ନବରଙ୍ଗପୁର ଜିଲ୍ଲାରେ ମକାମଣ୍ଡି ଖୋଲିବାରେ ବିଳମ୍ବ ଯୋଗୁଁ ଚିନ୍ତାରେ ମକାଚାଷୀ 

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ବର୍ତମାନ ସୁଦ୍ଧା ମକା ମଣ୍ଡି ଖୋଲିବାରେ ବିଳମ୍ବ ହୋଇଥିବା ଯୋଗୁଁ ଚିନ୍ତାରେ ମକା ଚାଷୀ । ଚଳିତ ବର୍ଷ ନବରଙ୍ଗପୁର ଜିଲ୍ଲାରେ ୬୦ହଜାର ୪୧୮ ହେକ୍ଟର ଖରିଫ ମଜା ଚାଷ ହୋଇଥିବା ଜିଲ୍ଲା କୃଷି ବିଭାଗ ତରଫରୁ ସୂଚନା ମିଳିଥିବା ବେଳେ ଚଳିତ ବର୍ଷ ମକା ଚାଷ ଭଲ ହୋଇଥିବା ଯୋଗୁଁ ଖୁସିରେ ଚାଷୀ ଥିବାବେଳେ ମଣ୍ଡି ଖୋଲିବା ନେଇ ଚିନ୍ତାରେ ଚାଷୀ। ମଣ୍ଡି ଖୋଲି ଚାଷୀଙ୍କଠାରୁ ସରକାରୀ ଡରରେ ଯଦି ମକା କ୍ରୟ କରିଥାନ୍ତେ ତାହେଲେ ୨ ପଇସା ଅଧିକା ପାଇବାକୁ ଆଶା ବାନ୍ଧିଥିବା ଚାଷୀ ମଣ୍ଡି ଖୋଲିବା ବିଳମ୍ବ ଯୋଗୁଁ କ୍ଷତି ସହିବା ଆଶଙ୍କାରେ ଅଛନ୍ତି। ବର୍ତମାନ ସମୟରେ ମକାଚାଷ ପ୍ରାୟ ସମ୍ପୂର୍ଣ୍ଣ ହୋଇ ଖୋଳାରେ ମକା ପଡି ରହିଥିବା ଯୋଗୁଁ ପାଗକୁ ଦେଖି ବି ଭୟରେ ଅଛନ୍ତି ଚାଷୀ । ପୂର୍ବ ବର୍ଷ ନବରଙ୍ଗପୁର ଆରଏମସି ତରଫରୁ ଜିଲ୍ଲାରେ ୬ ଗୋଟି ସ୍ଥାନରେ ମଣ୍ଡି ଖୋଲା ଯାଇଥିଲେ ହେଁ ଏଥିରେ ଚାଷୀ ଉପକୃତ ହୋଇନଥିବା ଅଭିଯୋଗ କରିଛନ୍ତି। ଗତ ବର୍ଷ ମଣ୍ଡି ଖୋଲା ହେଲା ସତ କିନ୍ତୁ ମଣ୍ଡିକୁ ନେବା ଗାଡି ଖର୍ଚ୍ଚ ନିଜେ ଚାଷୀ ବହନ କରିଥିବା ବେଳେ ଟ୍ରେଡ଼ର୍ସମାନେ ଉଚିତ ମୂଲ୍ୟ ପ୍ରଦାନ କରି ନ ଥିବା ଯୋଗୁଁ ଅଧିକାଂଶ ଚାଷୀ କ୍ଷତି ସହିଥିବା କହିଛନ୍ତି କୋଷଗୁମୁଡା ଅଂଚଳର ମକଚାଷୀ ଚନ୍ଦ୍ର ଭତରା, ପ୍ରଫୁଲ୍ଲ ନାୟକ, ଲକୀନାଥ ଭତରା, ଫୁଳଧର ମାଝୀ ପ୍ରମୁଖ । ସେମାନଙ୍କ ଅଭିଯୋଗ ଅନୁଯାଇ ଆରଏମସି କର୍ତ୍ତୃପକ୍ଷ ମକା ମଣ୍ଡି ପ୍ରତି ଆନ୍ତରିକତା ନଥିବା ଅଭିଯୋଗ କରିଛନ୍ତି । ସେହିପରି ପାପଡାହାଣ୍ଡି ଏବଂ କୋଡୀଙ୍ଗା ଅଂଚଳର ମକା ଚାଷୀଙ୍କ ଅଭିଯୋଗ ଅନୁଯାଇ ଆରଏମସି ଏବଂ ଲୋକାଲ ଟ୍ରେଡ଼ର୍ସ ମାନଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଥିବା ହେତୁ ଚାଷୀଙ୍କଠୁ ସିଧାସଳଖ ମକା ନ କିଣି ବ୍ୟପାରୀ ମାନଙ୍କଠୁ ଅଳ୍ପ ଦାମରେ କିଣି ଟ୍ରେଡ଼ର୍ସ ଲାଭବାନ ହେଉଥିବା ଯୋଗୁଁ ଚାଷୀ କ୍ଷତି ସହିବାକୁ ପଡୁଛି ବୋଲି ମକଚାଷୀ ମନ ଚୋୖଦ୍ରି, ରାଜୁ ଗୌଡ଼, ଲଚିମଧର ସନ୍ତା, ଯୁଧିଷ୍ଠିର ଗୌଡ଼, ଦିବାକର ନାୟକ ପ୍ରମୁଖ କହିଛନ୍ତି ଏବଂ ଚାଷୀଙ୍କ ମଣ୍ଡି ପ୍ରତି ବିଶ୍ୱାସ ଉଠିଯାଇଥିବା ଯୋଗୁଁ ପଡ଼ୋଶୀ ରାଜ୍ୟ ଏବଂ ରାଜ୍ୟର ଦଲାଲ ଆଉ ବେପାରୀ ଏହାର ସୁଯୋଗ ନେଇ କମ ଦାମରେ କିଣୁଥିବା କହିଛନ୍ତି । ଏପଟେ ଆରଏମସି ଅଫିସ ତରଫରୁ ଆଜି ଏଫଇଓ ଗ୍ରୁପ(ମକାଚାଷୀଙ୍କୁ ନେଇ)ମାନଙ୍କ ସହ ଏକ ବୈଠକ କରି ଆଲୋଚନା କରିଥିବା ବେଳେ ଆସନ୍ତା କାଲି ଟ୍ରେଡ଼ର୍ସମାନଙ୍କୁ ନେଇ ମଣ୍ଡି ବିଷୟରେ ଆଲୋଚନା କରାଯିବ ବୋଲି ବିଭାଗ ତରଫରୁ ସୂଚନା ମିଳିଅଛି। ବର୍ତମାନ ଶୁଣିବାକୁ ମିଳୁଛି ଯେ ସରକାରଙ୍କ ମକାର ଏମଏସପି ମୂଲ୍ୟ ୧୭୦୦ ଟଙ୍କା ରହିଥିବା ବେଳେ ଦଲାଲ ମାନେ ଗ୍ରାମାଞ୍ଚଳ କୁ ଯାଇ ୧୩୫୦ ଟଙ୍କାରେ ମକା କିଣୁଥିବା ଦେଖିବାକୁ ମିଳୁଛି। ଚଳିତ ବର୍ଷ ଚାଷ ଭଲ ହୋଇଛି ମକଚାଷୀଙ୍କୁ ଅଗ୍ରାଧିକାର ଦେଇ ମଣ୍ଡି ଖୋଲି ଠିକରେ ପରିଚାଳନା କରି ଚାଷୀଙ୍କୁ ଉପଯୁକ୍ତ ପ୍ରାପ୍ୟ ପ୍ରଦାନ କରିବାକୁ ଚାଷୀ ମହଲରୁ ଦାବି ହେଉଛି।

Comments are closed.