ଧାମରା ବିମାନ ବନ୍ଦର ପାଇଁ ଜମି ଚିହ୍ନଟ ପ୍ରକ୍ରିୟା ଆରମ୍ଭ

ଧାମରା: ଧାମରାରେ ଥିବା ଆଦାନୀ ବନ୍ଦରର ଅଭିବୃଦ୍ଧିକୁ ନଜରରେ ରଖି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ବିଭାଗ ରାଜ୍ୟ ସରକାରଙ୍କ ଅନୁରୋଧରେ ଧାମରାଠାରେ ଏକ ବିମାନ ବନ୍ଦର ପାଇଁ ଜମି ଚିହ୍ନଟ ପ୍ରକ୍ରିୟା ଆରମ୍ଭ ପାଇଁ ଆଦେଶ ଦେଇଥିଲେ। ଏ ନେଇ ଭଦ୍ରକ ଜିଲ୍ଲାପାଳ, ଚାନ୍ଦବାଲି ତହସିଲଦାର ଏବଂ ବାସୁଦେବପୁର ତହସିଲଦାରଙ୍କୁ ଜମି ଚିହ୍ନଟ ପାଇଁ ଆଦେଶ ଦେବା ପରେ ଧାମରା ଅତିରିକ୍ତ ତହସିଲଦାରଙ୍କ ଅଧିନରେ ଥିବା କଇଥଖୋଲା ପଂଚାୟତର ହୃଦୟପ୍ରସାଦ ମୌଜାରେ ଥିବା ୩ଶହରୁ ଉର୍ଦ୍ଧ ଏକର ଜମି ଚିହ୍ନଟ ହୋଇଥିଲା। ସେହି ଜମି ଗୁଡିକ କେନ୍ଦ୍ର ସରକାରଙ୍କ ଅଧିନରେ ଥିବା ସିଆରଜେଡ ଜୋନର ଅର୍ନ୍ତଭୁକ୍ତ। ତେଣୁ ସିଆରଜେଡ ଜୋନର ପୁନଃ ସୀମା ନିର୍ଧାରଣ ହେବା ଜରୁରୀ ବୋଲି ରାଜ୍ୟ ସରକାରଙ୍କୁ ଅବଗତ କରାଇବା ପରେ ଜିଲ୍ଲାପାଳ କେନ୍ଦ୍ର ସରକାରଙ୍କୁ ଚିଠି କରିଥିଲେ।। ଏହି ପଡିଆ ପାଇଁ ପ୍ରାଥମିକ ସ୍ତରରେ ଯାତାୟତ ରାସ୍ତା ପାଇଁ ଓସାର ୪ଶହ ମିଟର ହେବା ଜରୁରୀ ହୋଇ ପଡିଥିବା ବେଳେ ଅତି କମରେ ଲମ୍ବ ୩କି.ମି ଏବଂ ଜମିର ପରିମାଣ ୩ଶହ ଏକର ହେବା ଜରୁରୀ ବୋଲି ଜଣାଯାଇଛି। କଇଥଖୋଲା ପଂଚାୟତରେ ଏହି ସିଆରଜେଡ ଜୋନର ପୁନଃ ସୀମା ନିର୍ଧାରଣ ହେବା ଜରୁରୀ ହୋଇ ପଡିଥିବା ବେଳେ ଉଡାଜାହାଜ ପଡିଆ ପାଇଁ କେନ୍ଦ୍ର ସରକାରଙ୍କ ଅନୁମତି ମିଳିବା ପରେ ଏହି ସ୍ଥାନ ସର୍ବୋକୃଷ୍ଠ ହୋଇ ପାରିବ ବୋଲି ଜଣାଯାଇଛିି।

କଇଥଖୋଲା ପଂଚାୟତରେ ସମୁଦାୟ ୩ଶହ ଏକର ଜମି ଉପଲବ୍ଧ।ସେହି ପରି ଧାମରା ଅତିରିକ୍ତ ତହସିଲଦାରଙ୍କ ଅଧିନରେ ଥିବା କରଣପଲ୍ଲୀ ପଂଚାୟତରେ କରଣପଲ୍ଲୀ, ବିଜୟପାଟଣା, କୁଆମରା ମୌଜାରେ ୧୭୫ ଏକର ଜମି ରହିଥିବା ବେଳେ ଆବଶ୍ୟକ ପଡୁଥିବା ଅବଶିଷ୍ଟ ଜମି ବାସୁଦେବପୁର ତହସିଲ ଅଧିନ ତଥା ନାୟକାଣିଡିହ ରାଜସ୍ୱ ଅଧିକାରୀଙ୍କ ଅଧିନସ୍ଥ ନନ୍ଦପାଟଣା, ବାଲିମୁଣ୍ଡା ଏବଂ ବଡହବାଳିସାହିରେ ୨୨୫ ଏକର ଜମି ଅଛି ବୋଲି ଚାନ୍ଦବାଲ ଏବଂ ବାସୁଦେବପୁର ତହସିଲ ପକ୍ଷରୁ ସର୍ଭେ ହୋଇଥିବା ଜଣାଯାଇଛି। ଏହି ୨ ତହସିଲ ଅଧିନରେ ୪ଶହ ଏକର ଜମି ଥିବା ବେଳେ ଏହି ଜମିର କିସମ ଲୁଣାପଟା ଏବଂ ବାଲିଚର ବୋଲି ଜଣାଯାଇଛି। ଏହି ଜମିରେ ମଧ୍ୟ ଉଡାଜାହାଜ ପଡିଆ ନିର୍ମାଣ ସମ୍ଭବ ବୋଲି ଜଣାଯାଇଛି।

କଇଥଖୋଲା ପଂଚାୟତ ଗୋଟିଏ ସ୍ଥାନରେ ୩ଶହ ଏକର ଜମି ଥିବା ବେଳେ ଯାତାୟତ ପାଇଁ ୪ଶହ ମିଟର ରାସ୍ତା ଏବଂ ଲମ୍ବ (ପରିସୀମା) ୩ କି.ମି ହୋଇଥିବା ବେଳେ ନନ୍ଦପାଟଣା, ବିଜୟପାଟଣା, କରଣପଲ୍ଲୀ ଏବଂ କୁଆମରାଠାରେ ୪ଶହ ଏକର ଜମି ଉପଲବ୍ଧ। ମାତ୍ର ଏହି ସ୍ଥାନରେ ଯାତାୟତ ପାଇଁ ଓସାର ୩ଶହ ମିଟର ଏବଂ ପରିସୀମା ୩କି.ମିରୁ କମ ବୋଲି ଜଣାଯାଇଛି। ଏଠାରେ ସୁଚନାଯୋଗ୍ୟ ଏହି ସମସ୍ତ ଜମି ଉଡାଜାହଜ ପଡିଆ ପାଇ ଉପଯୁକ୍ତ ହୋଇଥିବା ବେଳେ ଏହି ସମସ୍ତ ଜମି ସିଆରଜେଡ ଜୋନରେ ଅର୍ନ୍ତଭୁକ୍ତ।ଏହି ଜୋନର ୫ଶହ ମିଟର ମଧ୍ୟରେ କୌଣସି ନିର୍ମାଣକାର୍ଯ୍ୟ ସମ୍ଭବ ନୁହେଁ ଯଦି କେନ୍ଦ୍ର ସରକାର ଏହି ସିଆରଜେଡ ଜମିର ପୁନଃ ସୀମା ନିର୍ଧାରଣ କରିବେ ତାହା ହେଲେ ଏହି ୨ଟି ସ୍ଥାନ ମଧ୍ୟରୁ କଇଥଖୋଲା ପଂଚାୟତରେ ଥିବା ହୃଦୟପ୍ରସାଦ ମୌଜା ସର୍ବୋତ୍ତମ ସ୍ଥାନ ହେବା ସହ ଧାମରା ବନ୍ଦରର ପାର୍ଶ୍ଵବର୍ତ୍ତୀ ସ୍ଥାନ ହେବ।

ଆଜି ଭଦ୍ରକ ଜିଲ୍ଲାପାଲଙ୍କ ଆଦେଶରେ ଭଦ୍ରକ ଉପ ଜିଲ୍ଲାପାଳ, ଚାନ୍ଦବାଲି ତହସିଲଦାର, ବାସୁଦେବପୁର ତହସିଲଦାର, ଧାମରା ରାଜସ୍ୱ ସୁପରଭାଇଜର ପ୍ରମୁଖ ଏହି ୨ଟି ସ୍ଥାନର କ୍ଷେତ୍ରୀୟ ପରିଦର୍ଶନ କରିବା ସହ ଜିଲ୍ଲାପାଳ ଦେଇଥିବା ବ୍ଲୁ ପ୍ରିଣ୍ଟର ସରଜମିନ ତଦନ୍ତ କରି ଗୋଟିଏ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ କହିଥିଲେ। ଏହି ୨ଟି ସ୍ଥାନର ବ୍ଲୁ ପ୍ରିଣ୍ଟକୁ ସରଜମିନ ତଦନ୍ତ କରି ରିପୋର୍ଟ ପାଇବା ପରେ ଖୁବଶୀଘ୍ର ଏହି ସମସ୍ତ ଜମରି(ସିଆରଜେଡ) ଜୋନର ପୁନଃ ସୀମା ନିର୍ଧାରଣ ପ୍ରକ୍ରିୟା ଆରମ୍ଭ ହେବ ବୋଲି କ୍ଷେତ୍ରୀୟ ପରିଦର୍ଶନରେ ଆସିଥିବା ପ୍ରଶାସନ ଆଶାବାଦୀ ବୋଲି ଜଣାଯାଇଛି।କେନ୍ଦ୍ର ସରକାରଙ୍କ ଠାରୁ ଅନୁମତି ମିଳିବା ପରେ ଖୁବ ଶୀଘ୍ର ଏହି ୨ଟି ସ୍ଥାନ ମଧ୍ୟରୁ ବାସୁଦେବପୁର ଏବଂ ଚାନ୍ଦବାଲି ବ୍ଲକର ମଧ୍ୟ ସ୍ଥଳରେ ଥିବା ସ୍ଥାନ ଏହି ବିମାନ ବନ୍ଦର ପାଇଁ ସର୍ବୋକୃଷ୍ଠ ହେବ ବୋଲି ଜଣାଯାଇଛି।

Comments are closed.