ଅଶାନ୍ତ କଂଗ୍ରେସରେ ‘‘ଚିଠି ବୋମା’’: ବିବାଦ, ବୟାନ, ବିନା ପରିବର୍ତନରେ ବୈଠକ ଶେଷ

ପୂର୍ବପରି ଆନ୍ତରୀଣ ଅଧ୍ୟକ୍ଷ ପଦରେ କାର୍ଯ୍ୟ କରିବେ ସୋନିଆ

ନୂଆଦିଲ୍ଲୀ: ସ୍ଥାୟୀ ଓ ପ୍ରଭାବୀ ନେତୃତ୍ବ ନେଇ ୨୩ ବଡ଼ ନେତାଙ୍କ ‘‘ଚିଠି ବୋମା’’ ଓ ଏହାର ପରବର୍ତୀ ସମୟରେ କଥିତ ‘‘ ବିଜେପି ସହ ବୁଝାମଣା’’ ବିବାଦୀୟ ବିବୃତି ପରେ  କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକ କୌଣସି ନିଷ୍କର୍ଷରେ ଶେଷ ହୋଇଛି। ମାତ୍ର ଏହାପରେ କଂଗ୍ରେସର ନେତୃତ୍ବ ଓ ଭବିଷ୍ୟତକୁ ନେଇ ଯାବତୀୟ କଳ୍ପନାଜଳ୍ପନା ପ୍ରକାଶ ପାଇଛି । କଂଗ୍ରେସର କିଛି ବଡ଼ ନେତା ସୋନିଆଙ୍କ ପଣତ ଛାଡ଼ିବାକୁ ପ୍ରସ୍ତୁତ ନୁହନ୍ତି, ଆଉ କିଛି ରାହୁଳଙ୍କୁ ପୁଣିଥରେ ଦଳର ଅଧ୍ୟକ୍ଷ ଭାବରେ ଦେଖିବାକୁ ଚାହୁଛନ୍ତି । ଏମିତି କହିବାକୁ କଲେ ନେତୃତ୍ବ ପ୍ରସଙ୍ଗକୁ ନେଇ ଦଳରେ ସୃଷ୍ଟି ହୋଇଥିବା ମତଭେଦ ସ୍ପଷ୍ଟ ବାରି ହୋଇ ପଡ଼ୁଛି । ତେବେ ଏହା ମଧ୍ୟରେ ଦଳର ନେତୃତ୍ବ କାହାକୁ ଦିଆଯିବ ? ଗାନ୍ଧୀ ପରିବାର ଭିତରୁ ନା ବାହାରୁ କୌଣସି ନେତାଙ୍କ ମୁଣ୍ଡରେ ଶିରିପା ଭିଡ଼ାଯିବ ? ଯଦି ବାହାରୁ କାହାରିକୁ ଦଳର ଅଧ୍ୟକ୍ଷ ପଦ ଦିଆଯିବ ସେ କିଏ ? ଏପରି ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ବର୍ତମାନ ପରିସ୍ଥିତିରେ ସୋନିଆ ପୂର୍ବପରି ଦଳର ଆନ୍ତରୀଣ ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିବେ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି ।

