ଋତୁ ପରିବର୍ତ୍ତନ ସହ ଫେରିପାରେ କରୋନା

ୱାଶିଂଟନ: ସମ୍ପୂର୍ଣ୍ଣ ପୃଥିବୀକୁ ସଂକ୍ରମିତ କରିଥିବା କରୋନା ଭୂତାଣୁ ସମ୍ପ୍ରତି ଦକ୍ଷିଣ ଆଫ୍ରିକା ଏବଂ ଦକ୍ଷିଣ ଗୋଲାର୍ଦ୍ଧ ଅନ୍ତର୍ଗତ ରାଷ୍ଟ୍ରଗୁଡିକରେ ଏହାର କାୟା ବିସ୍ତାର କରୁଛି। ଏହି ଅଞ୍ଚଳରେ ସମ୍ପ୍ରତି ଶୀତ ଋତୁ ପ୍ରବେଶ କରୁଥିବା ବେଳେ ଯଦି କରୋନାର ଭୟାବହତା ପରିଲକ୍ଷିତ ହୁଏ ତା’ହେଲେ ଏହି ସଂକ୍ରମଣ ଋତୁ ପରିବର୍ତନ ସହିତ ପୁନଃ ଫେରିବାର ଆଶଙ୍କାକୁ ଏଡାଇ ଦିଆଯାଇ ନ ପାରେ। ସମ୍ପ୍ରତି ଜାତୀୟ ସ୍ୱାସ୍ଥ୍ୟ ପ୍ରତିଷ୍ଠାନଠାରେ ସଂକ୍ରାମକ ରୋଗ ସମ୍ବନ୍ଧରେ ଗବେଷଣା ଚଳାଇଥିବା ଆମେରିକାର ପ୍ରମୁଖ ବୈଜ୍ଞାନିକ ଆନ୍ଥୋନୀ ଫୁସି ଏହି ଆଶଙ୍କା ବ୍ୟକ୍ତ କରିଛନ୍ତି। କରୋନା ସଂକ୍ରମଣର ଉପଚାର ଲାଗି ଯଥାଶୀଘ୍ର ଔଷଧ ପ୍ରସ୍ତୁତି କରିବା ସହିତ ପରୀକ୍ଷାନିରୀକ୍ଷା କାର୍ଯ୍ୟ ତୁରନ୍ତ ଶେଷ କରାଯିବା ଦରକାର। ଯାହାଦ୍ୱାରା ଦ୍ୱିତୀୟଥର କରୋନା ଭୟାବହତା ସୃଷ୍ଟି ହେଲେ ତାହାର ନିରାକରଣ ସମ୍ଭବ ହୋଇପାରିବ ବୋଲି ସେ ଦର୍ଶାଇଛନ୍ତି। ଇତିମଧ୍ୟରେ କରୋନା ଉପଚାର ଲାଗି ମାନବ ଶରୀରରେ ଦୁଇଟି ଔଷଧର ପରୀକ୍ଷା କରାଯାଇଛି। ଏଥିମଧ୍ୟରୁ ଗୋଟିଏ ଆମେରିକା ଏବଂ ଅନ୍ୟଟି ଚୀନ ବିକଶିତ କରିଛି। ଏଗୁଡିକ ଏକରୁ ଦେଢ ବର୍ଷ ମଧ୍ୟରେ ବ୍ୟବହାର ଯୋଗ୍ୟ ହୋଇପାରିବାର ସମ୍ଭବନା ରହିଛି। ଯଦିଓ ଏବେ କରୋନା ମୁକାବିଲା କରିବାରେ ମାନବସମାଜ ସକ୍ଷମ ହୋଇପାରିବ ତଥାପି ଦ୍ୱିତୀୟ ଥର ପାଇଁ ଆମକୁ ପ୍ରସ୍ତୁତ ରହିବାକୁ ହେବ ବୋଲି ଫୁସି ସତର୍କ କରାଇଛନ୍ତି। ଚୀନର ଏକ ସର୍ଭେ ଆଧାରରେ ଏହାର କାରଣ ଦର୍ଶାଇ ସେ କହିଛନ୍ତି କରୋନା ଭୂତାଣୁ ଗରମ ଓ ଆର୍ଦ୍ର ପରିବେଶ ତୁଳନାରେ ଥଣ୍ଡା ଅଞ୍ଚଳରେ ବେଶୀ ବ୍ୟାପିଥାଏ। ଥଣ୍ଡା ପାଗରେ ଶ୍ୱାସନଳୀରୁ ନିର୍ଗତ ଜଳକଣିକା ଅଧିକ ସମୟ ବାୟୁମଣ୍ଡଳରେ ରହିପାରେ। ଥଣ୍ଡା ପାଗରେ ପ୍ରତିଷେଧକ ଶକ୍ତି ମଧ୍ୟ ହ୍ରାସ ପାଇଥାଏ। ଏହି ତଥ୍ୟ ଉପରେ ଅଧିକ ଗବେଷଣାର ଆବଶ୍ୟକତା ରହିଛି ବୋଲି ସେ ଦର୍ଶାଇଛନ୍ତି।

Comments are closed.