ଶେଷ ଲିଗ୍‌ ମ୍ୟାଚ୍‌​ ଜିତିଲେ ଉରୁଗୁଏ ଓ ଆର୍ଜେଣ୍ଟିନା

ରିଓ ଡି ଜେନେରିଓ/କ୍ୟୁଏବା: କୋପା ଆମେରିକା ଫୁଟବଲ ଟୁର୍ଣ୍ଣାମେଣ୍ଟର ଲିଗ୍‌ ପର୍ଯ୍ୟାୟ ଶେଷହୋଇଛି। ମଙ୍ଗଳବାର ଗ୍ରୁପ୍‌ ‘ଏ’ର ଶେଷ ୨ ଲିଗ୍‌ ମ୍ୟାଚ୍‌ରେ ଆର୍ଜେଣ୍ଟିନା ଓ ଉରୁଗୁଏ ବିଜୟୀ ହୋଇଛନ୍ତି। ଟୁର୍ଣ୍ଣାମେଣ୍ଟର ଉଭୟ ଗ୍ରୁପ୍‌ରୁ ୪ଟି ଲେଖାଏଁ ଦଳ କ୍ବାର୍ଟରଫାଇନାଲରେ ପ୍ରବେଶ କରି ସାରିଥିଲେ। ଶେଷ ୨ଟି ଲିଗ୍‌ ମ୍ୟାଚ୍‌ରେ ଉରୁଗୁଏ ୧-୦ ଗୋଲରେ ପାରାଗୁଏକୁ ଏବଂ ଆର୍ଜେଣ୍ଟିନା ୪-୧ ଗୋଲ୍‌ରେ ବଲିଭିଆକୁ ପରାସ୍ତ କରିଥିଲା।

ଗ୍ରୁପ୍‌ ‘ଏ’ରେ ଉରୁଗୁଏ ଓ ପାରାଗୁଏ ୨ୟ ଓ ୩ୟ ସ୍ଥାନ ପାଇଁ ଲଢ଼ିଥିଲେ। ୨୧ ମିନିଟ୍‌ରେ ଉରୁଗୁଏକୁ ଏକ ପେନାଲ୍‌ଟି ମିଳିଥିଲା। ଏଥିରୁ ଉରୁଗୁଏର ତାରକା ଖେଳାଳି ଏଡିନ୍‌ସନ କାଭାନି ଗୋଲ୍‌ ଦେଇ ଦଳକୁ ୧-୦ରେ ଆଗୁଆ କରିଥିଲେ। ପ୍ରଥମାର୍ଦ୍ଧରେ ଉରୁଗୁଏ ଗୋଟିଏ ଗୋଲ ଆଗରେ ରହିଥିଲା। ଦ୍ବିତୀୟାର୍ଦ୍ଧରେ ଗୋଲ ବରାବର କରିବା ନେଇ ପାରାଗୁଏ ଖେଳର ଶେଷ ପର୍ଯ୍ୟନ୍ତ ଉଦ୍ୟମ କରିଥିଲେ ମଧ୍ୟ ଉରୁୁଗୁଏ ରକ୍ଷଣାପନ୍ଥୀକୁ ପରାସ୍ତ କରିବାରେ ବିଫଳ ହୋଇଥିଲା। ଉରୁଗୁଏ ୪ଟି ମ୍ୟାଚରୁ ୨ଟି ବିଜୟ, ଗୋଟିଏ ଡ୍ର ଓ ଗୋଟିଏ ପରାଜୟ ସହ ୭ ପଏଣ୍ଟ ସହ ୨ୟ ଓ ପାରାଗୁଏ ସମାନ ସଂଖ୍ୟକ ମ୍ୟାଚ ଖେଳି ୨ଟି ବିଜୟ ଓ ୨ଟି ପରାଜୟ ସହ ୬ ପଏଣ୍ଟ ପାଇ ୩ୟ ସ୍ଥାନ ହାସଲ କରିଛି।

