ସମ୍ବିଧାନର ସଂଶୋଧନ

ଜାନୁଆରୀ-୨୬ ହେଉଛି ଦେଶବାସୀଙ୍କ ପାଇଁ ଏକ ପବିତ୍ର ଦିବସ, କାରଣ ଏହି ଦିନ ଭାରତର ସମ୍ବିଧାନ ଜନ୍ମନେଇ ଆଜି ପର୍ଯ୍ୟନ୍ତ ଦୃଢ଼ ଅବସ୍ଥାରେ ଅଛି। ଏହା ପୃଥିବୀର ଗଣତାନ୍ତ୍ରିକ ଦେଶ ମଧ୍ୟରେ ସବୁଠାରୁ ଦୀର୍ଘ ସମ୍ବିଧାନ ଓ ଏହାର ପ୍ରଣୟନ କର୍ତ୍ତାମାନେ ଥିଲେ ଦେଶର ବହୁ ବିଶିଷ୍ଟ ବ୍ୟକ୍ତି। ସମ୍ବିଧାନକୁ ମହାତ୍ମା ଗାନ୍ଧୀ ସମର୍ଥନ କରିଥିଲେ। ଆରମ୍ଭରେ ଥିଲା ୩୯୫ ଧାରା, ବର୍ତ୍ତମାନ ପହଞ୍ଚିଲାଣି ୪୪୮ରେ। ସମ୍ବିଧାନ ବାରମ୍ବାର ସଂଶୋଧିତ ହେଉଛି, କାରଣ ସମ୍ବିଧାନ ପ୍ରଣୟନ ଯେତେବେଳେ ଆଲୋଚିତ ହେଉଥିଲା (୧୯୪୬ରୁ ୧୯୪୯ ନଭେମ୍ବର ପର୍ଯ୍ୟନ୍ତ) ତାହା ଦେଶର ସଂସ୍କୃତି, ପରମ୍ପରା, ପ୍ରଚଳିତ ଆଇନ, ଶିକ୍ଷା ବ୍ୟବସ୍ଥା, ଜାତିଭେଦ,ଦାରିଦ୍ର୍ୟ ଏବଂ ସର୍ବୋପରି ସେ ସମୟର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଭବିଷ୍ୟତକୁ ଅନୁମାନ କରି କରାଯାଇଥିଲା। ବହୁ ଭାଷା, ଜାତି, ଗୋଷ୍ଠୀ, ଧର୍ମ, ଅସନ୍ତୁଳିତ ଆର୍ଥିକ ଅବସ୍ଥା ଇତ୍ୟାଦି ଥିବା ଏକ ଦେଶରେ ବାରମ୍ବାର ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ସମସ୍ୟା ଉପୁଜିବା ସ୍ବାଭାବିକ। ତେଣୁ ସେହି ପରିମାଣରେ ସମ୍ବିଧାନର ସଂଶୋଧନ କରାଯାଉଛି। ଏପର୍ଯ୍ୟନ୍ତ ୧୦୩ ଥର ସଂଶୋଧନ ହୋଇସାରିଲାଣି। ଯେଉଁମାନେ ପ୍ରଶ୍ନ କରନ୍ତି ଯେ ୧୭୮୭ରେ ହୋଇଥିବା ଆମେରିକାର ସମ୍ବିଧାନ ଏପର୍ଯ୍ୟନ୍ତ ମାତ୍ର ୨୭ ଥର ସଂଶୋଧିତ ହୋଇଛି, ଭାରତର ଏତେ କାହିଁକି ହେଉଛି ତା’ର ଉତ୍ତର ଦିଆଯାଇଛି।
