ପ୍ରାଣ ହରାଇଲେଣି ୨୭ କୋଭିଡ ଯୋଦ୍ଧା

ଭୁବନେଶ୍ୱର : କରୋନା ମହାମାରୀର ମହାଯୁଦ୍ଧରେ ରାଜ୍ୟରେ ଏଯାବତ ୨୭ ଯୋଦ୍ଧାଙ୍କ ମୃତ୍ୟୁ ଘଟିଛି। ସେଥିମଧ୍ୟରେ ଶିକ୍ଷକ, ପୁଲିସ, ପ୍ରଶାସନିକ ଅଧିକାରୀ, କନିଷ୍ଠ ଯନ୍ତ୍ରୀ ପ୍ରଭୃତି ରହିଛନ୍ତି। ତେବେ ସରକାରୀ ଭାବେ ୨୭ କୋଭିଡ ଯୋଦ୍ଧା ମୃତ୍ୟୁ ହୋଇଥିବା କୁହାଯାଇଥିଲେ ହେଁ ବାସ୍ତବରେ ଏହି ସଂଖ୍ୟା ଢ଼େର ଅଧିକ ହେବ ବୋଲି ବେସରକାରୀ ଭାବେ କୁହାଯାଉଛି। ସୂଚନା ଅନୁଯାୟୀ ସୋମବାର ସୁଦ୍ଧା ରାଜ୍ୟରେ ୬.୭୦ଲକ୍ଷ ନମୁନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୪୭,୪୫୫ଜଣ ସଂକ୍ରମିତ ହୋଇଛନ୍ତି। ଇତିମଧ୍ୟରେ ୩୧,୭୮୫ଜଣ ଆରୋଗ୍ୟ ଲାଭ କରିସାରିଲେଣି। ଏହି ସମୟ ମଧ୍ୟରେ ରାଜ୍ୟରେ ୨୮୬ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି। ଏହା ସହିତ ୫୧ ଜଣଙ୍କ କରୋନା ରୋଗ ଥିଲେ ମଧ୍ୟ ଅନ୍ୟାନ୍ୟ ରୋଗ ପାଇଁ ମୃତ୍ୟୁ ହୋଇଛି। ସବୁଠାରୁ ବଡ କଥା ହେଲା ଗଞ୍ଜାମ ଓ ଗଜପତିରେ କେବଳ କରୋନା ଯୋଦ୍ଧାଙ୍କ ଅଧିକ ମୃତ୍ୟୁ ହୋଇଛି। ଏଯାବତ ଗଞ୍ଜାମରେ ୧୩୧ଜଣ ମୃତ୍ୟୁ ହୋଇଥିବା ବେଳେ ସେଥିରୁ ୨୫ଜଣ କେବଳ କୋଭିଡ ଯୋଦ୍ଧା ରହିଛନ୍ତି। ଏହି କୋଭିଡ ଯୋଦ୍ଧା ମୃତକଙ୍କ ମଧ୍ୟରେ ଆସ୍କାର ୩ ଅଛନ୍ତି। ସେଥିମଧ୍ୟରେ ୨ ଶିକ୍ଷକ ଥିବାବେଳେ ଜଣେ କନଷ୍ଟେବଳଙ୍କର ମୃତ୍ୟୁ ହୋଇଛି। ସେହିପରି କେ. ସୂର୍ଯ୍ୟନଗରରେ ୪ ଶିକ୍ଷକଙ୍କର ମୃତ୍ୟୁ ହୋଇଛି। ଏହାବାଦ ଧରାକୋଟରେ ଜଣେ କନିଷ୍ଠ ଯନ୍ତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ବ୍ରହ୍ମପୁର ମ୍ୟୁନିସିପାଲିଟିର ଦୁଇ କର୍ମଚାରୀ, ଦିଗପହଣ୍ଡିର ଜଣେ ଶିକ୍ଷକ ଓ ଗୃହରକ୍ଷୀ, ସୋରଡା, ପୁରୁଷୋତ୍ତମପୁର, ଧାମୁଚାଇ, ସେରଗଡ​‌େ​‌ର ଜଣେ ଲେଖାଏଁ ଶିକ୍ଷକ ମୃତ୍ୟୁ ଘଟିଛି। ଏଥିସହ ହିଞ୍ଜିଳିକାଟୁର ଜଣେ ଟ୍ୟାକ୍ସ କଲେକ୍ଟର, ଦିଗପହଣ୍ଡିର ଗୃହରକ୍ଷୀ, ଭଞ୍ଜନଗରର ଏଏସଆଇ, ଧାମୁଚାଇର ଜଣେ ସରପଞ୍ଚ, ବାଲିପଦରର ଜଣେ ଆର ଆଇ ଅଫିସର କର୍ମଚାରୀ, ଜଗନ୍ନାଥ ପ୍ରସାଦର ଜଣେ ବରିଷ୍ଠ କର୍ମଚାରୀ, ମୋହନାର ଲାବ ଟେକ୍ନିସିିଆନ, ବୁଗୁଡାର ପଞ୍ଚାୟତ ଏକ୍ସଟେନସନ ଅଫିସର ପ୍ରଭୃତି କୋଭିଡ ଯୋଦ୍ଧାଙ୍କ ମୃତ୍ୟୁ ହୋଇଛି। ସେହିପରି ଗଜପତିର ଏଡିଏମ ଏବଂ ଡିଆଇପିଆରଓଙ୍କର ମଧ୍ୟ ମୃତ୍ୟୁ ହୋଇଛି। ସରକାରୀ ଭାବେ ୨୭ ଜଣ କରୋନା ଯୋଦ୍ଧା ମୃତ୍ୟୁ ହେଉଥିବା କୁହାଯାଉଥିଲେ ହେଁ ଏହାବାଦ ଦୁଇଜଣ ବରିଷ୍ଠ ସାମ୍ବାଦିକଙ୍କ ସହିତ ବିଭିନ୍ନ ବର୍ଗର କରୋନା ଯୋଦ୍ଧାଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି।

Comments are closed.