କାଶ୍ମୀରରେ ଅସ୍ଥିରତା ପାଇଁ ହୋଇଥିଲା ଷଡ଼ଯନ୍ତ୍ର

ନୂଆଦିଲ୍ଲୀ: ଆତଙ୍କବାଦୀ ସଂଗଠନ ହିଜ୍‌ବୁଲ ମୁଜାହିଦ୍ଦିନ କମାଣ୍ଡର ବୁରହାନ୍‍ ୱାନିର ମୃତ୍ୟୁ ପରେ କାଶ୍ମୀରରେ ଅସ୍ଥିରତା ସୃଷ୍ଟି ପାଇଁ କରାଯାଇଥିବା ବଡ଼ ଷଡ଼ଯନ୍ତ୍ର ଉପରୁ ପରଦା ହଟାଇଛି ଏନ୍‌ଆଇଏ। ଏହି ଷଡ଼ଯନ୍ତ୍ରରେ ମେହବୁବା ମୁଫ୍‌ତିଙ୍କ ନେତୃତ୍ବାଧୀନ ପିପୁଲ୍ସ ଡେମୋକ୍ରାଟିକ ପାର୍ଟି (ପିଡିପି) ସାମିଲ ଥିବା ଏନ୍‌ଆଇଏ ଦାବି କରିଛି। ୨୦୧୬ ଜୁଲାଇରେ ବୁର୍‌ହାନ ୱାନିକୁ ସୁରକ୍ଷାକର୍ମୀ ଗୁଳି ବିନିମୟରେ ହତ୍ୟା କରିବା ପରେ କାଶ୍ମୀରରେ ବ୍ୟାପକ ହିଂସାକାଣ୍ଡ ସୃଷ୍ଟି ପାଇଁ ପିଡିପି ଯୁବନେତା ୱହିଦ-ଉର୍‍-ରହମନ ପାରା କଠୋରପନ୍ଥୀ ହୁରିୟାତ୍‍ କନ୍ଫ୍ରେନ୍ସ ନେତା ସୟଦ ଅଲି ଶାହ ଗିଲାନିଙ୍କ ଜ୍ୱାଇଁଙ୍କୁ ୫କୋଟି ଟଙ୍କା ଦେଇଥିବା ଏନ୍‌ଆଇଏ ଏହାର ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛି।

ଏହି ଅଭିଯୋଗ ଫର୍ଦ ଶୁକ୍ରବାର ଜାମ୍ମୁର ଏକ ସ୍ୱତନ୍ତ୍ର ଅଦାଲତରେ ଦାଖଲ କରିଛି ଏନଆଇଏ। ପାରା ତତ୍କାଳୀନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍ତିକଙ୍କର ଅତ୍ୟନ୍ତ ଘନିଷ୍ଠ ଥିଲା ବୋଲି ଏନ୍‌ଆଇଏ ଏଥିରେ ଦର୍ଶାଇଛି। ପାରାକୁ ଗତବର୍ଷ ନଭେମ୍ବରରେ ଏନ୍‌ଆଇଏ ଗିରଫ କରିଥିଲା। ବେଆଇନ ଘୋଷିତ ଆତଙ୍କବାଦୀ ସଂଗଠନ ହିଜବୁଲ ମୁଜାହିଦ୍ଦିନ ଏବଂ ଲସ୍କର-ଇ-ତଏବା ସହିତ ପାରାର ସମ୍ପର୍କ ନିବିଡ଼ ଥିଲା। ଅଲତାଫ ଅହମଦ ଶାହ ଓରଫ ଅଲ୍ତାସଫ ଫନ୍ତୁହଶ ସହିତ ମିଶି ସେ କାଶ୍ମୀର ଉପତ୍ୟକାରେ ବ୍ୟାପକ ବିଶୃଙ୍ଖଳା ଓ ଢ଼େଲାପଥର ମାଡ଼ ଭଳି ଘଟଣା ଜାରି ରଖିବାକୁ କହିଥିଲା। ଏଥିପାଇଁ ପାରା ୫କୋଟି ଟଙ୍କା ଶାହକୁ ଦେଇଥିଲା। ଶାହର ଗିଲାନିଙ୍କ ସହିତ ମଧ୍ୟ ସମ୍ପର୍କ ରହିଥିଲା। ୨୦୧୭ ଜୁଲାଇରେ ଗିରଫ ଶାହ ଏବେ ଜେଲ୍‌ରେ ଅଛି। ଏହି ଟଙ୍କା ଦେବା ପଛରେ ପିଡିପିର ମଧ୍ୟ ଅବଦାନ ରହିଥିଲା। ଏନ୍‌ଆଇଏର ଏହି ଅଭିଯୋଗକୁ ପାରା ଖଣ୍ଡନ କରିଥିଲା। ପରବର୍ତ୍ତୀ ସମୟରେ ବିଭିନ୍ନ ରାଜନୈତିକ ବ୍ୟକ୍ତିବିଶେଷ ଓ ବିଚ୍ଛିନ୍ନତାବାଦୀଙ୍କ ମଧ୍ୟରେ ଅସାଧୁ ସମ୍ପର୍କ ଅଭିଯୋଗ ଆଧାରରେ ପାରାକୁ ଗିରଫ କରାଯାଇଥିଲା। ସେବେଠାରୁ ସେ ଜେଲରେ ଅଛି।

ସୂଚନାଯୋଗ୍ୟ ଯେ ୨୦୧୬ରେ ୱାନିର ମୃତ୍ୟୁ ପରେ କାଶ୍ମୀର ଉପତ୍ୟକା ଦୀର୍ଘକାଳ ପର୍ୟ୍ୟନ୍ତ ଅଶାନ୍ତ ରହିଥିଲା। ଢ଼େଲାପଥର ମାଡ଼ ଓ ସୁରକ୍ଷାକର୍ମୀଙ୍କ ଉପରେ ସ୍ଥାନୀୟ ଯୁବକଙ୍କ ଆକ୍ରମଣ ଲାଗିରହିବା ଯୋଗୁଁ ପ୍ରାୟ ୫୩ଦିନ ପର୍ୟ୍ୟନ୍ତ କର୍ଫ୍ୟୁ ବଳବତ୍ତର ଥିଲା। ଏହି ଗଣ୍ଡଗୋଳରେ ୧୦୦ରୁ ଅଧିକଙ୍କର ପ୍ରାଣହାନି ଘଟିଥିଲା। ପ୍ରାୟ ୪ହଜାର ଯବାନ ଆହତ ହୋଇଥିଲେ।

Comments are closed.