ନିୟମିତ ହେବେ ଠିକା କର୍ମଚାରୀ

ଭୁବନେଶ୍ୱର: ସୁପ୍ରିମକୋର୍ଟଙ୍କ ନିର୍ଦେଶ ପରେ ଏଣିକି ଠିକା କର୍ମଚାରୀଙ୍କୁ ନିୟମିତ କରାଯିବ। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଫଳରେ ଠିକା କର୍ମଚାରୀଙ୍କୁ ଏକ ବଡ ଆଶ୍ବସ୍ତି ମିଳିଛି। ଜିଲାସ୍ତରରୁ ଆରମ୍ଭ କରି ରାଜ୍ୟସ୍ତର ପର୍ଯ୍ୟନ୍ତ ଯେତେସବୁ ଠିକା କର୍ମଚାରୀ ସରକାରୀ ନୀତି ଅନୁଯାୟୀ ଠିକଣା ଭାବେ ନିଯୁକ୍ତି ପାଇ କାର୍ଯ୍ୟ କରୁଛନ୍ତି ସେମାନଙ୍କୁ ନିୟମିତ କରାଯିବ। ସୁପ୍ରିମକୋର୍ଟଙ୍କ ପକ୍ଷରୁ ଏ ସଂକ୍ରାନ୍ତରେ ଏକ ନିର୍ଦେଶନାମାକୁ ଆଧାର କରି ରାଜ୍ୟ ସରକାର ଏହିଭଳି ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି। ଏହି ମର୍ମରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସବୁ ବିଭାଗ ମୁଖ୍ୟ, ମୁଖ୍ୟ ଦପ୍ତର, ଜିଲାପାଳ ଏବଂ ଆରଡିସିଙ୍କଠାରୁ ତଥ୍ୟ ଲୋଡାଯାଇଛି।

ସାଧାରଣ ପ୍ରଶାସନ ବିଭାଗ ସ୍ବତନ୍ତ୍ର ଶାସନ ସଚିବ ଗଣେଶଚନ୍ଦ୍ର ପାତ୍ର ସବୁ ବିଭାଗ ମୁଖ୍ୟଙ୍କୁ ଦେଇଥିବା ପତ୍ରରେ ଦର୍ଶାଇଛନ୍ତି ଯେ, ଠିକା କର୍ମଚାରୀଙ୍କୁ ରାଜ୍ୟ ସରକାର ନିୟମିତ କରିବା ପାଇଁ ବିଚାର କରିଛନ୍ତି। ତେବେ ନିୟମିତ ବେଳେ ବିଭିନ୍ନ ପ୍ରକ୍ରିୟାକୁ ଅନୁସରଣ କରାଯିବ। ଯଦି କର୍ମଚାରୀ ଜଣକ ସରକାରଙ୍କ ନିର୍ଦିଷ୍ଟ ପ୍ରକ୍ରିୟା ଦେଇ ଠିକା ନିଯୁକ୍ତି ପାଇଥିବେ ଏବଂ ୬ ବର୍ଷରୁ ଊର୍ଦ୍ଧ୍ବ ସମୟ କାର୍ଯ୍ୟ କରିଥିବେ ତାକୁ ନିୟମିତ କରାଯିବ।