ସମ୍ବିଧାନ ସଂଶୋଧନ ଛାଡ଼ନ୍ତୁ, କେତେକ ଗଣତାନ୍ତ୍ରିକ ରାଜ୍ୟରେ ସମ୍ବିଧାନକୁ ବାରମ୍ବାର ଅଦଳବଦଳ କରାଯାଇଛି। ସମ୍ବିଧାନକୁ ଯଥେଷ୍ଟ ସମ୍ମାନ ଦେଉଥିବା ଗଣତାନ୍ତ୍ରିକ ରାଷ୍ଟ୍ର ଫ୍ରାନ୍ସ, ଜର୍ମାନୀରେ ଏହା ହୋଇଛି। ପାକିସ୍ତାନରେ ସମ୍ବିଧାନର କିଛି ମୂଲ୍ୟ ନାହିଁ; କାରଣ ସେଠାରେ ସୈନ୍ୟବାହିନୀର ଇଚ୍ଛା ହିଁ ହେଉଛି ସମ୍ବିଧାନ। ସମ୍ବିଧାନର ସେହି ଅବସ୍ଥା ହୋଇଛି ଅନେକ ଏକଚ୍ଛତ୍ରବାଦୀ ଓ ବାମପନ୍ଥୀ ଦେଶମାନଙ୍କରେ। ଆମ ଦେଶର ସମ୍ବିଧାନ ହେଉଛି ସର୍ବୋଚ୍ଚ ଆଇନ୍‌ ତଥା ବିଭିନ୍ନ ଆଇନର ଉତ୍ସ। ସମ୍ବିଧାନର ଅବମାନନା ଅଗ୍ରହଣୀୟ ଏବଂ ସମ୍ବିଧାନ ଗଠନର ଦିବସ ମହାସମାରୋହରେ ପାଳିତ ହୁଏ। ସମୟର ସ୍ରୋତ ସାଙ୍ଗେ ସମ୍ବିଧାନ ତାଳ ଦେଇ ଚାଲିଛି, ଦିନକୁଦିନ ଦୃଢ଼ ହେଉଛି। ତେଣୁ ଆଶା କରାଯାଏ ଯେ ଏହା ଭାରତର ହେବ ଚିରସ୍ଥାୟୀ ସମ୍ବିଧାନ।
ସମ୍ବିଧାନର ୧୦୨ ସଂଶୋଧନ ମଧ୍ୟରୁ ୧୦୧ ସଂଶୋଧନ ସାଂସଦ (କେତେକ ସଂଶୋଧନ ଦେଶର ଅଧାରୁ ଊର୍ଦ୍ଧ୍ବ ବିଧାନସଭା ସମର୍ଥିତ) ଦ୍ବାରା କରାଯାଇଛି। କେବଳ ପ୍ରଥମ ସଂଶୋଧନ ନିର୍ବାଚନ ହେବା ପୂର୍ବରୁ କରାଯାଇଛି, ଅର୍ଥାତ୍‌ ସେତେବେଳର ସଂସଦ ଯାହା ସମଗ୍ର ଦେଶବାସୀଙ୍କର ପ୍ରତିନିଧିତ୍ବ କରୁନଥିଲା। ତା’ ଦ୍ବାରା ହୋଇଛି।
ଏହି ସଂଶୋଧନ ମଧ୍ୟରୁ ଅନେକ ସହଜରେ ହୋଇଗଲା, ଯେହେତୁ ଗୋଟିଏ ଦଳ (କଂଗ୍ରେସ) ଉଭୟ କେନ୍ଦ୍ର ଓ ରାଜ୍ୟର ନିଜର କର୍ତ୍ତୃତ୍ବ ବିସ୍ତାର କରିଥିଲା। ଯେହେତୁ ଆରମ୍ଭରୁ ୬୦ବର୍ଷ ପର୍ଯ୍ୟନ୍ତ ସୁରୁଖୁରୁରେ ସଂଶୋଧିତ ହେଉଥିଲା ଏବଂ ସମ୍ବିଧାନ ସଂଶୋଧନ କରିବାର ଆମର ଏକଚାଟିଆ ଅଧିକାର ଅଛି ଏହି ଭ୍ରମ ଧାରଣାରୁ ଅଳ୍ପ କେତେକ ଜନସ୍ବାର୍ଥ ବିରୋଧୀ ସଂଶୋଧନ କରିବା ବିରୋଧରେ ପ୍ରବଳ ପ୍ରତିକ୍ରିୟା ହୋଇଥଲା ଓ ବିଚାର ବିଭାଗ ତାହାକୁ ବାତିଲ କରିଦେଇଥିଲେ। ଯେତେବେଳେ ମୌଳିକ ଅଧିକାରକୁ ସରକାର କ୍ଷୟ କରିବା ପାଇଁ ପ୍ରୟାସ କରିଛନ୍ତି ବିଚାର ବିଭାଗ ତାହାକୁ ପଣ୍ଡ କରିବା ପାଇଁ ଚାହିଁଛନ୍ତି। ଅନେକ ସଂଶୋଧନ ହୋଇଛି ଏକଛତ୍ରବାଦ ଚିନ୍ତାଧାରା ପାଇଁ, କିନ୍ତୁ ବାକି ସମସ୍ତ ସଂଶୋଧନ ଆବଶ୍ୟକତା ଉପରେ ପ୍ରଶ୍ନ ଉଠାଇ ହେବନାହିଁ। ଏ ସଂକ୍ରାନ୍ତରେ ସୁପ୍ରିମକୋର୍ଟଙ୍କ କେତେକ ଗୁରୁତ୍ବପୂର୍ଣ୍ଣ ରାୟ ପ୍ରଣିଧାନଯୋଗ୍ୟ। ଦେଶ ସ୍ବାଧୀନ ହେବା ଦିନଠାରୁ ୧୯୬୬ ମସିହା ପର୍ଯ୍ୟନ୍ତ ପଣ୍ଡିତ ନେହେରୁ ଓ ଲାଲ ବାହାଦୁର ଶାସ୍ତ୍ରୀ (ଯଦିବା ବେଶୀଦିନ ପାଇଁ ନୁହେଁ) ପ୍ରଧାନମନ୍ତ୍ରୀ ଦାୟିତ୍ବରେ ରହିଲେ ସେ ସମୟ ଥିଲା ସର୍ଦାର ପଟେଲ, ଆବୁଲ କାଲାମ୍‌ ଆଜାଦ୍‌, ରାଜଗୋପାଳଚାରୀ, ଗୋବିନ୍ଦ ବଲ୍ଲଭ ପନ୍ଥ ଓ ବହୁ ମହାନ ବ୍ୟକ୍ତିଙ୍କର। ସେମାନେ ପ୍ରତ୍ୟେକଙ୍କ ମତକୁ ସମ୍ମାନ ଦେଉଥିଲେ, ତାଙ୍କର ଅଭିଜ୍ଞତା ଥିଲା ଯେ ସ୍ବାଧୀନତା ଆନ୍ଦୋଳନ ସମୟରେ ଗାଁ ଗାଁ ବୁଲି ଲୋକମାନଙ୍କର ଆବଶ୍ୟକତା ଜାଣିଥି​‌େ​‌ଲ। ଅନେକ ଥିଲେ ବିଖ୍ୟାତ ଲେଖକ, ଯଥା- ପଣ୍ଡିତ ନେହେରୁ, ରାଜଗୋପାଳଚାରୀ, କେ ମୁନ୍‌ସୀ ପ୍ରମୁଖ। ତେଣୁ ସେମାନେ କରିଥିବା ସମ୍ବିଧାନ ସଂଶୋଧନର ମହତ୍ତ୍ବ ଖୁବ୍‌ ବେଶି ଥିଲା ଓ ୧୯୬୫ ମସିହା ପର୍ଯ୍ୟନ୍ତ ବିଚାର ବିଭାଗ କୌଣସି ସମ୍ବିଧାନ ସଂଶୋଧନକୁ ବାତିଲ କରିନାହିଁ, ଯଦିବା ସେ ସମୟରେ ମଧ୍ୟ ବିଚାର ବିଭାଗ ନିରପେକ୍ଷ ଥିଲା ଏବଂ ବହୁ ବିଶିଷ୍ଟ ଆଇନଜ୍ଞ (ଜଷ୍ଟିସ କାନିଆ, ସୁଧୀର ରଞ୍ଜନ ଦାସ, ପାତଞ୍ଜଳି ଶାସ୍ତ୍ରୀ, ମହାଜନ ପ୍ରମୁଖ ) ବିଚାର ବିଭାଗର ସର୍ବୋଚ୍ଚ ସ୍ତରରେ ଥିଲେ। ସେହି ଅନୁରୂପ ଆଇନଜୀବୀ (ଏମ୍‌ ସି ଶୀତଳବାଦ, ଏଚ୍‌ ଏସ୍‌ ସିରଭାଇ, ନାନୀ ପାଲଖିୱାଲା, ସିଦ୍ଧାର୍ଥ ଶଙ୍କର ରାୟ ପ୍ରମୁଖ)ମାନେ ବିଚାର ବିଭାଗର ଅଂଶ ହୋଇ ତା’ର ମାନ ବଢ଼ାଇଲେ। ଦୁଇଟି ବିଖ୍ୟାତ ମାମଲା ସଜ୍ଜନ ସିଂହ ବନାମ ରାଜସ୍ଥାନ ସରକାର ଓ ଶଙ୍କରୀ ପ୍ରସାଦ ବନାମ ଭାରତ ସରକାର ସଂକ୍ରାନ୍ତରେ ରାୟ ଦେଇ ସୁପ୍ରିମ୍‌କୋର୍ଟ କହିଥିଲେ ଯେ ସଂସଦର ସମ୍ବିଧାନ ସଂଶୋଧନ କରିବା କ୍ଷମତା ଅସୀମ। ତା’ ସତ୍ତ୍ବେ ସେ ସମୟର ସରକାର ସଂଶୋଧନ କ୍ଷମତାର କୌଣସି ଅପ-ବ୍ୟବହାର କରି ନାହାନ୍ତି କିମ୍ବା ବିଚାର ବିଭାଗ ନିଜର ପ୍ରାଧାନ୍ୟ ବିସ୍ତାର କରିବା ପାଇଁ ଚେଷ୍ଟା କରିନାହାନ୍ତି। ସେମାନଙ୍କ ଆଚରଣ, ନ୍ୟାୟ ଦେବାର କ୍ଷମତା, ସଂସଦର ସମ୍ମାନ ଏବଂ ଉଚିତ୍ ଆଇନ୍‌ ପ୍ରଣୟନରୁ ପ୍ରତିପାଦିତ ହୁଏ ଯେ ଉଭୟ ଉଭୟଙ୍କୁ ସମ୍ମାନ ଦେଉଥିଲେ, କିନ୍ତୁ ଝଡ଼ ସୃଷ୍ଟି ହେଲା ଗୋ​‌ଲଖନାଥ ମାମଲାରେ। ୧୯୬୭ ମସିହାରେ ଗୋଲଖନାଥ ବନାମ ପଞ୍ଜାବ ସରକାର ମାମଲାର ଶୁଣାଣି ହେଲା ସୁପ୍ରିମକୋର୍ଟରେ। ସେ ପର୍ଯ୍ୟନ୍ତ ସୁପ୍ରିମକୋର୍ଟଙ୍କ ଆଦେଶ ଥିଲା ଯେ ସମ୍ବିଧାନ ସଂଶୋଧନ ଏକ ସାଧାରଣ ଆଇନ ନୁହେଁ, ଏହା ଏକ ସ୍ବତନ୍ତ୍ର ଆଇନ ଏବଂ ସେଥିପାଇଁ କୌଣସି ସ୍ବତନ୍ତ୍ର ସମ୍ବିଧାନ ସଭା ରହିବା ଦରକାର ନାହିଁ। ସଂସଦର ଏହି କ୍ଷମତାକୁ ସୀମିତ କରିବା ପାଇଁ ସମ୍ବିଧାନର କୌଣସି ବ୍ୟବସ୍ଥା ନାହିଁ। ଏପରିକି ମୌଳିକ ଅଧିକାରକୁ ବି ସଂସଦ ସଂଶୋଧନ କରିପାରିବେ। ଗୋଖନାଥ ମାମଲାରେ ସୁପ୍ରିମକୋର୍ଟ ନିଷ୍ପତ୍ତି ଦେଲେ ଯେ (ଛଅଜଣ ସପକ୍ଷରେ ପାଞ୍ଚଜଣ ବିପକ୍ଷରେ) ସମ୍ବିଧାନର ମୌଳିକ ଅଧିକାର ଅଂଶର କୌଣସିି ରକମ ସଂଶୋଧନ ହୋଇପାରିବ ନାହିଁ। ଯେହେତୁ ଅତୀତରେ ସମ୍ବିଧାନ ସଂଶୋଧନ କରି ସରକାର ଜମିଦାରୀ ଉଚ୍ଛେଦ, ଭାଗଚାଷ ଆଇନ ଇତ୍ୟାଦି ଅନେକ ଭୂସଂସ୍କାର ତଥା ଜନମଙ୍ଗଳକାରୀ ଆଇନ କରିଥିଲେ ଏହି ରାୟ ଭୀଷଣ ସମସ୍ୟା ସୃଷ୍ଟି କରିଥାଆନ୍ତା। ଯେଉଁମାନଙ୍କଠାରୁ ବଳକା ଜମି ନିଆଯାଇଥିଲା, ତାକୁ ଫେରେଇବାକୁ ପଡ଼ିଥାଆନ୍ତା ଏବଂ ଜମିଦାରମାନେ ପୁନଃ ସ୍ଥାପିତ ହୋଇଥାଆନ୍ତେ। ଭାଗ୍ୟକୁ ସୁପ୍ରିମକୋର୍ଟ କହିଲେ ଉକ୍ତ ଆଦେଶ ଏଣିକି