ରୋଗୀଙ୍କ କଣ୍ଟାକ୍ଟ ଟ୍ରେସିଂକୁ ନେଇ ସନ୍ଦେହ

ବଲାଙ୍ଗୀର : ଗୁରୁବାର ବଲାଙ୍ଗୀର ଜିଲାରେ ଚିହ୍ନଟ ହୋଇଥିବା ୬ଜଣ କରୋନା ରୋଗୀଙ୍କ ମଧ୍ୟରୁ ଜଣେ ଯୁବତୀ ଆଗଲପୁର ବ୍ଲକ ନଅଗାଁ(ଖ)ର ବୋଲି ଜଣାପଡିଛି। ବଲାଙ୍ଗୀର ରେଜିଷ୍ଟ୍ରି କାର୍ଯ୍ୟାଳୟରେ ସେ କାମ କରୁଥିବା ବେଳେ ସେଠାରେ ବାହାରିଥିବା ପୂର୍ବ ରୋଗୀଙ୍କ ସହ ଆସି ସେ ସଂକ୍ରମିତ ହୋଇଥିବା ଜଣାପଡିଛି। କିନ୍ତୁ ଏହି ରୋଗୀ ଜଣଙ୍କର ଠିକଣା ସରକାରୀ ରିପୋର୍ଟରେ ଲୋଇସିଂହା ବ୍ଲକ ସଦର ଗାଁ ଲୋଇସିଂହା ଦର୍ଶାଯାଇଥିବା ଜଣାପଡିଛି। ଯାହାକୁ ନେଇ ଦ୍ୱନ୍ଦ ଦେଖାଦେଇଥିବା ବେଳେ ରୋଗୀଙ୍କ ଠିକଣା ଭୁଲ ଥିବା ଅଭିଯୋଗ ହୋଇଛି। ତେବେ କରୋନା ପଜିଟିଭ ରୋଗୀଙ୍କ ଠିକଣାରେ ଏତେ ବଡ ଭୁଳ ହେଲା କେମିତି? ରୋଗୀ ଜଣକ ଭୁଲ ଠିକଣା ଦେଇଥିଲେ ନା ପ୍ରଶାସନିକ ତ୍ରୃଟି ରହିଛି। ଭୁଲ ଠିକଣା ଥିବା ଯୋଗୁ ଏହି ରୋଗୀଙ୍କ ଗସ୍ତ କଣ୍ଟେକ୍ଟ ଟ୍ରେସିଂ କିପରି କରାଯିବ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। ଯଦି କର୍ମଚାରୀ ଜଣକ ଜାଣିଶୁଣି ପ୍ରଶାସନକୁ ଭୁତେଇବା ପାଇଁ ଭୁଲ ଠିକଣା ଦେଇଥିବେ ତା ହେଲେ ତାଙ୍କ ବିରୁଦ୍ଧରେ ପ୍ରଶାସନିକ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହୋଇଛି ।

Comments are closed.