ଶ୍ରୀ ପାତ୍ର ଦର୍ଶାଇଛନ୍ତି ଯେ ବହୁ ଠିକା କର୍ମଚାରୀ ସେମାନଙ୍କ ନିୟମିତ ପାଇଁ ବିଭିନ୍ନ ନ୍ୟାୟାଳୟର ଆଶ୍ରୟ ନେଉଛନ୍ତି। ଏହାଦ୍ବାରା କାର୍ଯ୍ୟ ଚାପ ବଢ଼ୁଛି। ଅନ୍ୟପକ୍ଷରେ ଆଇନ ଆଖିରେ ପ୍ରତ୍ୟେକ ଯୋଗ୍ୟ ପ୍ରାର୍ଥୀଙ୍କୁ ଉଚିତ୍ ପ୍ରାପ୍ୟ ମିଳିବା ଉଚିତ୍। ତେବେ ଯେଉଁମାନେ ବେଆଇନ ଭାବେ ନିଯୁକ୍ତି ପାଇ ରହିଛନ୍ତି, ସେମାନଙ୍କୁ ନିୟମିତ ପ୍ରକ୍ରିୟାରେ ନିଆଯିବ ନାହିଁ। ଉମା ଦେବୀଙ୍କ ଏକ ମାମଲାରେ ସୁପ୍ରିମକୋର୍ଟ ପକ୍ଷରୁ ଯେଉଁ ଗୁରୁତ୍ବପୂର୍ଣ୍ଣ ରାୟ ପ୍ରକାଶ ପାଇଛି ତା’ର ଆଧାରରେ ଠିକା କର୍ମଚାରୀଙ୍କୁ ନିୟମିତ କରାଯିବ। ଏହାକୁ ଦୃଷ୍ଟିରେ ରଖି ଜିଲାସ୍ତରରୁ ଆରମ୍ଭ କରି ରାଜ୍ୟସ୍ତର ପର୍ଯ୍ୟନ୍ତ ଯେତେସବୁ ଠିକା କର୍ମଚାରୀ ଅଛନ୍ତି ତାଙ୍କର ସମ୍ପୂର୍ଣ୍ଣ ବିବରଣୀକୁ ଯାଞ୍ଚ କରି ସରକାରଙ୍କୁ ଅବଗତ କରାଇବାକୁ ନିର୍ଦେଶ ଦିଆଯାଇଛି। ତେବେ ସେଥିମଧ୍ୟରୁ ଯେଉଁ ଠିକା କର୍ମଚାରୀମାନେ ସାଧାରଣ ପ୍ରଶାସନ ବିଭାଗର ୨୦୧୩ ସଂକଳ୍ପନାମା ଅନୁସରଣ କରୁଛନ୍ତି ସେମାନଙ୍କୁ ଗ୍ରୁପ୍-ସି ଏବଂ ଡି’ ବର୍ଗଙ୍କୁ ନିୟମିତ କରାଯିବା ବେଳେ ଗୁରୁତ୍ବ ଦିଆଯିବ।

ସେହିପରି ଗ୍ରୁପ୍-ବି ବର୍ଗଙ୍କ କ୍ଷେତ୍ରରେ ୨୦୧୪ ନିର୍ଦେଶନାମାକୁ ଅନୁସରଣ କରିବାକୁ ପଡ଼ିବ। ଠିକା କର୍ମଚାରୀଙ୍କ ବିବରଣୀ ପ୍ରଦାନ ବେଳେ ସଂପୃକ୍ତ କର୍ମଚାରୀଙ୍କ ନିଯୁକ୍ତି କେବେ ହୋଇଛି, ଉକ୍ତ ପଦଟି ପାଇଁ ଅର୍ଥ ବିଭାଗର ଅନୁମୋଦନ ରହିଛି ନା ନାହିଁ ଏବଂ ସଂପୃକ୍ତ ବ୍ୟକ୍ତିବିଶେଷଙ୍କ ଯୋଗ୍ୟତା ନିଯୁକ୍ତି ବେଳେ ଥିଲା କି ନାହିଁ ତାହା ତନଖି କରିବାକୁ ଶ୍ରୀ ପାତ୍ର ଦର୍ଶାଇଛନ୍ତି।

ଶ୍ରୀ ପାତ୍ର ସ୍ପଷ୍ଟ କରିଛନ୍ତି ଯେ ଯେଉଁ ଠିକା କର୍ମଚାରୀମାନେ ୨୦୧୩ ନିୟମ ଅନୁଯାୟୀ ନିଯୁକ୍ତି ପାଇଥିବେ ଏବଂ ୬ବର୍ଷ କାର୍ଯ୍ୟ କରିଥିବେ ସେମାନଙ୍କୁ ନିୟମିତ କରାଯିବାରେ କୌଣସି ଅସୁବିଧା ନାହିଁ। ସେହିପରି ଅନ୍ୟ କେତେକ ବର୍ଗଙ୍କୁ ଉମା ଦେବୀଙ୍କ ମାମଲାରେ ସୁପ୍ରିମକୋର୍ଟଙ୍କ ନିର୍ଦେଶନାମା ଅନୁଯାୟୀ ନିୟମିତ କରାଯିବାକୁ ରହିଥିବାବେଳେ ଆଉ କେତେକଙ୍କୁ ୨୦୧୩ ଏବଂ ୨୦୧୪ ନିର୍ଦେଶନାମା ଅନୁଯାୟୀ ୩ବର୍ଷ ପରିତୃପ୍ତି କାର୍ଯ୍ୟ କରିଥିବେ ସେମାନଙ୍କୁ ମଧ୍ୟ ନିୟମିତ କରାଯିବ। ଅନ୍ୟ ଠିକା କର୍ମଚାରୀଙ୍କୁ ଏହି ନିୟମିତ ପ୍ରକ୍ରିୟାରେ ସାମିଲ ନ କରିବା ପାଇଁ ଶ୍ରୀ ପାତ୍ର ଦର୍ଶାଇଛନ୍ତି।

Comments
Loading...