ମଣ୍ଡି ଖୋଲିନି, ମକାର ଅଭାବୀ ବିକ୍ରି

ନବରଙ୍ଗପୁର : ଜିଲାରେ ମଣ୍ଡି ଖୋଲି ନ ଥିବା ବେଳେ ମକାର ଅଭାବୀ ବିକ୍ରି ଦେଖିବାକୁ ମିଳୁଛି। କୃଷିପ୍ରଧାନ ନବରଙ୍ଗପୁର ଜିଲା ମକା ଚାଷ ପାଇଁ ପ୍ରସିଦ୍ଧ। ରାଜ୍ୟରେ ସବୁଠାରୁ ଅଧିକ ଏହି ଜିଲାରୁ ଉତ୍ପାଦନ କରାଯାଉଛି। ଚଳିତବର୍ଷ ମକା ଅମଳ ପ୍ରାୟ ୮୦ ପ୍ରତିଶତ ସରିବାକୁ ବସିଥିଲେ ହେଁ ଅଦ୍ୟାବଧି ମକାମଣ୍ଡି ଖୋଲିନି। ଜିଲାର ଚାଷୀ ଅତି କମ ମୂଲ୍ୟରେ ମକା ବିକ୍ରି କରୁଛନ୍ତି। ପୂର୍ବ ବର୍ଷରେ ଜିଲା ପ୍ରଶାସନ ତରଫରୁ ନିୟନ୍ତ୍ରୀତ ବଜାର କମିଟି (ଆରଏମସି) ମାଧ୍ୟମରେ ନଭେମ୍ବର ସୁଦ୍ଧା ମକାମଣ୍ଡି ଆରମ୍ଭ କରାଯାଉଥିଲା। ଏଥିପାଇଁ ଜିଲାସ୍ତରରେ ବ୍ୟାପକ ପ୍ରସ୍ତୁତି କରାଯାଉଥିଲା। ମକା ବିକ୍ରି କେନ୍ଦ୍ରରେ ଇ-ଟ୍ରେଡିଂ ଦ୍ୱାରା ଜାତୀୟ କୃଷିି ବଜାର (ଇ-ନାମ) ମାଧ୍ୟମରେ ଇ-ନିଲାମରେ କ୍ରୟବିକ୍ରୟ କରାଯାଉଥିଲା। ଗତବର୍ଷ ୧୫ଟି ମକା ମଣ୍ଡିରେ ମକା ବିକ୍ରି ହୋଇଥିବା ବେଳେ ଚଳିତ ବର୍ଷ ଏହା ଆରମ୍ଭ ହୋଇ ପାରିନି। ଗରିବ ଓ ମଧ୍ୟବିତ୍ତ ଚାଷୀ ଧାର ଉଧାର କରି ମକା ଚାଷ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ମକା ବିକ୍ରିବଟାର କୌଣସି ସରକାରୀ ବ୍ୟବସ୍ଥା କରାଯାଇନି ବୋଲି ଅଭିଯୋଗ ହେଉଛି। ଚାଷୀ କମ ମୂଲ୍ୟରେ ବାହାରେ ଦଲାଲଙ୍କୁ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ଚଳିତବର୍ଷ ମକାର ସରକାରୀ ଧାର୍ଯ୍ୟ ମୂଲ୍ୟ କ୍ୱିଣ୍ଟାଲ ପ୍ରତି ୧୮୫୦ ଟଙ୍କା ରହିଥିବା ବେଳେ ଜିଲାରେ ୧୦୦୦ରୁ ୧୧୦୦ ଟଙ୍କାରେ ବିକ୍ରି ହେଉଛି।
ଜିଲା କୃଷି ବିଭାଗର ତଥ୍ୟ ଅନୁସାରେ ଜିଲାରେ ମୋଟ ୬୦୪୯୫ ହେକ୍ଟରରେ ମକା ଚାଷ କରାଯାଇଥିବା ବେଳେ ଚଳିତବର୍ଷ ମୋଟ ୩୩୯୨୮୫.୩ ମେଟ୍ରିକ ଟନ ମକା ଉତ୍ପାଦନ ଆଶା ପ୍ରକାଶ କରାଯାଇଛି। ସେଥିମଧ୍ୟରୁ ନବରଙ୍ଗପୁର ବ୍ଲକର ୧୮୪୦ ହେକ୍ଟରରେ ୯୩୮୪ ମେଟ୍ରିକ ଟନ, ନନ୍ଦାହାଣ୍ଡି ବ୍ଲକର ୧୧୦୬ ହେକ୍ଟରରେ ୬୭୫୧ ମେଟ୍ରିକ ଟନ, ତେନ୍ତୁଳିଖୁଣ୍ଟି ବ୍ଲକର ୪୮୫୬ ହେକ୍ଟରରେ ୨୬୭୦୮ ମେଟ୍ରିକ ଟନ, ପାପଡାହାଣ୍ଡି