ଅବସର ବୟସ ଅତିକ୍ରାନ୍ତ ପରେ ମଧ୍ୟ କାର୍ଯ୍ୟ କରୁଛନ୍ତି ସେବା ସମବାୟ ସମିତି ସମ୍ପାଦକ

ସାକ୍ଷୀଗୋପାଳ : ସତ୍ୟବାଦୀ ସେବା ସମବାୟ ସମିତିରେ କାର୍ଯ୍ୟରତ ସମ୍ପାଦକଙ୍କର ଅବସର ବୟସ ଅତିକ୍ରାନ୍ତ ହୋଇଥିଲେ ମଧ୍ୟ ଉଚ୍ଚ କର୍ତ୍ତୃପକ୍ଷଙ୍କ କାର୍ଯ୍ୟାଳୟରୁ ଅବସର ସଂକ୍ରାନ୍ତୀୟ କୌଣସି ନିର୍ଦ୍ଦେଶନାମା ଆସି ନ ଥିବାରୁ ସେ ଆଜି ପର୍ଯ୍ୟନ୍ତ କାର୍ଯ୍ୟରତ ଅଛନ୍ତି। ସୂଚନା ଅଧିକାର ଆଇନ ବଳରେ ଜନୈକ ବ୍ୟକ୍ତିଙ୍କ ଉଦ୍ୟମ ଫଳରେ ଏହି ଘଟଣା ଜଣାପଡିଛି । ପୁରୀ ନିମାପଡା କେନ୍ଦ୍ର ସମବାୟ ବ୍ୟାଙ୍କର ସତ୍ୟବାଦୀ ସେବା ସମବାୟ ସମିତିରେ ଲକ୍ଷ୍ମଣ ବେହେରା ସମ୍ପାଦକ ଭାବରେ କାର୍ଯ୍ୟରତ ଅଛନ୍ତି।

ଶ୍ରୀଧର ମହାପାତ୍ର ସୂଚନା ଅଧିକାର ଆଇନ ବ୍ୟବହାର କରି ଏହି ତଥ୍ୟ ହାସଲ କରିଛନ୍ତି । ଲକ୍ଷ୍ମଣ ବେହେରା, ପିତା ସ୍ବର୍ଗତ ବାଉରୀ ବନ୍ଧୁ ବେହେରା, ଗ୍ରାମ ଅଠାଇଶ, ପୋ. ବୀର ଗୋବିନ୍ଦ ପୁର ଥାନା ସତ୍ୟବାଦୀ, ଜିଲ୍ଲା ପୁରୀଙ୍କ ବିଦ୍ୟାଳୟରେ ପାଠ ପଢ଼ୁଥିବା ପ୍ରମାଣ ପତ୍ର ଆବେଦନ କରିଥିଲେ।

ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ତରଫରୁ ପ୍ରଦତ୍ତ ପ୍ରମାଣ ପତ୍ରରେ ସମ୍ପାଦକ ଶ୍ରୀ ବେହେରାଙ୍କ ଜନ୍ମ ତାରିଖ ତା ୨୫.୧୧.୧୯୬୦ ରହିଅଛି । ବିଦ୍ୟାଳୟ ତରଫରୁ ପ୍ରଦତ୍ତ ପ୍ରମାଣ ପତ୍ର ଅନୁଯାଇ ଶ୍ରୀଯୁକ୍ତ ବେହେରା ତା ୩୦.୧୧.୨୦୨୦ ତାରିଖରେ ଅବସର ଗ୍ରହଣ କରିବା କଥା। ମାତ୍ର ସେ ଆଜି ପର୍ଯ୍ୟନ୍ତ କାର୍ଯ୍ୟରତ ଅଛନ୍ତି।
ଆବେଦନକାରୀ ଶ୍ରୀଧର ମହାପାତ୍ର ଏ ସମ୍ପର୍କରେ ଜିଲ୍ଲାପାଳ,ଉପ ନିବନ୍ଧକ ଓ ସହକାରୀ ଉପ ନିବନ୍ଧକ ପୁରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।
ଏ ସମ୍ପର୍କରେ ସମ୍ପାଦକ ଶ୍ରୀ ବେହେରାଙ୍କ ସହିତ ଯୋଗାଯୋଗ କରାଯାଇଥିଲା। ସେ କହିଲେ, ତାଙ୍କ ପାଖରେ ବିଦ୍ୟାଳୟ ପରିତ୍ୟାଗ ପ୍ରମାଣ ପତ୍ର ନାହିଁ। ସେ ​‌ଜଣେ ହୃଦରୋଗୀ ଅଟନ୍ତି । ନିୟମିତ ଚିକିତ୍ସିତ ହେଉଛନ୍ତି । ଗତ ତା ୩-୩-୨୦୧୯ ରିଖ ଫନି ବାତ୍ୟାରେ ଏକ ନିମ୍ବ ଗଛ କାର୍ଯ୍ୟାଳୟ ଗୃହ ଉପରେ ଭାଙ୍ଗି ପଡିଥିଲା ।  କାର୍ଯ୍ୟାଳୟ ଗୃହ ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯିବା ସହିତ ସମସ୍ତ କାଗଜ ପତ୍ର ଓ ପ୍ରମାଣ ପତ୍ର ନଷ୍ଟ ହୋଇଗଲା। ଆଧାର କାର୍ଡରେ ତାଙ୍କର ଜନ୍ମ ୧୯୬୨ ମସିହା ରହିଅଛି । ତାହାକୁ ଭିତ୍ତି  କରି ସେ କାର୍ଯ୍ୟ କରୁଛନ୍ତି। ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟାଳୟରେ କାଗଜ ପତ୍ର ରହିଥିବ। ତାଙ୍କ ଅବସର ବୟସ ଓ ଅବସର ଗ୍ରହଣ ନିମନ୍ତେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରୁ କୌଣସି ନିର୍ଦ୍ଦେଶନାମା ଆସିନାହିଁ। ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରୁ ଆଦେଶନାମା ଆସିଲେ ସେ ଦାୟିତ୍ୱ ହସ୍ତାନ୍ତର କରି ଅବସର ଗ୍ରହଣ କରିବେ। ଏଥି ସହିତ ଅଭିଯୋଗକାରୀ ସତ୍ୟବାଦୀ ସେବା ସମବାୟ ସମିତି ପରିସରଭୁକ୍ତ ନୁହନ୍ତି ବୋଲି ପ୍ରକାଶ କରିଛନ୍ତି।

Comments are closed.