ତିକନପୁର ଗ୍ରାମ ପଞ୍ଚାୟତର ଜିରାଳ ପଡା ଗ୍ରାମ କଣ୍ଟେନମେଣ୍ଟ ଜୋନ୍‍ ଘୋଷିତ

ଗରଦପୁର: ଗରଦପୁର ବ୍ଲକ୍‍ ତିକନପୁର ଗ୍ରାମ ପଞ୍ଚାୟତ ରସିଲାବାଦର ପଡା ଗ୍ରାମ ଜିରାଳ(ୱାର୍ଡ ନଂ.୧୫)କୁ ୭ ଦିନ ପାଇଁ କଣ୍ଟେନମେଣ୍ଟ ଜୋନ୍‍ ଭାବେ ଘୋଷଣା କରାଯାଇଛି। ଏହି ଗ୍ରାମର ଜନୈକ ଯୁବକଙ୍କର ସ୍ୱାବ୍‍ କରୋନା ପଜିଟିଭ ଚିହ୍ନଟ ହେବା ପରେ ପ୍ରଶାସନ ତରଫରୁ ଗରଦପୁର ବିଡିଓ ରଞ୍ଜିତ୍‍ କୁମାର ମଲ୍ଲିକ, ତହସିଲଦାର ଧରଣୀଧର ବେହେରା, ମେଡିକାଲ ଟିମ୍‍ ସମେତ ଅଙ୍ଗନୱାଡୀ କର୍ମୀ, ଆଶା କର୍ମୀ ଘଟଣାସ୍ଥଳରେ ପହଞ୍ଚି ଏହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‍ ଭାବେ ଘୋଷଣା କରିବା ସହିତ ସଂକ୍ରମିତ ଯୁବକଙ୍କୁ ଛତା ସ୍ଥିତ କେନ୍ଦ୍ରାପଡା କୋଭିଡ୍‍ ହସ୍‍ପିଟାଲକୁ ପଠାଇ ଦେଇଛନ୍ତି। ତେଣୁ ଗରଦପୁର ବ୍ଲକ୍‍ର ସମସ୍ତ ପଞ୍ଚାୟତରେ କୋକୁଆ ଭୟ ସୃଷ୍ଟି ହୋଇଛି। କାରଣ ଉକ୍ତ ଯୁବକ ଘରେ ରହି ବିଭିନ୍ନ ପ୍ରକାର ବୈଦ୍ୟୁତିକ ଉପକରଣ କାର୍ଯ୍ୟରେ ନିୟୋଜିତ ଥିଲା। କିଛି ଦିନ ତଳେ ତାକୁ ଥଣ୍ଡା ଜ୍ୱର ସହିତ କାଶ ହେଉଥିଲା। ସେ ଘରେ ରହି ଚିକିତ୍ସିତ ହେଉଥିଲାବେଳେ ବିଭିନ୍ନ ସ୍ଥାନକୁ ଯାଇ ବିଭିନ୍ନ ଲୋକଙ୍କ ସଂସ୍ପର୍ଶରେ ଆସିଥିବା ଜଣାଯାଇଛି। ପ୍ରଶାସନ ତରଫରୁ ଆଜି ଏହି ଅଞ୍ଚଳରେ ସେହି ଲୋକର ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଚିହ୍ନଟ କରାଯାଉଛି। ଆଗାମୀ କାଲି ସେହି ଲୋକମାନଙ୍କର ସ୍ୱାବ୍‍ ଟେଷ୍ଟ କରାଯିବ ବୋଲି ପ୍ରଶାସନ ତରଫରୁ ପ୍ରକାଶ କରାଯାଇଛି। ଆହୁରିମଧ୍ୟ କୋରୁଆ ଅଗ୍ନୀଶମ ସେବା କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ସେହି ଲୋକର ଘର ସମେତ ଉକ୍ତ ୱାର୍ଡକୁ ସାନିଟାଇଜ୍‍ କରିଛନ୍ତି।

Comments are closed.