ମାତ୍ର ରାଜନୈତିକ ପର୍ଯ୍ୟବେକ୍ଷକ ଓ କଂଗ୍ରେସ ରାଜନୀତିକୁ ଅନୁଶୀଳନ କରୁଥିବା ବ୍ୟକ୍ତିମାନଙ୍କ ମତରେ କଂଗ୍ରେସର ଅଧିକାଂଶ ବଡ଼ ନେତା ଓ କାର୍ଯ୍ୟକର୍ତା ସୋନିଆ-ରାହୁଳଙ୍କ ନେତୃତ୍ବର ବିରୋଧୀ ନୁହନ୍ତି । ମାତ୍ର ସେମାନେ କ’ଣ ବାସ୍ତବରେ ଚାହୁଁଛନ୍ତି ତାହା ଏଯାଏ ବି ସ୍ପଷ୍ଟ ନୁହେଁ । ସେମାନେ ହୁଏତ ଦଳ ଅପେକ୍ଷା ନିଜ ପାଇଁ ଚିନ୍ତିତ ବୋଲି ମଧ୍ୟ କୁହାଯାଇପାରେ । ଏହି ସ୍ଥିତିରେ କାର୍ଯ୍ୟକାରୀ କମିଟି ବୈଠକରେ କଥିତ ‘‘ବିଜେପି ସହ ବୁଝାମଣା’’କୁ ନେଇ ଗୁଲାମ ନବୀ ଆଜାଦ ଓ କପିଲ ସିବ୍ବଲ ଯେପରି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ତାହା ଦଳରେ ସେ ସବୁକିଛି ଠିକ୍ ଚାଲିନାହିଁ ତାହା ସ୍ପଷ୍ଟ ହୋଇଯାଇଛି । ପରବର୍ତୀ ସମୟରେ ଗୁଲାମ ନବୀ ଆଜାଦ ରାହୁଳ ‘‘ବିଜେପି ସହ ବୁଝାମଣା’’ କଥା କହି ନାହାନ୍ତି ବୋଲି କହିଛନ୍ତି । କପିଲ ସିବଲ କରିଥିବା ଟ୍ବିଟକୁ ଡ଼ିଲିଟ୍ କରି ଦେଇଛନ୍ତି; ଦଳର ମୁଖ୍ୟ ମୁଖପାତ୍ର ସୁରଜେୱାଲା ଏ ସମ୍ପର୍କରେ ସ୍ପଷ୍ଟୀକରଣ ଦେଇ ଗଣମାଧ୍ୟମର ବିଭ୍ରାନ୍ତକାରୀ ରିପୋର୍ଟରେ ବିଶ୍ବାସ ନ କରିବା ଏବଂ ଏକାଠି ହୋଇ କ୍ରୁର ମୋଦୀ ସରକାର ବିରୋଧରେ ଲଢ଼ିବା କଥା କହିଛନ୍ତି। ଏହା ନେତୃତ୍ବ ବିବାଦ ଓ ବିବାଦୀୟ ଚିଠି ଦଳରେ ଥିବା ମତଭେଦକୁ ପଦାରେ ପକାଇ ଦେଇଛି ।

୨୦୧୯ ଲୋକସଭା ନିର୍ବାଚନ ପରେ ରାହୁଳ ଗାନ୍ଧୀ ଯେତେବେଳେ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ସେତେବେଳେ କଂଗ୍ରେସକୁ ପୁରା ପରିବର୍ତନ କରାଯିବା ତାଙ୍କର ଉଦ୍ଦେଶ୍ୟ ଥିଲା । ଅର୍ଥାତ ଯେଉଁ ପୁରୁଣା ଲୋକମାନେ ଦୀର୍ଘଦିନ ଧରି ଦଳର ପଦପଦବୀ ମାଡ଼ି ବସିଛନ୍ତି ସେମାନେ ମଧ୍ୟ ଇସ୍ତଫା ଦିଅନ୍ତୁ ବୋଲି ରାହୁଳ ଚାହୁଥିଲେ । ସେ ଭାବୁଥିଲେ ସେ ଯେତେବେଳେ ଇସ୍ତଫା ଦେବେ ସେତେବେଳେ ସ୍ବତଃପ୍ରବୃତ୍ତ ଭାବରେ ଅନ୍ୟମାନେ ମଧ୍ୟ ଇସ୍ତଫା ଦେବେ ଓ କଂଗ୍ରେସକୁ ଏକ ପରିବର୍ତନ ଦିଗକୁ ନିଆଯାଇ ପାରିବ । ମାତ୍ର ବାସ୍ତବତଃ ତାହା ହେଲା ନାହିଁ । ଏହା ହିଁ ରାହୁଳଙ୍କୁ ନିରାଶ କରିଥିଲା ।

