ବିଶ୍ୱଭାରତୀ କେବଳ ଏକ ବିଶ୍ୱବିଦ୍ୟାଳୟ ନୁହେଁ, ଏହା ଦେଶର ମହାନ ପରମ୍ପରାର ଏକ ଅଂଶ : ମୋଦୀ

ବିଶ୍ୱଭାରତୀ ବିଶ୍ବବିଦ୍ୟାୟର ସମାବର୍ତ୍ତନ ସମାରୋହ

ନୂଆଦିଲ୍ଲୀ : ଜ୍ଞାନ ଓ ଶକ୍ତି ସହ ଦାୟିତ୍ୱବୋଧ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ବିଶ୍ୱଭାରତୀ ବିଶ୍ବବିଦ୍ୟାୟର ସମାବର୍ତ୍ତନ ସମାରୋହରେ ଭିଡ଼ିଓ କନ୍‍ଫରେନ୍ସିଂ ମାଧ୍ୟମରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ବିଶ୍ୱଭାରତୀ କେବଳ ଏକ ବିଶ୍ୱବିଦ୍ୟାଳୟ ନୁହେଁ, ଏହା ଦେଶର ମହାନ ପରମ୍ପରାର ଏକ ଅଂଶବିଶେଷ। ସେ କହିଛନ୍ତି ଗୁରୁଦେବ ରବୀନ୍ଦ୍ରନାଥ ଟାଗୋର ଯଦି ବିଶ୍ୱଭାରତୀକୁ କେବଳ ଏକ ବିଶ୍ୱବିଦ୍ୟାଳୟ ଦୃଷ୍ଟିରେ ଦେଖିଥାନ୍ତେ, ତେବେ ସେ ଏହାର ନାମ ଆନ୍ତର୍ଜାତିକ ବିଶ୍ୱବିଦ୍ୟାଳୟ ରଖିପାରିଥାନ୍ତେ। କିନ୍ତୁ ସେ ଏହାର ନାମ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟ ରଖିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ଏଭଳି ଏକ ମହାନ ଅନୁଷ୍ଠାନର ସମାବର୍ତ୍ତନ ଉତ୍ସବରେ ଅଂଶଗ୍ରହଣ କରିବା ଯୋଗୁଁ ସେ ନିଜକୁ ଗୌରବାନ୍ୱିତ ମନେକରୁଛନ୍ତି ଓ ଏହା ତାଙ୍କୁ ଅନେକ ପ୍ରେରଣା ଯୋଗାଇବ। ସେ କହିଛନ୍ତି ଯଦି ସେ ବ୍ୟକ୍ତିଗତ ଭାବେ ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ପାରିଥାନ୍ତେ ତେବେ ସେ ନିଜକୁ ଆହୁରି ଅଧିକ ଭାଗ୍ୟବାନ ମନେକରିଥାନ୍ତେ।
ପ୍ରଧାନମନ୍ତ୍ରୀ କହିଛନ୍ତି ବିଶ୍ୱବିଦ୍ୟାଳୟ ଗୁଡ଼ିକ ଅସୀମ ଜ୍ଞାନ ଓ ଦକ୍ଷତାର କେନ୍ଦ୍ର। ଜ୍ଞାନ କେବେ ସ୍ଥିର ନୁହେଁ, ଏହା ସର୍ବଦା କ୍ରମବର୍ଦ୍ଧିଷ୍ଣୁ ରହିଆସିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ବିଶ୍ୱଭାରତୀ ଗରିବ ଲୋକମାନଙ୍କ କଲ୍ୟାଣ ଦିଗରେ ଉତ୍ସର୍ଗୀକୃତ କାର୍ଯ୍ୟ କରି ପାରିଥିବାରୁ ସେ ଏହାର ଭୂୟସୀ ପ୍ରଶଂସା କରିଛନ୍ତି। ବିଦ୍ୟାର୍ଥୀମାନଙ୍କୁ ସେ ବିବିଧତା ମଧ୍ୟରେ ଏକତାର ଭାବନାକୁ ଜାଗ୍ରତ ରଖିବା ପାଇଁ ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଗୁରୁଦେବ ରବୀନ୍ଦ୍ରନାଥ ଠାକୁରଙ୍କର ସଂଗୀତ ଓ କବିତାଗୁଡ଼ିକର ପ୍ରଶଂସା କରି ଏହା ଆନ୍ତର୍ଜାତିକ ସ୍ତରରେ ସର୍ବଦା ଲୋକପ୍ରିୟ ରହିଆସିଛି ଓ ପାଠକମାନଙ୍କର ଜ୍ଞାନ ବୃଦ୍ଧି କରିପାରିଛି ବୋଲି କହିଛନ୍ତି।
