍ରହ ଉପରେ ଏହା ଅନୁଭୂତ ହୋଇଛି। କାରଣ ଚଳିତ ଆର୍ଥିକବର୍ଷର ଦ୍ବିତୀୟ ତ୍ରୈମାସରେ ଟିକସ ସଂଗ୍ରହରେ ବୃହତ୍‌ ହ୍ରାସ ଘଟିଛି। ଆୟକର ବିଭାଗ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଚଳିତମାସ ୧୫ ସୁଦ୍ଧା ​ମୋଟ ଟିକସ ସଂଗ୍ରହରେ ୨୨.୫% ହ୍ରାସ ଘଟି ୨,୫୩,୫୩୨.୩ କୋଟି ଟଙ୍କାରେ ପହଞ୍ଚିଛି । ଅନ୍ୟପକ୍ଷରେ ୨୦୧୯ ସେପ୍ଟେମ୍ବର ୧୫ ସୁଦ୍ଧା ୩,୨୭,୩୨୦.୨ ​କୋଟି ଟଙ୍କାର ଆୟକର ସଂଗୃହୀତ ହୋଇଥିଲା। ଏହା ଫଳରେ ସ୍ପଷ୍ଟ ହୋଇଯାଇଛି ଯେ, ଗତବର୍ଷର ସେପ୍ଟେମ୍ବର ୧୫ ତୁଳନାରେ ଚଳିତବର୍ଷ ଏହି ସମୟ ସୁଦ୍ଧା କରୋନା ମହାମାରୀ ଯୋଗୁ ଲାଗୁ କରାଯାଇଥିବା ଲକ୍‌ଡାଉନ୍‌ ପ୍ରଭାବରେ ଦେଶରେ ଦ୍ବିତୀୟ ତ୍ରୈମାସରେ ଆୟକର ସଂଗ୍ରହରେ ଏଭଳି ହ୍ରାସ ଘଟିଛି ।​‌​‌ ତେବେ ଏହି ତଥ୍ୟ ଆୟକର ବିଭାଗର ମୁମ୍ବଇ ଜୋନ୍‌ରୁ ମିଳିଛି । ଚଳିତ ଆର୍ଥିକବର୍ଷର ଜୁନ୍‌ରେ ଶେଷ ହୋଇଥିବା ପ୍ରଥମ ତ୍ରୈମାସରେ ମୋଟ ଟିକସ ସଂଗ୍ରହରେ ୩୧% ହ୍ରାସ ଘଟିଥିଲା । ଏହି ସମୟରେ ଅଗ୍ରିମ ଟିକସ ସଂଗ୍ରହରେ ମଧ୍ୟ ୭୬% ବୃହତ୍‌ ହ୍ରାସ ପରିଲକ୍ଷିତ ହୋଇଛି ।

Comments are closed.