କରୋନା ଭୁତାଣୁ ଠାବ କରିଥିବା ଯୁବ ଡାକ୍ତରଙ୍କ ପରିବାରକୁ କ୍ଷମା ମାଗିଲେ ଚୀନ୍‌ ସରକାର

ବେଜିଂ: କରୋନା ଭୂତାଣୁ ସଂକ୍ରମଣ ବିଶ୍ବବାସୀଙ୍କ ନିଦ ହଜାଇ ଦେଇଥିବାବେଳେ ସର୍ବପ୍ରଥମେ ଏହି ମହାମାରୀ ଭୂତାଣୁକୁ ଠାବ କରିଥିବା ଯୁବ ଡାକ୍ତରଙ୍କ ପରିବାରକୁ ଚୀନ୍‌ ସରକାର ବିଧିବଦ୍ଧ ଭାବେ କ୍ଷମା ମାଗିଛନ୍ତି। ଉହାନର ଡାକ୍ତର ଲି ୱେନ୍‌ଲିଆଙ୍ଗ ଡିସେମ୍ବର ମାସରେ ସର୍ବପ୍ରଥମେ ଏହି ଭୂତାଣୁ ସମ୍ପର୍କରେ ସୂଚନା ଦେଇଥିଲେ ଓ ୮ ଡାକ୍ତର ବନ୍ଧୁଙ୍କ ସହ ମିଶି ସେ ସମସ୍ତଙ୍କୁ ସତର୍କ କରାଇ ଦେଇଥିଲେ। ଏହାକୁ ଗୁଜବ ବୋଲି ଦର୍ଶାଇ କମ୍ୟୁନିଷ୍ଟ ସରକାର ତାଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ୱେନ୍‌ଲିଆଙ୍ଗ ଓ ତାଙ୍କ ବନ୍ଧୁଙ୍କ ବିରୋଧରେ ମାମଲା ରୁଜୁ ପୂର୍ବକୁ ସେମାନଙ୍କୁ କାରାଗାରରେ ଭର୍ତ୍ତି କରିଥିଲେ। ପ୍ରାୟ ସପ୍ତାହକ ପରେ ଏହି ଭୂତାଣୁର ପ୍ରଭାବ ସମଗ୍ର ଅଞ୍ଚଳରେ ପରିଲ୍ଲକ୍ଷିତ ହୋଇଥିଲା ଏବଂ ସରକାର ଭୁଲ୍‌ ବୁଝିପାରି ପ୍ରାୟ ଦୁଇ ସପ୍ତାହ ପରେ ସେମାନଙ୍କୁ ମୁକ୍ତ କରିଥିଲେ। ପରବର୍ତ୍ତୀ ସମୟରେ ସଂକ୍ରମିତଙ୍କ ଚିକିତ୍ସା କରି ନିଜେ ଏହାର ଶିକାର ହୋଇଥିଲେ ୱେନ୍‌ଲିଆଙ୍ଗ। ଏହାକୁ ନେଇ ହୁବେଇ ପ୍ରଦେଶ ସହ ସମଗ୍ର ଚୀନ୍‌ରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ୱେନ୍‌ଲିଆଙ୍ଗ ସାଧାରଣ ଜନତାଙ୍କ ହୀରୋ ପାଲଟିଯାଇଥିଲେ।

ଚୀନ୍‌ ସରକାର ପ୍ରଥମରୁ ୱେନ୍‌ଲିଆଙ୍ଗଙ୍କ ସତର୍କତାକୁ ଗୁରୁତ୍ବ ଦେଇଥିଲେ ଆଜିର ଆତଙ୍କଜନକ ପରିସ୍ଥିତି ଉପୁଜି ନ ଥା’ନ୍ତା ବୋଲି ହୃଦୟଙ୍ଗମ କରିବା ପରେ ତାଙ୍କ ପରିବାର ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି। ଚୀନ୍‌ କମ୍ୟୁନିଷ୍ଟ ପାର୍ଟିର ସର୍ବୋଚ୍ଚ ନୀତିନିର୍ଦ୍ଧାରଣକାରୀ କମିଟି କ୍ଷମା ପ୍ରାର୍ଥନା ନେଇ ଘୋଷଣା କରିବା ସହ ୱେନ୍‌ଲିଆଙ୍ଗଙ୍କୁ ଗିରଫ କରିଥିବା ଦୁଇ ପୁଲିସ ଅଧିକାରୀଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ପାଇଁ ସୁପାରିସ କରିଛନ୍ତି। କେବଳ ସେତିକି ନୁହେଁ; କରୋନା ସମ୍ପର୍କରେ ସୂଚନା ଦେଇଥିବା ଗଣମାଧ୍ୟମ ଓ ଅନ୍ୟ ଯେଉଁମାନଙ୍କ ପ୍ରତି ସରକାର ପ୍ରଥମେ ଆକ୍ରୋଶମୂଳକ ପଦକ୍ଷେପ ନେଇଥିଲେ ସେମାନଙ୍କ ନିକଟରେ ମଧ୍ୟ ଦୁଃଖପ୍ରକାଶ କରିଛନ୍ତି।

Comments are closed.