ବ୍ଲକର ୬୮୫୩ ହେକ୍ଟରରେ ୩୮୩୭୭ ମେଟ୍ରିକ ଟନ, କୋଷାଗୁମୁଡା ବ୍ଲକରେ ୬୩୦୮ ହେକ୍ଟରରେ ୩୨୮୦୨ ମେଟ୍ରିକ ଟନ, ଡାବୁଗାଁ ବ୍ଲକର ୩୮୬୦ ହେକ୍ଟରରେ ୨୧୨୩୦ ମେଟ୍ରିକ ଟନ, ଉମରକୋଟ ବ୍ଲକର ୯୨୯୭ ହେକ୍ଟରରେ ୫୩୯୨୩ ମେଟ୍ରିକ ଟନ, ରାଇଘର ବ୍ଲକର ୧୫୬୧୦ ହେକ୍ଟର ୯୨୦୯୯ ମେଟ୍ରିକ ଟନ, ଝରିଗାଁ ବ୍ଲକରେ ୮୨୧୧ ହେକ୍ଟରର ୪୫୯୮୨ ମେଟ୍ରିକ ଟନ ଓ ଚନ୍ଦାହାଣ୍ଡି ବ୍ଲକର ୨୫୫୫ ହେକ୍ଟରରେ ୧୩୦୩୧ ମେଟ୍ରିକ ଟନ ମକା ଉତ୍ପାଦନ କରାଯାଇଛି। ମକା ଅମଳ ଚାଲିଥିବାରୁ ଏହା ବୃଦ୍ଧି ପାଇବାର ସମ୍ଭାବନା ଦେଖାଦେଇଛି। ଜିଲାରେ ସବୁଠାରୁ ଅଧିକ ମକା ଉତ୍ପାଦନ ହେଉଥିବା ବେଳେ ବିକ୍ରିବଟାର ଅଭାବ ଯୋଗୁଁ ଏହି ଚାଷୀ ହଇରାଣ ହୋଇପଡିଛନ୍ତି। ଜିଲାରେ ଚଳିତ ବର୍ଷ ୩୦ ହଜାର ମକା ଚାଷୀଙ୍କ ନାମ ପଞ୍ଜୀକରଣ କରିବାକୁ ଜିଲା ପ୍ରଶାସନ ନିର୍ଦେଶ ଦେଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ମାତ୍ର ପ୍ରାୟ ୯,୫୦୦ ଚାଷୀ ମଧ୍ୟରେ ଏହା ସୀମିତ ରହିଛି। ଇ-ନାମରେ ଚାଷୀ ନାମ ପଞ୍ଜୀକରଣ କରିବାକୁ କୁହାଯାଇଥିଲେ ମଧ୍ୟ ଆରଏମସି ପକ୍ଷରୁ ଚାଷୀଙ୍କୁ ସଚେତନତା କରାଇବାକୁ ଆବଶ୍ୟକ ପଦକ୍ଷେପ ନିଆଯାଇ ନ ଥିବା ଅଭିଯୋଗ ହୋଇଛି। ଚାଷୀ ନାମ ପଞ୍ଜିକରଣ କରିପାରୁ ନ ଥିବା ବେଳେ ଇ-ନାମରେ ମଧ୍ୟ ବିକ୍ରି କରିପାରୁ ନାହାନ୍ତି। ଆରଏମସି ପକ୍ଷରୁ ଜାଣିଶୁଣି ପ୍ରକୃତ ଚାଷୀଙ୍କୁ ନାମ ପଞ୍ଜୀକରଣ କରିବାକୁ ସଚେତନ କରୁ ନ ଥିବା ଅଭିଯୋଗ ହୋଇଛି। ମକା ଦଲାଲଙ୍କ ସହ ଆରଏମସିର ଭିତିରି ସମ୍ପର୍କ ରହିଥିବା ଚାଷୀ ଅଭିଯୋଗ କରିଛନ୍ତି।
ଉମରକୋଟରେ ମକା କାରଖାନା ପାଇଁ ତତ୍କାଳୀନ ରାଜ୍ୟସଭା ସାଂସଦ ପ୍ୟାରୀମୋହନ ମହାପାତ୍ର ଉମରକୋଟ ଉପନିର୍ବାଚନ ବେଳେ ବିଜେଡି ପକ୍ଷରୁ ଘୋଷଣା କରିଥିଲେ। ଦୀର୍ଘ ୧୦ ବର୍ଷ ପରେ ମଧ୍ୟ କାର୍ଯ୍ୟକାରୀ ହୋଇପାରିନି। ମକାର ଅଭାବୀ ବିକ୍ରି ଅଭିଯୋଗ ଓ ମକା ମଣ୍ଡି ସମ୍ପର୍କରେ ଆରଏମସି ସମ୍ପାଦକ ଏସଏସ ସାହାଣୀଙ୍କୁ ପଚାରିବାରୁ କୌଣସି ମତ ଦେବାକୁ ମନା କରିଥିଲେ।

Comments are closed.