କରୋନା ସହାୟତା : ୩କୋଟି ୭ଲକ୍ଷରୁ ଅଧିକ ନିର୍ମାଣ ଶ୍ରମିକଙ୍କୁ ମିଳିଛି ଆର୍ଥିକ ସହାୟତା

ନୂଆଦିଲ୍ଲୀ : କୋଭିଡ୍‍-୧୯ ସଂକ୍ରମଣ ଯୋଗୁଁ ବର୍ତ୍ତମାନ ଦେଶବ୍ୟାପି ଦ୍ୱିତୀୟ ପର୍ଯ୍ୟାୟ ଲକ୍‍ଡାଉନ ଜାରି ରହିଥିବାରୁ ବିଭିନ୍ନ ପ୍ରକାରର ନିର୍ମାଣ କାର୍ଯ୍ୟ ବନ୍ଦ ହୋଇଯିବା କାରଣରୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନ୍ତର୍ଗତ କୋଠା ବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକମାନଙ୍କୁ ସରକାରଙ୍କ ପକ୍ଷରୁ ୧୫୦୦ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି।

କେନ୍ଦ୍ର ସରକାରଙ୍କ ଆଇନ ଅନୁଯାୟୀ ଗଠନ କରାଯାଇଥିବା ତଥା ବିଭିନ୍ନ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ହେଉଥିବା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ପାଣ୍ଠିରୁ ଏହି ଯୋଜନା ଅଧୀନରେ ୩କୋଟି ୭ଲକ୍ଷ ହିତାଧିକାରୀମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।
ନିକଟରେ ମାଲକାନଗିରି ଜିଲ୍ଲାର ଖଇରପୁଟ ବ୍ଲକ ଅନ୍ତର୍ଗତ ମୁଦୁଲିପଡ଼ା ପଞ୍ଚାୟତ ବନ୍ଧୁଗୁଡ଼ା ଗ୍ରାମରେ ବଣ୍ଡା ଜନଜାତିର ନିର୍ମାଣ ଶ୍ରମିକ ମାନଙ୍କୁ ଏହି ଯୋଜନାରେ ୧୫ଶହ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ
କରାଯାଇଥିଲା। ସଂପୃକ୍ତ ଗ୍ରାମର ଯାତ୍ରୀ ବିଶ୍ରାମାଗାରରେ ହିତାଧିକାରୀଙ୍କୁ ଏହି ଅର୍ଥ ପ୍ରଦାନ କରାଯାଇଥିଲା। ଏଥିପାଇଁ ସାମାଜିକ ଦୂରତା ବଜାୟ ରଖିବାକୁ ପରାମର୍ଶ ଦିଆଯାଇଥିବା ବେଳେ ହିତାଧିକାରୀମାନେ ୧ ମିଟର
ଦୂରତାରେ ଠିଆ ହୋଇ ଏହି ଅର୍ଥ ଗ୍ରହଣ କରିଥିଲେ।

Comments are closed.