ଲାଗୁହେବ। ୧୯୭୩ ମସିହାରେ ବିଖ୍ୟାତ କେଶବାନନ୍ଦ ଭାରତୀ ବନାମ କେରଳରାଜ୍ୟ ମାମଲା ସୁପ୍ରିମକୋର୍ଟକୁ ଆସିଲା। ସମ୍ବିଧାନ ହେବା ଦିନରୁ ଏଭଳି ଆଇନ ଲଢ଼େଇ କେବେ ହୋଇନାହିଁ। ଏହି ମାମଲାରେ ସୁପ୍ରିମକୋର୍ଟ ଗୋଲଖନାଥ ମାମଲାରେ ଦିଆଯାଇଥିବା ଆଦେଶକୁ ବାତିଲ କରିଦେଲେ। ସୁପ୍ରିମକୋର୍ଟଙ୍କ ଯୁକ୍ତିଥିଲା ଯେ ଧାରା ୩୬୮ (ସମ୍ବିଧାନ ସଂଶୋଧନ କରିବା ଆଇନ) ଯେହେତୁ ଏକ କ୍ଷମତା ଦେଉଛି ଓ ପ୍ରତ୍ୟେକ କ୍ଷମତାର ସୀମା ଅଛି, ତେଣୁ ସମ୍ବିଧାନ ସଂଶୋଧନ କରିବା ଅସୀମିତ କ୍ଷମତା ନୁହେଁ, ବରଂ ସୀମିତ କ୍ଷମତା। ସମ୍ବିଧାନ ସଂଶୋଧନ କରାଯାଇ ପାରିବ, ଏପରିକି ମୌଳିକ ଅଧିକାର, କିନ୍ତୁ ସମ୍ବିଧାନର ମୂଳଭିତ୍ତିକୁ ବଦଳାଇ ହେବନାହିଁ। ଏହି ଆଦେଶର ପୁନରାବୃତ୍ତି ହେଲା ମିନର୍ଭା ମିଲ ବନାମ ଭାରତ ସରକାର ଏବଂ ଇନ୍ଦିରାଗାନ୍ଧୀ ବନାମ ରାଜନାରାୟଣ ମାମଲାରେ। ସୁପ୍ରିମ କୋର୍ଟଙ୍କ ଆଶଙ୍କା (ଉଚିତ୍‌ ମଧ୍ୟ) ଥିଲା ଯେ ସଂସଦ ଧାରା ୩୬୮ର ଆଶ୍ରୟ ନେଇ ସମ୍ବିଧାନ ସଂଶୋଧନ କରିବା ଉଦ୍ଦେଶ୍ୟରେ ସବୁଧାରାକୁ ବଦଳେଇ ଦେଇପାରିବେ, ଅର୍ଥାତ ଏକ ନୂଆ ସମ୍ବିଧାନ କରିବେ। ତେଣୁ ମୂଳଭିତ୍ତି ନିୟମ ଅତ୍ୟାବଶ୍ୟକ। ଶୁଣିବା ପାଇଁ ଭଲ ଲାଗୁଛି, କିନ୍ତୁ ମୂଳଭିତ୍ତିକତାର ଉଦାହରଣ ଦେବାକୁ ଯାଇ ବିଭିନ୍ନ ବିଚାରପତିମାନେ ବିଭିନ୍ନ ସମୟରେ ଅନେକ କିଛି କହିଛନ୍ତି। କେଶବାନନ୍ଦ ଭାରତୀ ମାମଲା ଛାଡ଼ନ୍ତୁ, ପରବର୍ତ୍ତୀ ଅନେକ ମାମଲାରେ (ସମ୍ପଦ କୁମାର, ଚନ୍ଦ୍ର କୁମାର, ନରସିଂହ ରାଓ, ଶିବକୁମାର, ଇନ୍ଦ୍ର ସାହାଣୀ, ବୋମାଇ ମାମଲାରେ) ସୁପ୍ରିମକୋର୍ଟ ମୂଳଭିତ୍ତିର ସଂଖ୍ୟା ବଢ଼େଇ ଚାଲିଛନ୍ତି। ଏପରିକି ଇନ୍ଦିରା- ନେହେରୁ ଗାନ୍ଧୀ ମାମଲାରେ ବିଚାରପତି ଚନ୍ଦ୍ରଚୂଡ଼ ମନ୍ତବ୍ୟ ଦେଲେ ଯେ ପ୍ରତ୍ୟକ ମାମଲାରେ ଅବସ୍ଥାକୁ ଦେଖି ମୂଳଭିତ୍ତି କ’ଣ ତାହା କହିବା କଥା। ଅର୍ଥାତ୍‌ ସୁପ୍ରିମକୋର୍ଟ ଏ ବିଷୟରେ ନିଜେ ନିଶ୍ଚିତ ନୁହନ୍ତି। ଯଦି ସେମାନେ ନିର୍ଦିଷ୍ଟ କେତୋଟି ଅଂଶକୁ ମୂଳଭିତ୍ତି ବୋଲି କହନ୍ତି ତେବେ ସେହି ଅନୁସାରେ ସଂସଦ ଜାଗ୍ରତ ହେବେ। ଦୁର୍ଭାଗ୍ୟବଶତଃ ତାହା ଏ ପର୍ଯ୍ୟନ୍ତ ହୋଇପାରୁନାହିଁ। ଶାସକମାନେ ଜାଣିପାରୁ ନାହାନ୍ତି କି ସେମାନେ ସମ୍ବିଧାନର ନିର୍ଦେଶରେ ଯିବେ ନା ବିଚାରପତିମାନଙ୍କ ନିର୍ଦେଶକୁ ଅପେକ୍ଷା କରିବେ। କାରଣ ଅନେକ ସମୟରେ ସମ୍ବିଧାନ ଅପେକ୍ଷା ବିଚାରପତିମାନଙ୍କ ରାୟକୁ ତର୍ଜମା କରାଯାଉଛି। ପଣ୍ଡିତ ନେହେରୁ କହିଥିଲେ ଯେ ଆମେ ଯଦି ସମ୍ବିଧାନକୁ ସଂଶୋଧନ ନକରିବା ତେବେ ଦେଶର ଉନ୍ନତି ହୋଇପାରିବ ନାହିଁ। ତେବେ ଏହାର ସତ୍ୟତା ପ୍ରମାଣିତ ହୋଇଛି କେଉଁ ପ୍ରକାର ସଂଶୋଧିତ ହୋଇଛି। ୧୭ଥର ସଂଶୋଧନ କରାଯାଇଛି ଜନଜାତି ଏବଂ ଦଳିତ ଜାତିଙ୍କର ସମାଜରେ ରାଜନୈତିକ ଓ ଅର୍ଥନୈତିକ ମିଶ୍ରଣ ପାଇଁ। ୩ଥର ସଂଶୋଧନ କରାଯାଇଛି ଗୋଆ, ପଣ୍ଡିଚେରୀ ଇତ୍ୟାଦିଙ୍କୁ ଦେଶରେ ମିଶ୍ରଣ ପାଇଁ। ୧୯୮୫ ମସିହାରେ ଗୁରୁତ୍ବପୂର୍ଣ୍ଣ ସଂଶୋଧନ ହୋଇଛି ଦଳତ୍ୟାଗୀଙ୍କୁ ବାସନ୍ଦ କରିବା ପାଇଁ। ପରେ ଦୁଇଥର ସଂଶୋଧନ କରାଯାଇଛି ତୃଣମୂଳ ସ୍ତରକୁ କ୍ଷମତା ଦେବା ପାଇଁ। ଏହିପରି ବହୁ ସଂଶୋଧନ ହୋଇଛି ଜନମଙ୍ଗଳ କାର୍ଯ୍ୟ ପାଇଁ ଓ ଦେଶର ବିଭିନ୍ନ ଅର୍ଥନୈତିକ ଓ ରାଜନୈତିକ ସମସ୍ୟାର ସମାଧାନ ପାଇଁ। ସଂଶୋଧନର ଆବଶ୍ୟକତାକୁ ସଂସଦ, ଶାସକ ଓ ବିଚାର ବିଭାଗ ସମସ୍ତେ ସମ୍ମାନ ଦେବାକଥା ଓ କେହି ନିଜକୁ ସର୍ବଶକ୍ତିମାନ ମନେକରିବା ଉଚିତ୍‌ ନୁହେଁ, କାରଣ ସମ୍ବିଧାନ ହିଁ ସର୍ବଶକ୍ତିମାନ।

 

ବିପିନ ବିହାରୀ ମିଶ୍ର
 bbmbipinbihari@gmail.com

Comments are closed.