ସାହିତ୍ୟ ଜଗତରେ କରୋନା ମାଡ଼

ସଙ୍କଟରେ ପତ୍ରପତ୍ରିକା, ମୁଦ୍ରଣ ଶିଳ୍ପ - ହାତବାନ୍ଧି ବସିଛନ୍ତି ପ୍ରକାଶକ

ଉତ୍ତରଭୁବନେଶ୍ୱର : ମହାମାରୀ କରୋନା କାୟା ବିସ୍ତାର କରି ସବୁ କ୍ଷେତ୍ରକୁ ପ୍ରଭାବିତ କରିଥିବା ବେଳେ ମଧ୍ୟମ ଶିଳ୍ପ କୁହାଯାଉଥିବା ସାହିତ୍ୟ ଓ ପତ୍ରପତ୍ରିକା ଏଥିରେ ବହୁ ପରିମାଣ​‌େ​‌ର ପ୍ରଭାବିତ ହୋଇଥିବା ଅଭିଯୋଗ ହୋଇଛି। ଏହି ଶିଳ୍ପ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ବେଳେ ବିଭିନ୍ନ ପ୍ରକାଶକ, ପ୍ରେସ୍‍, ସାହିତ୍ୟ, ଓ ପତ୍ର ପତ୍ରିକା ଅବସ୍ଥା ଦୟନୀୟ ହୋଇ ପଡ଼ିଛି। ପୂର୍ବରୁ ଯେପରି ଏ କ୍ଷେତ୍ରରେ ସ୍ୱତନ୍ତ୍ର ଚାହିଦା ଓ ବ୍ୟବସାୟ ଚାଲିଥିଲା ଗତ ମାର୍ଚ୍ଚ ମାସରୁ ଏଥିରେ କରୋନା ବାଧକ ସାଜିଛି। କହିବାକୁ ଗଲେ ଛାପାଖାନାଠାରୁ ଆରମ୍ଭ କରି ପାଠକଙ୍କ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ କରୋନା ପ୍ରଭାବ ବାରି ହୋଇ ପଡୁଛି। ସବୁଠି ବ୍ୟବସାୟ ମାନ୍ଦା। ପ୍ରକାଶନ ସଂସ୍ଥା ଧୀମେଇ ଯାଇଛି। ଗ୍ରାହକ-ପାଠକଙ୍କ ମନରେ ଆନନ୍ଦ କି ଆଗ୍ରହ ନଥିବା ପରି ଜଣାପଡୁଛି। ଏଭଳି ସମୟରେ ଏହି ଶିଳ୍ପକୁ କିପରି ବଞ୍ଚାଇ ରଖାଯାଇ ପାରିବ ସେଥିପାଇଁ ଚିନ୍ତା ପ୍ରକଟ ହୋଇଛି। ଅନ୍ୟପକ୍ଷରେ କିଛି ସାରସ୍ବତ ସଂଗଠନ ବୈଷୟିକ କୌଶଳ ଆପଣାଇ ସାହିତ୍ୟକୁ ବଞ୍ଚାଇ ରଖିବାର ଉଦ୍ୟମ କରୁଛନ୍ତି।
ଡ. ପ୍ରତିଭା ରାୟ (ସାହିତ୍ୟିକ): ଏହି ମଧ୍ୟମ ଶିଳ୍ପକୁ ବଞ୍ଚାଇବାକୁ ହେଲେ ଲେଖକ କରୋନାକୁ ଖାତିର ନକରି ଲେଖି ଚାଲିବେ ଏବଂ ପାଠକ ଏହାକୁ ପଢ଼ି ଚାଲିବେ। ସାହିତ୍ୟ, ପତ୍ର ପତ୍ରିକା ଆଜି ବନ୍ଦ ହୋଇ ଯାଇଛି କାଲି ଖୋଲିବ କିନ୍ତୁ ଲେଖା ନଥିଲେ କେଉଁଠୁ ଖୋଲିବ। ସେଥିପାଇଁ ଘରେ ବନ୍ଦୀ ହୋଇ ରହି ଘର କାମ କରିବା ସହ ଗତ ୬ମାସ ହେଲା ଲେଖା ଜାରି ରଖିଛି। ୨ଟି ସମ୍ବେଦନଶୀଳ ଗଳ୍ପ କରୋନା ଉପରେ ଲେଖିଛି। କେବଳ କରୋନା ଉପରେ ନୁହେଁ ଅନ୍ୟ ଉପରେ ବି ଲେଖୁଛି। ମୋର ଲେଖାଗୁଡ଼ିକ ପୂଜା ସଂଖ୍ୟାରେ ପ୍ରକାଶ ପାଇବା ଲକ୍ଷ୍ୟ ରଖିଛି।
ହରପ୍ରସାଦ ଦାସ(ସାହିତ୍ୟିକ): ଦୈବୀ ଦୁର୍ବିପାକ ସମୟରେ ସୃଜନଶୀଳତାର ଅଧିକ ବୃଦ୍ଧି ହୋଇଥାଏ। ଏହାର ପରିଣତି ଭବିଷ୍ୟତରେ ଦେଖିବାକୁ ମିଳିବ। ଯେତେବେଳେ ସାହିତ୍ୟ ଓ ପତ୍ର ପତ୍ରିକା ଭବିଷ୍ୟତରେ ପୁଣି ମୁଣ୍ଡ ଟେକିବେ। କରୋନା ମୁକାବିଲାର ଏକମାତ୍ର ଉପାୟ ହେଉଛି ମନୋବଳ। ଏହାର ପୂର୍ଣ୍ଣ ପ୍ରତିକାର ବିକଶିତ ହୋଇ ଆସିନାହଁ। ସମୟ ଲାଗିବ। କେବଳ ସରକାର ଯାହା ପରାମର୍ଶ ଦେଉଛନ୍ତି ସେହି ଅନୁସାରେ ରହି ଏହି ଶିଳ୍ପକୁ ବଞ୍ଚାଇ ରଖିବାକୁ ପଡ଼ିବ। ଅର୍ଥ ସଙ୍କଟ ପାଇଁ ଶିଳ୍ପରେ ଯଦି କର୍ମଚାରୀ ଛଟେଇ ହେଉଥିବେ ସେହି ସମୟରେ ସରକାରଙ୍କ କିଛି ହସ୍ତକ୍ଷେପ ଆଶା କରାଯାଇ ପାରେ।
ଇତି ସାମନ୍ତ(ସମ୍ପାଦିକା): ପ୍ରିଣ୍ଟ ମିଡ଼ିଆ ଓ ପତ୍ରିକା ଉପରେ କରୋନା ମାଡ଼ ଚଡ଼କ ସଦୃଶ ହୋଇଛି। ବର୍ତ୍ତମାନ ସ୍ଥିତିରେ ଏହାକୁ ବଞ୍ଚାଇ ରଖିବା ପାଇଁ ଅହରହ କଷ୍ଟ କରିବାକୁ ପଡୁଛି। ସାହିତ୍ୟ ଓ ବିଜ୍ଞାପନକୁ ଛାଡ଼ି ବିକ୍ରି ହେଉଛି ଅନ୍ୟ ଏକ ମୁଖ୍ୟ ଆଧାର। ବର୍ତ୍ତମାନ ସ୍ଥିତିରେ ପତ୍ରିକାକୁ ସବୁଠି ପହଞ୍ଚାଇବା ମଧ୍ୟ କଷ୍ଟ ଦାୟକ ହୋଇଛି। ତେବେ ନିଜ ଭାଷାକୁ ପ୍ରାଧାନ୍ୟ ଦେଇ ଯଦି ଆମ ଭାଷାରେ ଏକ ପତ୍ରିକା କିଣି ପଢ଼ିବା ଏଥିରେ ସମ୍ମାନର ସହ ଭାଷା ବଞ୍ଚିବ।
