ରୋଜଗାର ହରାଇବେ ଲକ୍ଷାଧିକ ଠିକା କର୍ମଚାରୀ

ଭୁବନେଶ୍ବର : କରୋନା ରାଜ୍ୟ ସରକାରଙ୍କ ପାଇଁ ଘୋର ଆର୍ଥିକ ସମସ୍ୟା ଆଣିଛି। ଆଉ ଏହାର ପ୍ରଭାବ ପଡ଼ିଛି ବର୍ଷ ବର୍ଷ ଧରି ସରକାରଙ୍କ ପାଇଁ ବିଭିନ୍ନ ସେବାରେ ନିୟୋଜିତ ହୋଇଥିବା ଲକ୍ଷାଧିକ ଅସ୍ଥାୟୀ କର୍ମଚାରୀଙ୍କ ଉପରେ। ଆଉଟ୍‌ସୋର୍ସିଂ ଅବା ଠିକା ସଂସ୍ଥା ଦ୍ବାରା ନିଯୁକ୍ତ କର୍ମଚାରୀଙ୍କ ଏବେ ଛଟେଇ ଆରମ୍ଭ ହୋଇଛି। ସେହିପରି ଖାଲି ଥିବା ପଦବୀକୁ ଉଚ୍ଛେଦ କରାଯାଉଛି। ଗୋଟିଏ ପଟେ ସରକାରୀ କର୍ମଚାରୀଙ୍କ ଅଭାବ ଥିବା ବେଳେ ଅନ୍ୟପଟେ ଠିକାରେ ଯେଉଁମାନେ କାମ କରୁଥିଲେ ମୋନଙ୍କୁ ବିଦା କରିବା ଦ୍ବାରା ଲୋକଙ୍କୁ ସେବା ଯୋଗାଇବା ବାଧାପ୍ରାପ୍ତ ହେବା ନେଇ ଆଶଙ୍କା ଦେଖା ଦେଇଛି।
ଓଡ଼ିଶାରେ କରୋନା ସଂକ୍ରମଣ ଆରମ୍ଭ ହେବା ପରେ ମାର୍ଚ୍ଚ ମାସରୁ ଲକ୍ ଡାଉନ୍, ସଟ୍ ଡାଉନ୍ ଚାଲିଛି। ଅଫିସ୍, ଦୋକାନ ବଜାର ସବୁ ବନ୍ଦ। ଲଗାତାର ତିନିମାସ ଧରି କଟକଣା ଯୋଗୁଁ ସବୁ ପ୍ରକାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ଏବେ ଆର୍ଥିକ କାରବାର କିଛିଟା ସ୍ବାଭାବିକ ହୋଇଥିବା ବେଳେ ସ୍ଥିତି ସୁଧୁରିବାକୁ ଆହୁରି ସମୟ ଲାଗିବ। ଏପରିକି ଓଡ଼ିଶାରେ ସଂକ୍ରମଣ ସ୍ଥିତି ଯାହା ଅଛି ଆଗକୁ ତାହା ଅର୍ଥନୀତିକୁ ଆହୁରି ପ୍ରଭାବିତ କରିବାର ସମ୍ଭାବନା ଅଛି। ଏପରିସ୍ଥଳେ ସରକାର ହୁଅନ୍ତୁ ଅବା ବେସରକାରୀ ସଂସ୍ଥା ସବୁଠି ଆୟ ବହୁଗୁଣରେ କମି ଯାଇଛି। ପରିସ୍ଥିତିକୁ ଦେଖି ଆସନ୍ତା ଦୁଇବର୍ଷ ପର୍ଯ୍ୟନ୍ତ ନୂଆ ନିଯୁକ୍ତି ଓ ଖର୍ଚ୍ଚ ଉପରେ କଟକଣା ଜାରି କରାଯାଇଛି। ତେବେ ଏଥିପାଇଁ ସମସ୍ୟାରେ ପଡ଼ିଛନ୍ତି ଠିକାରେ ନିଯୁକ୍ତି ପାଇ ସରକାରୀ କାମ କୁରୁଥିବା ବହୁ ସଂଖ୍ୟକ ଲୋକ। ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଭିନ୍ନ ଏନ୍‌ଏସି, ପୌରପାଳିକା, ମହାନଗର ନିଗମରେ ବହୁ ସଂଖ୍ୟକ ଦକ୍ଷ ଯୁବକ ଯୁବତୀଙ୍କୁ ନିୟୋଜିତ କରାଯାଇଥିଲା। ସେମାନେ ମୁଖ୍ୟତଃ ଏମ୍‌ଆଇଏସ୍‌, କମ୍ୟୁନିଟି ଅର୍ଗାନାଇଜର୍, ଡ଼ାଟା ଏଣ୍ଟ୍ରିଅପରେଟର୍, କିରାଣି, ଟିକସ ସଂଗ୍ରହ, ପ୍ରକଳ୍ପ ପରିଚାଳନା ସେଲ୍‌ ଆଦିରେ ନିଯୁକ୍ତି ପାଇଛନ୍ତି। ୧୦ ବର୍ଷରୁ ଅଧିକ ସମୟ ଧରି ସେମାନେ ଏସବୁ ଦାୟିତ୍ବରେ ଅଛନ୍ତି। ପ୍ରାୟତଃ ସବୁ ବିଭାଗରେ ଠିକା କର୍ମଚାରୀ ନିଯୁକ୍ତ ହୋଇଛନ୍ତି। ଏମାନଙ୍କ ସଂଖ୍ୟା ଏକ ଲକ୍ଷ ଉପରେ ହେବ। ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଠିକା ଅବଧି ଶେଷ ହେବା ପରେ ଆଉ ସେମାନଙ୍କର ଚୁକ୍ତି ନବୀକରଣ କରାଯିବ ନାହିଁ। ସେମାନଙ୍କ ଦରମା ଦେବାକୁ ଅର୍ଥ ବିଭାଗ ମନା କରିଦେଇଛି। ଏନ୍‌ଏସିରେ କାମ ଏମଆଇଏସ୍‌ ପଦରେ କାମ କରୁଥିବା ଜଣେ ଠିକା କର୍ମଚାରୀ କହିଛନ୍ତି, ଅନଲାଇନ୍‌ରେ ଆଧାର କାର୍ଡ ଏଣ୍ଟ୍ରି ଠାରୁ ଆରମ୍ଭ କରି ସ୍ବଚ୍ଛ ଭାରତ, ଭତ୍ତା ପ୍ରଦାନ, ଶୌଚାଳୟ ନିର୍ମାଣ, ପରିମଳ ଭଳି ପ୍ରାୟ ସବୁ କାମ ଆମେ କରି ଆସୁଛୁ। ୧୬୮୦୦ ଟଙ୍କା ଦରମାରେ କାମ କରୁଛୁ। କିନ୍ତୁ କରୋନା ମାନ୍ଦାବାସ୍ଥା ଯୋଗୁଁ ଆମ ଚୁକ୍ତି ନବୀକରଣ ହେବ ନାହିଁ ବୋଲି ଆମକୁ ଶୁଣାଇ ଦିଆଯାଇଛି। ଏପରି ସମୟରେ ଆମେ ପେଟ ପୋଷିବା ପାଇଁ କୁଆଡ଼େ ଯିବୁ, କ’ଣ କରିବୁ ବୋଲି ସେ ପ୍ରଶ୍ନ କରିଛନ୍ତି। ସରକାରୀ କର୍ମଚାରୀଙ୍କ ଅଭାବ ଓ ଅନ୍ୟ କାରଣ ପାଇଁ ଲୋକଙ୍କୁ ଠିକ୍ ଭାବେ ସରକାରୀ ସେବା ମିଳି ପାରୁନଥିଲା। ଏଥିପାଇଁ ସରକାର ଆଉଟ୍‌ସୋର୍ସିଂରେ ଠିକା କର୍ମଚାରୀଙ୍କୁ ନିଯୁକ୍ତି ଦେଇଥିଲେ। କିନ୍ତୁ ଏବେ ଯଦି ଲକ୍ଷାଧିକ ଠିକା କର୍ମଚାରୀ ବିଦା ହୁଅନ୍ତି ତା ହେଲେ ଜନସାଧାରଣଙ୍କୁ କିପରି ସରକାରୀ ସେବା ଯୋଗାଇ ଦିଆଯିବ ତାହା ଏବେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Comments are closed.