ଗଜପତିଙ୍କ କ୍ଷୋଭକୁ ନେଇ ଜିଲ୍ଲାରେ ଚର୍ଚ୍ଚା

ପାଟଣା : କେବଳ ଶ୍ରୀକ୍ଷେତ୍ରରେ ନୁହେଁ ସମଗ୍ର ବିଶ୍ୱରେ ପୁରୀର ଶ୍ରୀ ଜଗନ୍ନାଥଙ୍କୁ ସବୁ କ୍ଷେତ୍ରରେ ବଡ଼ ବୋଲି ବିଶ୍ୱବାସୀଙ୍କୁ ସ୍ବୀକାର କରିବାକୁ ପଡିବ।  କିନ୍ତୁ ଏବେ କେନ୍ଦୁଝରଗଡର ୭୨ ଫୁଟ ଉଚ୍ଚତା ବିଶିଷ୍ଟ ରଥ ଗିନିଜ ବୁକ ଅଫ ୱାର୍ଲଡ୍‌ ରେକର୍ଡସରେ ସ୍ଥାନ ପାଇବା ପରେ ଏହାକୁ ନେଇ ଚର୍ଚ୍ଚା ଚାଲିଛି । ଏପରିକି ଖୋଦ ଶ୍ରୀ ଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ଗଜପତି ମହାରାଜ ମଧ୍ୟ ଏନେଇ କ୍ଷୋଭ ପ୍ରକାଶ କରିବା ଘଟଣା ଚର୍ଚ୍ଚାକୁ ବଳ ଯୋଗାଇଛି । ତେବେ କେନ୍ଦୁଝର ଗଡରେ ଉଚ୍ଚତାରେ ବଡ଼ ରଥ କେବଳ ଚଳିତ ବର୍ଷ ନୁହେଁ ଏହା ରାଜା ରାଜୁଡା ଅମଳରୁ ହୋଇଆସୁଛି । ଏନେଇ ଅତୀତରେ ଏମିତି ଚର୍ଚ୍ଚା ନଥିବାବେଳେ କେବଳ ଗିନିଜ ବୁକ୍ ଅଫ୍ ରେକର୍ଡସକୁ ନେଇ ବିବାଦ ଉଠିଛି । କେବଳ କେନ୍ଦୁଝର ନୁହେଁ ଦେଶ ଓ ବିଦେଶରେ ଲୌହ ନିର୍ମିତ ରଥ ମଧ୍ୟ ଚାଲିଲାଣି । ଏପରିକି ଯାନବାହାନ ରେ ମଧ୍ୟ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ବସାଇ ରଥ ଯାତ୍ରା ହେଉଥିବା ଅତୀତରେ ଦୃଷ୍ଟି ଗୋଚର ହୋଇଛି । ଏଭଳି ଅଣପାରମ୍ପରିକ ରଥ ଯାତ୍ରା ଉପରେ ବିଶେଷ ପ୍ରତିକ୍ରିୟା ଦେଖାଯାଇ ନଥିବା ବେଳେ କେନ୍ଦୁଝର ରଥକୁ ନେଇ ବିବାଦ ଏକ ଅସ୍ଵସ୍ତିକର ସ୍ଥିତିକୁ ଆମନ୍ତ୍ରଣ କରୁଛି।
ଭକ୍ତି ଓ ଶ୍ରଦ୍ଧାରେ ବନ୍ଧା ଜଗନ୍ନାଥଙ୍କ ରଥର ଉଚ୍ଚତାକୁ ନେଇ ବିବାଦ ଆଦୌ ଶୋଭନୀୟ ନୁହେଁ ବୋଲି ଅଗଣିତ ଜଗନ୍ନାଥ ପ୍ରେମୀ ମତ ଦେଉଛନ୍ତି । ସ୍ମରଣାତୀତ କାଳରୁ କେନ୍ଦୁଝରରେ ଗୋଟିଏ ରଥ ହୋଇ ଆସୁଥିବା ବେଳେ ଶ୍ରୀକ୍ଷେତ୍ର ସମେତ ଆଉ କିଛି ସ୍ଥାନରେ ତିନୋଟି ରଥରେ ରଥ ଯାତ୍ରା ହେଉଥିବାରୁ କେନ୍ଦୁଝରର ଉଚ୍ଚତା ବିଶିଷ୍ଟ ରଥକୁ ନେଇ ଆଦୌ ବିବାଦ ହେବା ଯୁକ୍ତିଯୁକ୍ତ ନୁହେଁ ବୋଲି ଗବେଷକ ଭରତ ଦାଶ ମତ ରଖିଛନ୍ତି । ଏତିକି ନୁହେଁ ଶ୍ରୀକ୍ଷେତ୍ରରେ ପ୍ରତିବର୍ଷ ନୂଆ କାଠରେ ରଥ ହେବା ସ୍ଵତନ୍ତ୍ର ଥିବାବେଳେ କେନ୍ଦୁଝର ରଥ ପ୍ରତିବର୍ଷ ନୂଆ ନିର୍ମାଣ ନହୋଇ ପୁରୁଣା ରଥ ମରାମତି ପରେ ରଥ ଯାତ୍ରାରେ ଲାଗିଥାଏ ବୋଲି ସେ ମତ ରଖିଛନ୍ତି । ଶ୍ରୀକ୍ଷେତ୍ର ପରମ୍ପରା ଅନୁସାରେ ସର୍ବତ୍ର ଶ୍ରୀ ଜଗନ୍ନାଥ ମନ୍ଦିର ମଧ୍ୟ ପରିଚାଳନା ହୁଏ ନାହିଁ। ବିଭିନ୍ନ ସ୍ଥାନରେ ଏହାର ବ୍ୟତିକ୍ରମ ଦେଖାଯାଇଥାଏ ସତ କିନ୍ତୁ ଜଗତର ନାଥ ସର୍ବଦା ଭକ୍ତର ହୃଦୟରେ ବାସ କରିଥାନ୍ତି ବୋଲି ସେ କହିଛନ୍ତି। ଶ୍ରୀକ୍ଷେତ୍ର ସ୍ଵତନ୍ତ୍ର ଶ୍ରୀ ଜଗନ୍ନାଥଙ୍କ ପାଇଁ, ବିଶ୍ୱରେ ଶ୍ରୀକ୍ଷେତ୍ର ବଡ଼, ସେଠିକାର ରଥ ବଡ଼,ପଥ ବଡ଼ ଜଗତବାସୀ ସ୍ବୀକାର କରିନେଇଥିବା ବେଳେ କେବଳ ଉଚ୍ଚତାକୁ ନେଇ ପୁଣି ଏକମାତ୍ର କ୍ଷେତ୍ରରେ ବିବାଦ ହେବା ଉଚିତ ନୁହେଁ ବୋଲି ଗବେଷକ ଶ୍ରୀ ଦାଶ ମତ ରଖିଛନ୍ତି । ଯଦି କେନ୍ଦୁଝର ଗଡ ରଥର ଉଚ୍ଚତାକୁ ଆଗାମୀ ଦିନରେ ହ୍ରାସ କରାଯାଏ ସେଥିରେ ମଧ୍ୟ ଜିଲ୍ଲାର ଅଗଣିତ ଜଗନ୍ନାଥ ପ୍ରେମୀ ଅସନ୍ତୋଷ ପ୍ରକାଶ କରିବା ଉଚିତ ନୁହେଁ ବୋଲି ସେ କହିଛନ୍ତି।

Comments are closed.