ବ୍ରାଜିଲ୍‌ରେ ହେବ ୨୦୨୧ କୋପା ଆମେରିକା

ବ୍ରାସିଲିଆ: ମୁଖ୍ୟତଃ ଦକ୍ଷିଣ ଆମେରିକୀୟ ରାଷ୍ଟ୍ରମାନଙ୍କୁ ନେଇ ଆୟୋଜନ ହେଉଥିବା କୋପା ଆମେରିକା ଫୁଟ୍‌ବଲ ଟୁର୍ଣ୍ଣାମେଣ୍ଟ ଚଳିତବର୍ଷ ବ୍ରାଜିଲରେ ଆୟୋଜନ ହେବ। ଏହି ଟୁର୍ଣ୍ଣାମେଣ୍ଟକୁ ଆର୍ଜେଣ୍ଟିନା ଓ କଲମ୍ବିଆ ମିଳିତ ଭାବେ ଆୟୋଜନ କରିବାର ଥିଲା। ହେଲେ କୋଭିଡ୍‌-୧୯ ଚିନ୍ତା ଯୋଗୁଁ କୋପା ଆମେରିକା ଆୟୋଜନ କରିବାକୁ ଆର୍ଜେଣ୍ଟିନା ଓ କଲମ୍ବିଆ ମନା କରି ଦେଇଥିଲେ। ଆର୍ଜେଣ୍ଟିନାରେ ଏବେ କୋଭିଡ୍‌-୧୯ ସଂକ୍ରମଣ ବଢ଼ି ଚାଲିଥିବା ବେଳେ କଲମ୍ବିଆରେ ସରକାର ବିରୋଧୀରେ ଆନ୍ଦୋଳନ ଚାଲିଛି। ଏପରି ସଙ୍କଟ ଯୋଗୁଁ ଚଳିତବର୍ଷର କୋପା ଆମେରିକା ବନ୍ଦହେବ ବୋଲି ଆଶଙ୍କା କରା ଯାଉଥିବା ବେଳେ ବ୍ରାଜିଲ ଏହାକୁ ଆୟୋଜନ କରିବା ଲାଗି ରାଜିହୋଇଛି।

କୋପା ଆମେରିକା ୨୦୨୦ରେ ଆୟୋଜନ ହେବାର ଥିଲା। ତେବେ କରୋନା ସଂକ୍ରମଣ ଯୋଗୁଁ ଏହାକୁ ବର୍ଷେ ଘୁଞ୍ଚାଇ ଦିଆ ଯାଇଥିଲା। ଏବେ ବ୍ରାଜିଲରେ ଜୁନ୍ ୧୩ରୁ ଜୁଲାଇ ୧୦ ମଧ୍ୟରେ କୋପା ଆମେରିକା ଆୟୋଜନ ହେବ। ଏଥିରେ ୧୦ଟି ଦଳ ଭାଗନେବେ। ଅଷ୍ଟ୍ରେଲିଆ ଓ କାତାର ଦଳକୁ ଏହି ଟୁର୍ଣ୍ଣାମେଣ୍ଟ ଖେଳିବା ଲାଗି ଅନୁରୋଧ କରା ଯାଇଥିଲେ ହେଁ ଦୁହେଁ ରାଜି ହୋଇନଥିଲେ। ବ୍ରାଜିଲ ଗତଥରର କୋପା ଆମେରିକା ଚମ୍ପିଆନ୍‌।

Comments are closed.