ରାଜଧାନୀରେ ଅପମିଶ୍ରିତ ଆଚାର, ସସ୍‍ କାରଖାନା ଠାବ

ଉତ୍ତର ଭୁବନେଶ୍ୱର/ବାଲିଅନ୍ତା: ବୁଧବାର ପୁଣି ଏକ ଅପମିଶ୍ରିତ ଆଚାର ଓ ସସ୍‍ କାରଖାନା ଠାବ କରାଯାଇଛି। ଭୁବନେଶ୍ୱର ଉପକଣ୍ଠ ପାହାଳ ରୁଦ୍ରପୁର ଅଞ୍ଚଳରେ ଗତ ୩ ବର୍ଷ ତଳୁ ଚାଲି ଆସୁଥିବା ପୁଲପିନା କାରଖାନା ନାମରେ ପିକେ ଫୁଡ ପ୍ରଡକ୍ଟସ୍‌ର ଆଚାର ଓ ସସ୍‍ ବଜାରକୁ ଯାଉଥିଲା। ସେହି ଆଚାର ଓ ସସ୍‍ ଅତି ନିମ୍ନମାନର ବୋଲି ଅଭିଯୋଗ ହୋଇଥିବାବେଳେ ଏହାର ବାସ୍ତବସ୍ଥିତି ଜାଣିବା ପାଇଁ ସ୍ୱତନ୍ତ୍ର ଭାବେ କମିସନରେଟ ପୁଲିସ ଏବଂ ଖାଦ୍ୟ ନିରାପତ୍ତା ଅଧିକାରୀଙ୍କ ମିଳିତ ସହଯୋଗରେ ବୁଧବାର ପୂର୍ବାହ୍ନରେ କାରଖାନା ଉପରେ ଚଢ଼ଉ କରାଯାଇଥିଲା। ଚଢ଼ଉବେଳେ ବିପୁଳ ସାମଗ୍ରୀ ସହ କଞ୍ଚାମାଲ୍‌କୁ ପୁଲିସ ଜବତ କରିଥିବାବେଳେ ମାଲିକ ଓ କର୍ମଚାରୀ ଫେରାର ହୋଇଯାଇଥିଲେ।

କାରଖାନାରୁ ପ୍ରସ୍ତୁତ ଖାଦ୍ୟ ସାମଗ୍ରୀର ମାନ ନିର୍ଦ୍ଧାରଣ ପାଇଁ ଖାଦ୍ୟସୁରକ୍ଷା ଅଧିକାରୀ ପ୍ରତୀକ୍ଷା ଦାସ ନମୁନା ସଂଗ୍ରହ କରିବା ସହ ପରୀକ୍ଷାଗାରକୁ ପଠାଇଛନ୍ତି। ଏହି କାରଖାନାକୁ ପାହାଳ ଜୟପୁର ଅଞ୍ଚଳ ପାଇଁ ଅନୁମତିପତ୍ର ମିଳିଥିବା ବେଳେ ଗତ ୩ବର୍ଷ ତଳୁ ରୁଦ୍ରପୁରରେ ଚାଲୁଥିବା ଚଢ଼ଉ ବେଳେ ଜଣାପଡ଼ିଛି। ପ୍ରସ୍ତୁତି ସମୟରେ ସ୍ୱଚ୍ଛତା ପାଳନ କରାଯାଇ ନଥିବା ଓ କେତେକ ଆଚାରରେ ଦୀର୍ଘଦିନ ଧରି ପୋକ ସାଲୁବାଲୁ ହେଉଥିବା ଏବଂ କଞ୍ଚାମାଲ୍‌ ଯଥା- ଆମ୍ବ, ଲେମ୍ବୁ, ଟମାଟୋ, ଗାଜର ଆଦି ସଢ଼ି ଯାଇଥିବା ଦେଖିବାକୁ ମିଳିଥିଲା। ଏହି ସାମଗ୍ରୀ ଥିବା ସ୍ଥାନରେ ପୋକ ଚାଲୁଥିବା ସ୍କ୍ୱାଡ୍‌ ଓ ଖାଦ୍ୟ ନିରାପତ୍ତା ଅଧିକାରୀ ଦେଖିଥିବା କହିଛନ୍ତି। ଗୁରୁତ୍ବପୂର୍ଣ୍ଣ କଥା ହେଲା କୌଣସି ଖାଦ୍ୟ ପଦାର୍ଥ ପ୍ରସ୍ତୁତି ପାଇଁ ରାସାୟନିକ ଏବଂ ରଙ୍ଗ ବ୍ୟବହାର କରିବାକୁ ବାରଣ କରାଯାଇଥିବା ବେଳେ ଏଠାରେ ପ୍ରଚୁର ମାତ୍ରାରେ ରାସାୟନିକ ଓ ରଙ୍ଗ ବ୍ୟବହାର କରାଯାଇଥିବା ଜଣାପଡ଼ିଛି ବୋଲି ଖାଦ୍ୟ ନିରାପତ୍ତା ଅଧିକାରୀ କହିଛନ୍ତି। ରଙ୍ଗ ଓ ରାସାୟନିକ ପଦାର୍ଥ ବ୍ୟବହାର ପାଇଁ ଅନୁମତି ମିଳିଛି କି ନାହିଁ ତାହା ତର୍ଜମା କରାଯାଉଥିବାବେଳେ ପ୍ରସ୍ତୁତ ଖାଦ୍ୟ ସାମଗ୍ରୀର ନମୁନା ସଂଗ୍ରହ କରାଯାଇଛି।

ଉକ୍ତ କମ୍ପାନୀ ବିରୋଧରେ ଏକ ମାମଲା ରୁଜୁ କରାଯାଇ ଅନିର୍ଦିଷ୍ଟକାଳ ପାଇଁ ତାକୁ ବନ୍ଦ କରି ଦିଆଯାଇଥିବା ଜଣାପଡ଼ିଛି। କାରଖାନାର ବିଭିନ୍ନ ସରଞ୍ଜାମ ଓ ପ୍ରସ୍ତୁତ ସାମଗ୍ରୀର ଆନୁମାନିକ ମୂଲ୍ୟ ୨୫ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି।

Comments are closed.