ଶେଷ ଲିଗ୍‌ ମ୍ୟାଚରେ ଲିଓନେଲ ମେସିଙ୍କ ଡବଲ୍ ଗୋଲ ବଳରେ ଆର୍ଜେଣ୍ଟିନା ୪-୧ ଗୋଲରେ ବଲିଭିଆକୁ ପରାସ୍ତ କରିଛି। କ୍ବାର୍ଟରଫାଇନାଲରେ ପ୍ରବେଶ କରି ସାରିଥିବା ଆର୍ଜେଣ୍ଟିନା ଗ୍ରୁପ୍ ଚମ୍ପିଆନ୍ ହେବା ଲକ୍ଷ୍ୟରେ ଖେଳିଥିଲା। ୬ ମିନିଟ୍‌ରେ ଆଲେକ୍‌ଜାଣ୍ଡ୍ରା ଗୋମେଜ୍‌ ପ୍ରଥମ ଗୋଲ ଦେଇ ଆର୍ଜେଣ୍ଟିନାକୁ ୧-୦ରେ ଆଗୁଆ କରିଥିଲେ। ୩୩ ମିନିଟ୍‌ରେ ଆର୍ଜେଣ୍ଟିନା ୨ୟ ଗୋଲ ସ୍କୋର କରିଥିଲା। ଡି ଏରିଆରେ ଆର୍ଜେଣ୍ଟିନାର ଗୋମେଜ୍‌ଙ୍କୁ ବଲିଭିଆ ରକ୍ଷଣାପନ୍ଥୀ ଡିଏଗୋ ବିଜେରାନୋ ଫାଉଲ ମାରିବାରୁ ରେଫରୀ ପେନାଲ୍‌ଟି ଦେଇଥିଲେ। ପେନାଲ୍‌ଟିରୁ ଲିଓନେଲ ମେସି ଗୋଲ୍‌ଦେଇ ଦଳକୁ ୨-୦ରେ ଆଗୁଆ କରିଥିଲେ। ୪୨ ମିନିଟ୍‌ରେ ମେସି ୩ୟ ଗୋଲ ଦେଇ ଦଳକୁ ୩-୦ରେ ଆଗୁଆ କରିଥିଲେ।

ମଧ୍ୟାନ୍ତର ସୁଦ୍ଧା ଆର୍ଜେଣ୍ଟିନା ୩ଟି ଗୋଲରେ ଆଗୁଆ ଥିଲା। ୬୦ ମିନିଟ୍‌ରେ ବଲିଭିଆ ପକ୍ଷରୁ ଇର୍‌ୱିନ ସାଭେଡ୍ରା ଗୋଟିଏ ଗୋଲ ଦେଇ ମ୍ୟାଚକୁ ୧-୩ ସ୍ତରକୁ ଆଣିଥିଲେ। ୩ ମିନିଟ୍‌ ପରେ ଆର୍ଜେଣ୍ଟିନା ୪ର୍ଥ ଗୋଲ୍‌ ଦେଇଥିଲା। ୬୩ ମିନିଟ୍‌୍ରେ ଆର୍ଜେଣ୍ଟିନାର ମାର୍ଟିନେଜ୍‌ ଲାଓଟାରୋ ୪ର୍ଥ ଗୋଲ ଦେଇ ଦଳକୁ ୪-୧ରେ ଆଗୁଆ କରିଥିଲେ। ଆର୍ଜେଣ୍ଟିନା ୪ଟି ମ୍ୟାଚରୁ ୩ଟି ବିଜୟ ଓ ଗୋଟିଏ ଡ୍ର ସହ ୧୦ ପଏଣ୍ଟ ପାଇ ଗ୍ରୁପ ଶୀର୍ଷରେ ଥିବା ବେଳେ ବଲିଭିଆ ୪ଟି ମ୍ୟାଚରୁ ସମସ୍ତ ହାରି ବିନା ପଏଣ୍ଟରେ ଅଭିଯାନ ଶେଷ କରିଛି।

Comments are closed.