ଏହି ସ୍ଥିତିରେ ବର୍ଷକ ପରେ ଆନ୍ତରୀଣ ଅଧ୍ୟକ୍ଷ ସୋନିଆଙ୍କ ନେତୃତ୍ବକୁ ନେଇ ପ୍ରଶ୍ନ ଉଠିବା ସ୍ବାଭାବିକ ଭାବରେ ରାହୁଳଙ୍କୁ କ୍ଷୁବ୍ଧ କରିଛି । ସାଧାରଣତଃ ଯେତେବେଳେ ନେତୃତ୍ବ ପରିବର୍ତନ ହୋଇଥାଏ ସେତେବେଳେ ସେହି ସମୟରେ ରାଜନୈତିକ ଦଳର ଗୁରୁତ୍ବପୂର୍ଣ୍ଣ ପଦରେ ଥିବା ଲୋକମାନେ ଅପସାରିତ ହୋଇଥାଆନ୍ତି ଓ ନୂଆ ଲୋକମାନଙ୍କୁ ସୁଯୋଗ ଦିଆଯାଇଥାଏ । ରାହୁଳ ତାହା ଚାହୁଁଥିଲେ ଓ ନୂଆ ଲୋକମାନେ, ଯୁବ ପିଢ଼ି ଦଳର ନେତୃତ୍ବ ନେବାକୁ ଆଗ୍ରହ ପ୍ରକାଶ କରିଥିଲେ । ମାତ୍ର ତାହା ହେଲାନାହିଁ । ଓଲଟି ଯେଉଁ ନେତାମାନେ ଦଳରେ ବିଭିନ୍ନ ପଦପଦବୀରେ ଅଛନ୍ତି ସେମାନେ ଦଳ ଅପେକ୍ଷା ନିଜ ପାଇଁ ବେଶୀ ଚିନ୍ତିତ ହୋଇ ପଡ଼ିଲେ ।

କିଛି ରାଜନୈତିକ ବିଶାରଦଙ୍କ ମତ  ହେଉଛି କଂଗ୍ରେସର ବର୍ତମାନର ପରିସ୍ଥିତି ସୁଧାରିବା ଲାଗି ଗାନ୍ଧୀ ପରିବାର ବାହାରୁ କାହା ହାତରେ ଦଳର ନେତୃତ୍ବ ଦିଆଯିବାର ଆବଶ୍ୟକତା ରହିଛି । ରାହୁଳ ଯେତେବେଳେ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ ସେତେବେଳେ ମଧ୍ୟ ଏହି ପ୍ରସଙ୍ଗ ଚର୍ଚାକୁ ଆସିଥିଲା ଓ ଏକ ସାକ୍ଷାତକାରରେ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଏହାକୁ ସମର୍ଥନ କରିଥିଲେ । କିଛିଦିନ ପର୍ଯ୍ୟନ୍ତ ଏହି ଚର୍ଚା ବଳବତ୍ତର ରହିଲା, ମାତ୍ର କୌଣସି ନିଷ୍କର୍ଷ ବାହାରିଲା ନାହିଁ ଏବଂ ଶେଷରେ ସର୍ବସମ୍ମତ ଭାବରେ ଆନ୍ତରୀଣ ଅଧ୍ୟକ୍ଷ ଭାବରେ ସୋନିଆ ଗାନ୍ଧୀଙ୍କୁ ନିଯୁକ୍ତି ଦିଆଗଲା ।

