ସଂକ୍ରମିତ ଦେଶରୁ ଗଞ୍ଜାମକୁ ଫେରିଛନ୍ତି ୯୯ ଜଣ
୩୫ ଜଣ ହୋମ କ୍ବାରେଣ୍ଟାଇନରେ, ୧୪ ଜଣଙ୍କ ଠିକଣା ମିଳିନି

ବ୍ରହ୍ମପୁର : ବିଶ୍ୱରେ କରୋନା ସଂକ୍ରମଣ ବୃଦ୍ଧି ପରେ ଗଞ୍ଜାମକୁ ଫେରିଛନ୍ତି ୯୯ ଜଣ। ଏହି ବ୍ୟକ୍ତିମାନେ ଚୀନ୍ ସମେତ ବିଭିନ୍ନ ଦେଶରୁ ଫେରିଛନ୍ତି ବୋଲି ଜିଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ୯୯ ଜଣଙ୍କ ମଧ୍ୟରୁ ଜିଲା ପ୍ରଶାସନ ପାଖରେ ୬୨ ଜଣଙ୍କ ସମସ୍ତ ପ୍ରକାର ସୂଚନା ରହିଛି। ୩୫ ଜଣଙ୍କୁ ହୋମ କ୍ବାରେଣ୍ଟାଇନରେ ରହିବାକୁ ପରାମର୍ଶ ଦିଆଯାଇଥିବା ବେଳେ ୫ ଜଣଙ୍କୁ ହୋମ ଆଇସୋଲେସନରେ ରଖାଯାଇଛି। ତେବେ ବାହାର ଦେଶରୁ ଫେରିଥିବା ୧୪ ଜଣ ବ୍ୟକ୍ତିଙ୍କ ଠିକଣା ମିଳିପାରିନଥିବା ଜଣାପଡ଼ିଛି।
ବ୍ରହ୍ମପୁର ମହାନଗରରେ ରହୁଥିବା ୫ ଜଣଙ୍କୁ ହୋମ ଆଇସୋଲେସନରେ ରଖାଯାଇଥିବା ବେଳେ ସେମାନଙ୍କ ଠାରେ କରୋନାର କୌଣସି ଲକ୍ଷଣ ନଥିବା କୁହାଯାଇଛି। ଜିଲାର ୮ ଜଣ ବାଙ୍ଗାଲୁରୁ, ନ୍ୟୁଜିଲାଣ୍ଡ, ମାଲେସିଆ ଓ ଇଣ୍ଡୋନେସିଆରୁ ଆସିଛନ୍ତି। ସୋମନଙ୍କ ମଧ୍ୟରୁ ୬ ଜଣ ବିଏମସି ଅଧିନରେ ବାସ କରୁଥିବା ବେଳେ ଜଣେ ଭଞ୍ଜନଗର ଓ ଆଉ ଜଣେ ଦିଗପହଣ୍ଡିରେ ରହୁଛନ୍ତି। ସେହିପରି ହୋମ କ୍ବାରେଣ୍ଟାଇନରେ ରହିଥିବା ୩୫ ଜଣଙ୍କ ମଧ୍ୟରୁ ବ୍ରହ୍ମପୁରର ୧୯ ଜଣ, ଖଲ୍ଲିକୋଟର ୬ ଜଣ, ପାତ୍ରପୁରର ୨ ଜଣ, ହିଞ୍ଜିଳିକାଟୁର ୨ ଜଣ, ଗଞ୍ଜାମର ୨ ଜଣ, ରଙ୍ଗେଇଲୁଣ୍ଡାର ଜଣେ, କବିସୂର୍ଯ୍ୟନଗରର ଜଣେ, ଶେରଗଡର ଜଣେ ଓ ଚିକିଟିର ଜଣେ ବୋଲି ସୂଚନା ଦିଆଯାଇଛି।