ଚିନ୍ତା ବଢ଼ାଇଲା ସେରୋ ସର୍ଭେ ରିପୋର୍ଟ, ୨୪% ଦିଲ୍ଲୀବାସୀ ସଂକ୍ରମିତ

ନୂଆଦିଲ୍ଲୀ : ଦିଲ୍ଲୀର ଘନ ଜନବସତି ଅଞ୍ଚଳ ପାଇଁ ଚିନ୍ତା ବଢିଛି। କରୋନା ମହାମାରୀର ୫ ମାସ ପରେ ଏବେ ଗୋଷ୍ଟୀ ସଂକ୍ରମଣ ଆଡ଼କୁ ମୁହାଁଇଥିବା ଆଶଙ୍କା ବଢିଛି। ଦିଲ୍ଲୀ ମହାନଗରରେ ୨୪ ପ୍ରତିଶତ ଲୋକ ଏବେ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ଅଧିକାଂଶଙ୍କ ଠାରେ କରୋନାର କୌଣସି ଲକ୍ଷଣ ଦେଖିବାକୁ ମିଳିନି। ଜୁନ୍‌ ୨୭ରୁ ଜୁଲାଇ ୧୦ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀ ମହାନଗର ଅଞ୍ଚଳରେ କରାଯାଇଥିବା ସେରୋ ପ୍ରିଭାଲାନ୍ସ ସର୍ଭେ ପରୀକ୍ଷାରୁ ଏହି ତଥ୍ୟ ସାମ୍ନାକୁ ଆସିଥିବା ସୂଚନା ଦେଇଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ। ନେସନାଲ ସେଣ୍ଟର ଫର୍‌ ଡିଜିଜ୍ କ​‌େ​‌ଣ୍ଟ୍ରାଲ (ଏନସିଡିସି) ଓ ଦିଲ୍ଲୀ ସରକାର ମିଳିତ ଭାବେ ନଗରବାସୀଙ୍କ ରକ୍ତ ନମୁନା ପରୀକ୍ଷା କରାଇଥିଲେ। ବିଶେଷକରି ଦିଲ୍ଲୀର ଜନଘନତ୍ବ ଅଞ୍ଚଳରେ କରାଯାଇଥିବା ଏହି ପରୀକ୍ଷାରୁ ୨୩.୪୮ପ୍ରତିଶତ କରୋନା
ସଂକ୍ରମିତ ଥିବା ଜଣାପଡିଛି। ଏହି ରିପୋର୍ଟ ଏବେ ସାମ୍ନାକୁ ଆସିବା ପରେ ଉଭୟ କେନ୍ଦ୍ର ଓ ଦିଲ୍ଲୀ ସରକାରଙ୍କ ଚିନ୍ତା ବଢିଛି। ଏହି ତଥ୍ୟ ମିଳିବା ପରେ ବିଶେଷକରି ଦିଲ୍ଲୀର ୧୧ଟି ଜିଲାରେ ଏବେ ସଂକ୍ରମଣ ରୋକିବାକୁ ଲକ୍‌ଡାଉନ୍‌, ସଟ୍‌ଡାଉନ୍‌, ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ବ ବଜାୟ ରଖିବା, ଭିଡ଼ ସ୍ଥାନକୁ ଆଦୌ ନଯିବା ଭଳି ପଦକ୍ଷେପକୁ କଡାକଡ଼ି କରାଯାଇଛି। ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିବିଶେଷଙ୍କୁ ଚିହ୍ନଟ ସହ କୋଭିଡ଼୍‌ ଟ୍ରାକିଂ ବ୍ୟବସ୍ଥାକୁ ଅଧିକ ବ୍ୟାପକ କରାଯାଇଛି। ପୂର୍ବରୁ ସର୍ଭେ ଟିମ୍‌ ଘରକୁ ଘର ବୁଲିବା ପରେ ଯେଉଁମାନେ ସେମାନଙ୍କ ରକ୍ତ ପରୀକ୍ଷା ଲାଗି ଅନୁମତି ପ୍ରଦାନ କରିଥିଲେ ସେମାନଙ୍କଠାରେ ଆଇସିଏମଆର ଅନୁମୋଦିତ କୋଭିଡ୍‌ କବଚ୍ ଏଲିସା ପରୀକ୍ଷା କରାଯାଇଥିଲା।

Comments are closed.