ରଥଖଳା ଖବର : ସରିଲା ୪୨ ଚକ ନିର୍ମାଣ

ପୁରୀ : ତିନିରଥ ନିର୍ମାଣ ନିମନ୍ତେ ୪୨ଗୋଟି ଚକ କାର୍ଯ୍ୟ ସୋମବାର ଶେଷହୋଇଛି। ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥପାଇଁ ୧୬, ଶ୍ରୀବଳଭଦ୍ରଙ୍କ ତାଳଧ୍ବଜ ନିମନ୍ତେ ୧୪ ଏବଂ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥପାଇଁ ୧୨ଟି ଚକ ନିର୍ମାଣ କରାଯାଇଛି। ତୁମ୍ବରେ ଅର ଏବଂ ପହି ସଂଯୋଗ କରାଯାଇ ଚକ ନିର୍ମାଣ ହୋଇଛି। ତିନିରଥ ପାଇଁ ଦଣ୍ଡା ନିର୍ମାଣ ଆରମ୍ଭ ହୋଇଛି। ତାଳଧ୍ବଜ ରଥପାଇଁ ୯, ନନ୍ଦିଘୋଷ ପାଇଁ ୯ ଏବଂ ଦର୍ପଦଳନ ପାଇଁ ୭ଟି ଦଣ୍ଡା ଆବଶ୍ୟକ। ସେଥିରୁ ପ୍ରତ୍ୟେକ ରଥପାଇଁ ୫ଟି ଲେଖାଏ ଦଣ୍ଡାକାଠ ଚଉପଟ କରାଯାଇଛି। ରୂପକାର ସେବକଙ୍କ ଦ୍ବାରା ଗୁଜ ଗୁଡିକରେ ସିଂହବିରାଳ ଖୋଦେଇ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ତାଳଧ୍ବଜ ରଥର ସମସ୍ତ ଗୁଜରେ ସିଂହବିରାଳ ଖୋଦେଇ ଶେଷ ହୋଇଛି। ସୋମବାର ନାଟଗୋଡ ଗୁଡିକରେ ସାଲ କରାଯାଇଛି। ପ୍ରତି ରଥରେ ୮ଟି ଲେଖାଏ ନାଟଗୋଡ ଲଗାଯାଇ ଥାଏ। ରଥର ଦୁଆରବେଢାରେ ୨ଟି ଲେଖାଏ ନାଟଗୋଡ ଲଗାଯାଏ। ସେଥିରେ ସାଲହେବା ପରେ ରୂପକାରଙ୍କ ଦ୍ବାରା ରାହୁମୂର୍ତ୍ତି ଖୋଦେଇ କରାଯିବ। ସେହିପରି ଗୟଳ କାର୍ଯ୍ୟ ଅବ୍ୟାହତ ରହିଛି। ଦୋଳବେଦୀ ଉପରେ କରତି ସେବକମାନେ ଗୟଳ ନିର୍ମାଣ ପାଇଁ କାଠ କାଟୁଛନ୍ତି। ରଥ ନିର୍ମାଣରେ ପୋଲାଗୟଳ ଏବଂ ଛନ୍ଦାଗୟଳ ସଂଯୋଗ କରାଯିବ। ପୋଲାଗୟଳ ଚିରଟ ପୂର୍ବରୁ ଚଉପଟ କରାଯିବା ସହ ସୂତାବାଡେଇ ମାପ ଦିଆଯିବ। ସୋମବାର ସନ୍ଧ୍ୟାସୁଦ୍ଧା ଗୟଳ ଗୁଡିକର ଚଉପଟ କାର୍ଯ୍ୟ ଶେଷ ହୋଇଛି। ମଙ୍ଗଳବାରଠାରୁ ମୁହାଣ୍ଟ ନିର୍ମାଣ ଆରମ୍ଭ କରାଯିବ। ଏଥିପାଇଁ ରଥଖଳା​‌େ​‌ର କାଠ ପହଞ୍ଚିଛି। ପ୍ରତ୍ୟେକ ରଥରେ ୪ଟି ଲେଖାଏ ମୁହାଣ୍ଟ ଲଗାଯାଇଥାଏ। ସେଥିରେ ଆଗ, ପଛ ଏବଂ ପାର୍ଶ୍ବ ମୁହାଣ୍ଟ ରହିଛି। ଦୋଳବେଦୀ କୋଣସ୍ଥିତ ଅସ୍ଥାୟୀ କମାରଶାଳରେ କମାର (ଓଝା) ସେବକଙ୍କ ଦ୍ବାରା ଦଣ୍ଡାକଣ୍ଟା, ଗୟଳକଣ୍ଟା, ଯୋଖା, ଗୋଡିଛାଲ କଣ୍ଟା ପ୍ରସ୍ତୁତ କରାଯାଉଛି। ରଥଖଳାରେ ସୋମବାର ମହାରଣା, ଭୋଇ, ରୂପକାର ଏବଂ କମାର ସେବକଙ୍କ ଥର୍ମାଲ ସ୍କ୍ରିନିଂ କରାଯାଇଛି।

Comments are closed.