ଛତ୍ରପତି ଶିବାଜୀଙ୍କ ବିଷୟ ଉଲ୍ଲେଖ କରି ଶିବାଜୀଙ୍କ ଉପରେ ରବୀନ୍ଦ୍ରନାଥ ଟାଗୋର ଲେଖିଥିବା ଏକ କବିତାକୁ ସେ ଆବୃତି କରିଥିଲେ। ଆଜି ଛତ୍ରପତି ଶିବାଜୀଙ୍କର ଜୟନ୍ତୀ ପାଳନ କରାଯାଉଛି। ପ୍ରଧାନମନ୍ତ୍ରୀ କହିଛନ୍ତି ନୂଆ ଜାତୀୟ ଶିକ୍ଷାନୀତି ଆତ୍ମନିର୍ଭର ଭାରତ ଦିଗରେ ଏକ ବୃହତ ପଦକ୍ଷେପ। ଏଥିରେ ଗବେଷଣା ଓ ନୂଆ ନୂଆ ଉଦ୍ଭାବନକୁ ଗୁରୁତ୍ୱ ଦିଆଯାଇଛି। ଶ୍ରୀ ମୋଦୀ କହିଛନ୍ତି ଯେଉଁ ଲୋକମାନେ ବିଶ୍ୱରେ ଆତଙ୍କବାଦ ଓ ହିଂସାର ପ୍ରସାର କରୁଛନ୍ତି ସେମାନେ ଶିକ୍ଷା ଓ କୁଶଳତା ଦୃଷ୍ଟିରୁ ପଛରେ ନାହାନ୍ତି। କିନ୍ତୁ ଅନ୍ୟପକ୍ଷରେ ଏଭଳି ଲୋକ ଅଛନ୍ତି ଯେଉଁମାନେ ସେମାନଙ୍କର ଜ୍ଞାନକୁ ସମାଜର ସେବା ପାଇଁ ଉପଯୋଗ କରୁଛନ୍ତି। ଏହାର ଦୃଷ୍ଟାନ୍ତ ଦେବାକୁ ଯାଇ ପ୍ରଧାନମନ୍ତ୍ରୀ କୋଭିଡ-୧୯ ସଂକ୍ରମଣ ସମୟରେ ହସ୍ପିଟାଲ ଗୁଡ଼ିକରେ କାର୍ଯ୍ୟରତ ଡାକ୍ତର ଓ ଚିକିତ୍ସା ସହାୟକ କର୍ମୀମାନଙ୍କ ସେବା ବିଷୟ ଉଲ୍ଲେଖ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଜଣେ ବ୍ୟକ୍ତି କ’ଣ କରିବେ, ତାହା ତାଙ୍କର ମାନସିକ ସ୍ଥିତି ଉପରେ ନିର୍ଭର କରେ। ଜଣେ ବ୍ୟକ୍ତିଙ୍କର ମାନସିକ ସ୍ଥିତି ସକାରାତ୍ମକ ଥିଲେ ସେ ସମାଜ ପାଇଁ କାମ କରିପାରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଅନ୍ୟପକ୍ଷରେ ନକାରାତ୍ମକ ମନୋଭାବ ପୋଷଣ କରୁଥିବା ଜଣେ ବ୍ୟକ୍ତି ସମାଜରେ ହିଂସା ଓ ଆତଙ୍କବାଦକୁ ପ୍ରୋତ୍ସାହିତ କରିବ। ସେ ଦୃଷ୍ଟିରୁ ଆମେ ସକରାତ୍ମକ ଆଭିମୁଖ୍ୟ ଗ୍ରହଣ କରିବା ନା ନକାରାତ୍ମକ ଆଭିମୁଖ୍ୟ ପୋଷଣ କରିବା, ତାହା ଆମ ଉପରେ ନିର୍ଭର କରେ ବୋଲି ସେ କହିଛନ୍ତି।
ପଶ୍ଚିମବଙ୍ଗ ରାଜ୍ୟପାଳ ଓ ବିଶ୍ୱ ଭାରତୀ କୁଳାଧିପତି ଜଗଦୀପ ଧଙ୍କଡ ଓ କେନ୍ଦ୍ରମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଏହି ଅବସରରେ ସେଠାରେ ଉପସ୍ଥିତ ଥିଲେ। ସମାବର୍ତ୍ତନ ଉତ୍ସବରେ ୨ହଜାର ୫୩୫ ବିଦ୍ୟାର୍ଥୀଙ୍କୁ ଡିଗ୍ରୀ ପ୍ରଦାନ କରାଯାଇଛି। ୧୯୨୧ ମସିହାରେ ଗୁରୁଦେବ ରବୀନ୍ଦ୍ରନାଥ ଠାକୁର ବିଶ୍ୱଭାରତୀର ସ୍ଥାପନ କରିଥିଲେ। ଏହା ଦେଶର ସର୍ବପୁରାତନ କେନ୍ଦ୍ରୀୟ
ବିଶ୍ୱବିଦ୍ୟାଳୟ।

Comments are closed.