ରମାକାନ୍ତ ମିଶ୍ର(ପ୍ରକାଶକ): ମଧ୍ୟମ ଶିଳ୍ପର ଅବସ୍ଥା ଅତ୍ୟନ୍ତ ଭୟଙ୍କର ହୋଇଛି। ସରକାରଙ୍କ ପ୍ରୋତ୍ସାହନ ଦରକାର। ପୂର୍ବରୁ ଯେତିକି ସଂଖ୍ୟା​‌େ​‌ର ପୁସ୍ତକ, ପତ୍ରିକା ଏବଂ ଅନ୍ୟାନ୍ୟ ବହି ପ୍ରକାଶ ପାଉଥିଲା ଏବେ ତା’ର ୬୦ରୁ ୭୦ ଭାଗ ହ୍ରାସ ପାଇଛି। ସେପରି ଅର୍ଡର ବି ଆସୁନି। ତେବେ ପତ୍ରପତ୍ରିକା ସମ୍ପୂର୍ଣ୍ଣ କ୍ଷତିରେ ଚାଲିଥିବାରୁ ଆମକୁ କଷ୍ଟ ଦେଇଛି।
ନିମାଇଁ ଚରଣ ଦାସ(ପ୍ରେସ୍‌ ମାଲିକ): ବର୍ତ୍ତମାନ ଅବସ୍ଥା ଏପରି ହୋଇଛି ଦରମା ଦେବାକୁ ଅର୍ଥ ନାହିଁ। ଅସୁବିଧା କହି ହେଉନି। କରୋନା ପ୍ରଭାବ ଏପରି ପଡ଼ିଛି କେହି ଆସୁନାହାନ୍ତି। ୧୦/୧୫% କାମ ହେଉଛି। ଅଳ୍ପ କିଛି କର୍ମଚାରୀଙ୍କୁ ନେଇ କାମ ଚାଲିଥିବା ବେଳେ ମାନ୍ଦା ଅବସ୍ଥା ଦେଖା ଦେଇଛି। ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ୬ଶହ ମାଇକ୍ରୋ ଶିଳ୍ପସଂସ୍ଥା ଏବଂ ମଧ୍ୟମ ଶିଳ୍ପ ରହିଛି। ଏମାନଙ୍କ ପୂର୍ବାବସ୍ଥା କିପରି ଫେରିବ ସେଥିପାଇଁ ଚିନ୍ତା ପ୍ରକଟ ହୋଇଛି।
ଡ. ଶ୍ରୀଶ ପଟେଲ୍‍ (ପାଠକ): କରୋନା ପ୍ରଭାବରେ ଗୋଟେ ଦୁଇଟି ପତ୍ରିକାକୁ ଛାଡ଼ି ଦେଲେ ପ୍ରାୟତଃ ପତ୍ରିକା ପ୍ରକାଶ ପାଉନି। ଏଭଳି ସ୍ଥିତିରେ ଆସନ୍ତା ପୂଜାସଂଖ୍ୟା ବାହାରିବ କି ନାହିଁ ତାହା ସନ୍ଦେହରେ। ପାଠକଙ୍କ ପାଇଁ ବଜାରରେ ମିଳୁଥିବା ପତ୍ରିକା ପ୍ରାୟ ପୁରୁଣା। ସେଥିରେ କିଛି ନୂତନତ୍ୱ ନାହିଁ। ଅନେକ ପାଠ କରିଛି। ଏବେ ଲେଖକମାନେ ବନ୍ଦୀ ଅବସ୍ଥାରେ। ଲେଖା ନହେଲେ ପ୍ରକାଶ ହେବ କିପରି ?
ତପନ ମିଶ୍ର(ପତ୍ରିକା ବ୍ୟବସାୟୀ): କରୋନା ପାଇଁ ଲୋକେ ଘରୁ ବାହାରିବାକୁ ଭୟ କରୁଛନ୍ତି। ଗ୍ରାହକ ଆସିଲେ ସିନା ବ୍ୟବସାୟ ହେବ। ୨୦/୨୨ ବର୍ଷ ହେଲା ଦୋକାନ ଚାଲିଛି। ଦୈନିକ ୨ହଜାରରୁ ଅଢ଼େଇ ହଜାର ଟଙ୍କା ବେପାର ହେଉଥିଲା। ଏବେ ୩ଶହରୁ ୫ଶହ ଟଙ୍କା ବେପାର ହେଉଛି। ଚଳିବା କଷ୍ଟକର।

Comments are closed.