ତାତିକୁ ବଳିଗଲା କରୋନା ପ୍ରକୋପ

ଭୁବନେଶ୍ବର : ସଂପ୍ରତି ଉଭୟ ଦେଶ ଓ ରାଜ୍ୟରେ କରୋନା ପ୍ରକୋପ ଆଗରେ ଫିକା ପଡ଼ିଯାଇଛି ଜୁନ୍ ମାସର ମୁଣ୍ଡଫଟା ତାତି। ଏବେ ଆଉ ଅଂଶୁଘାତ କଥା କେହି ଭାବୁ ନାହାନ୍ତି; କରୋନା ମହାମାରୀରୁ ବଞ୍ଚିବାପାଇଁ ସବୁସ୍ତରରେ ଚାଲିଛି ସଂଘର୍ଷ। ଏହାରି ଭିତରେ ଗ୍ରୀଷ୍ମ ଅତିକ୍ରମ କରିବାକୁ ବସିଲାଣି। ଏହି ପରିପ୍ରେକ୍ଷୀରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଏବେ ପୁଣି ଥରେ ଲୋକଙ୍କ ଭିତରେ ଭୟର ବାତାବରଣ ସୃଷ୍ଟି କରିଛି। ସରକାର ଗୋଷ୍ଠୀ ସଂକ୍ରମଣର ଆଶଙ୍କା କରି ସାମାଜିକ ଦୂରତା ବଜାୟ ରଖିବା ଉପରେ ଗୁରୁତ୍ବ ଦେଇ ୧୧ଟି ଜିଲାରେ ସପ୍ତାହରେ ଦୁଇ ଦିନ ସଟ୍‌ଡାଉନ୍‌ କରିଛନ୍ତି। ତଥାପି ସରକାର ଏବଂ ଜନତାଙ୍କ ସତର୍କତା ଭିତରେ ଶନିବାର ରାଜ୍ୟରେ ୧୭୩ ଆକ୍ରାନ୍ତ ଚିହ୍ନଟ ହେବା ପରେ କରୋନା ପୁଣି ଥରେ ତା’ର ରେକର୍ଡ ଭାଙ୍ଗିଛି। ଏହାକୁ ମିଶାଇ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୨୭୮୧ରେ ପହଞ୍ଚିଛି। ଅନ୍ୟପକ୍ଷରେ ରାଜ୍ୟରେ ସୁସ୍ଥତା ହାର ୬୨ ପ୍ରତିଶତକୁ ବୃଦ୍ଧି ପାଇଛି। ଶନିବାର ରାଜ୍ୟରେ ଆଉ ୧୧୨ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୧୭୧୬ରେ ପହଞ୍ଚିଛି।
ଶନିବାର ରାଜ୍ୟର ୧୪ଟି ଜିଲାରୁ ଚିହ୍ନଟ ହୋଇଥିବା ୧୭୩ ସଂକ୍ରମିତଙ୍କ ମଧ୍ୟରୁ ୧୫୦ଜଣ ସଙ୍ଗରୋଧ କେନ୍ଦ୍ରରୁ ଏବଂ ୨୩ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମ​‌ ଜିଲାରେ ସର୍ବାଧିକ ୬୪ଜଣ ରହିଛନ୍ତି। ଏହାକୁ ମିଶାଇ ଜିଲା​‌େ​‌ର ସଂକ୍ରମିତଙ୍କ ସଂଖ୍ୟା ୫୯୭ ଛୁଇଁଛି। ଯାହାକି ରାଜ୍ୟ ସଂକ୍ରମିତଙ୍କ ସଂଖ୍ୟାର ପ୍ରାୟ ୨୨ ପ୍ରତିଶତ। ଇତିମଧ୍ୟରେ ଜିଲାରେ ୩୯୬ ସୁସ୍ଥ ହୋଇଥିବାବେଳେ ୧୯୮ ସକ୍ରିୟ ଆକ୍ରାନ୍ତ ଏବଂ ୩ ଜଣଙ୍କ ମୃତ୍ୟୁ ହୋଇଛି।
ସେହିପରି ଯାଜପୁରରେ ୧୯ଜଣ ଆକ୍ରାନ୍ତ ଚିହ୍ନଟ ହେବା ଫଳରେ ଜିଲାର ସଂକ୍ରମିତଙ୍କ ସଂଖ୍ୟା ୩୧୨ ରହିଛି। ଏଥିରୁ ୨୫୩ଜଣ ଆରୋଗ୍ୟ ଲାଭ କରି ଘରକୁ ଫେରିଥିବାବେଳେ ୫୯ଜଣ ସକ୍ରିୟ ରହିଛନ୍ତି। ଏବେ ଦ୍ବିତୀୟ କରୋନାପ୍ରବଣ ଜିଲା ଭାବେ ନିଜର ସ୍ଥିତି ଜାହିର କରୁଛି।
ଅନ୍ୟପକ୍ଷରେ ଖୋର୍ଦ୍ଧାରେ ଆଜି ୯ଜଣ ଆକ୍ରାନ୍ତଙ୍କୁ ନେଇ ଜିଲାର ସଂକ୍ରମିତ ସଂଖ୍ୟା ୨୨୬ରେ ପହଞ୍ଚିଛି। ଆକ୍ରାନ୍ତ କ୍ଷେତ୍ରରେ ଜିଲା ତୃତୀୟ ସ୍ଥାନରେ ଥିଲେ ହେଁ ମୃତ୍ୟୁରେ ଆଗରେ ଏବଂ ସକ୍ରିୟ ଆକ୍ରାନ୍ତରେ ଦ୍ବିତୀୟ ସ୍ଥାନ ରହିଛି। ଇତିମଧ୍ୟରେ ଜିଲାରେ ୪ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୨୭ଜଣ ସକ୍ରିୟ ରହିଛନ୍ତି। ଜିଲାରେ ଆରୋଗ୍ୟଙ୍କ ସଂଖ୍ୟା କମ୍ ରହିଛି, ମାତ୍ର ୯୪ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ଆଜି ୧୧ଜଣ ଆକ୍ରାନ୍ତଙ୍କ ପାଇଁ ବାଲେଶ୍ବର ଜିଲାରେ ସଂକ୍ରମିତଙ୍କ ସଂଖ୍ୟା ୧୯୦ ଛୁଇଁଥିବାବେଳେ, କଟକରେ ୧୩ଜଣଙ୍କ ପାଇଁ ୧୬୭, କେନ୍ଦ୍ରାପଡ଼ା ୧୬୩ରେ ରହିଥିବାବେଳେ ୪ଜଣ ଆକ୍ରାନ୍ତଙ୍କ ପାଇଁ ଭଦ୍ରକରେ ୧୪୦, ୧୧ଜଣଙ୍କ ପାଇଁ ବଲାଙ୍ଗିରରେ ୧୧୬ ଏବଂ ଜଣେ ଆକ୍ରାନ୍ତଙ୍କ ପାଇଁ ଆଜି ପୁରୀ ୧୦୦ କରୋନା ଆକ୍ରାନ୍ତ କ୍ଲବରେ ନାମ ଲେଖାଇଛି। ଏହାବାଦ୍ ମୟୂରଭଞ୍ଜ ୧୩, ଗଜପତି ୧୦, ନୂଆପଡ଼ା ୮, ନୟାଗଡ଼ ୭, ଭଦ୍ରକ ୪, କଳାହାଣ୍ଡି ୨, ପୁରୀ ଓ ଝାରସୁଗୁଡ଼ା ଜିଲାରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି।

Comments are closed.