ବିଡ଼ମ୍ବନା ହେଉଛି କଂଗ୍ରେସ ଦଳରେ ଗାନ୍ଧୀ ପରିବାରକୁ ନେତାମାନେ ଛାଡ଼ିବାକୁ ପ୍ରସ୍ତୁତ ନୁହନ୍ତି ଓ ଗାନ୍ଧୀ ପରିବାର ମଧ୍ୟ ନିଜ ପକ୍ଷରୁ କାହାରିକୁ ଅଧ୍ୟକ୍ଷ ଭାବରେ ମନୋନୀତ କରିବାକୁ ପ୍ରସ୍ତୁତ ନୁହେଁ । ସେତେବେଳେ ମଧ୍ୟ ଏହିପରି ପରିସ୍ଥିତି ସୃଷ୍ଟି ହୋଇଥିଲା । କଂଗ୍ରେସ ଲୋକମାନେ ଚାହୁଁଥିଳେ ରାହୁଳ କିମ୍ବା ସୋନିଆ ନିଜ ତରଫରୁ କାହାରିକୁ ଅଧ୍ୟକ୍ଷ ଭାବରେ ବାଛନ୍ତିୁ, ମାତ୍ର ଗାନ୍ଧୀ ପରିବାର ପକ୍ଷରୁ କୁହାଗଲା ଦଳ ନିଜର ଅଧ୍ୟକ୍ଷ ନିଜେ ବାଛୁ, ଏଥିରେ ସେମାନେ କୌଣସି ହସ୍ତକ୍ଷେପ କରିବେ ନାହିଁ । ପରିଣତି ଏଇଆ ହେଲା ଯେ ନାଁ ସୋନିଆ-ରାହୁଳ କାହାରିକୁ ବାଛିଲେ ନା ଦଳ  ସର୍ବସମ୍ମତ ନେତା ବାଛିବାକୁ ସମର୍ଥ ହେଲା ।

ବର୍ତମାନ ପରିସ୍ଥିତିରେ ପ୍ରାୟ ବର୍ଷକ ତଳର ଘଟଣାର ପୁନରାବୃତ୍ତି ହୋଇଛି । ଏକ ପକ୍ଷରେ ୨୩ କଂଗ୍ରେସ ନେତା କଂଗ୍ରେସର ଉପରୁ ତଳସ୍ତର ପର୍ଯ୍ୟନ୍ତ ପରିବର୍ତନ ହେବା ଆବଶ୍ୟକ ବୋଲି କହୁଛନ୍ତି, ଅନ୍ୟପକ୍ଷରେ ରାହୁଳ ପୁନର୍ବାର ଦଳର ଅଧ୍ୟକ୍ଷ ଭାବରେ ପ୍ରତ୍ୟାବର୍ତନ କରିବା ନେଇ ମତ ଦେଉଛନ୍ତି । ସବୁଠାରୁ କୌତୂହଳର କଥା ହେଉଛି କଂଗ୍ରେସର ପୁନର୍ଗଠନ ନିମନ୍ତେ ଦୁଇ ଗୋଷ୍ଠୀ ଚାହୁଁଛନ୍ତି, କିନ୍ତୁ ସେମାନେ ଗାନ୍ଧୀ ପରିବାରର ବିରୋଧ କରୁନାହାନ୍ତି ବୋଲି ମଧ୍ୟ କହୁଛନ୍ତି ।

କଂଗ୍ରେସର ଶୀର୍ଷସ୍ତରରେ ଥିବା ନେତାମାନଙ୍କ ମଧ୍ୟରେ ଏକପ୍ରକାର ବିଭାଜନ ହୋଇଯାଇଛି । ତେବେ ଉଭୟ ଗୋଷ୍ଠୀ ଗୋଟିଏ କଥାରେ ସହମତ ଯେ ଗାନ୍ଧୀ ପରିବାର ବାହାରୁ ଯିଏ ବି ଦଳର ନେତୃତ୍ବ ନିଅନ୍ତୁ ତାଙ୍କୁ ଗାନ୍ଧୀ ପରିବାରର ସମର୍ଥନ ଆବଶ୍ୟକତା ରହିଛି । ଗାନ୍ଧୀ ପରିବାରର ଅଗଣା ଭିନ୍ନ କଂଗ୍ରେସର ଅସ୍ତିତ୍ବ ଯେପରି ନାହିଁ ତାହା ସ୍ପଷ୍ଟ ହୋଇ ଯାଇଛି । ବିନା ଗାନ୍ଧୀ ପରିବାରର ସମର୍ଥନରେ ଦଳରେ କେହି ଅଧ୍ୟକ୍ଷ ନିର୍ବାଚିତ ହୋଇପାରିବେ ନାହିଁ, ଯଦି ବି ହୁଅନ୍ତି ତିଷ୍ଠି ପାରିବେ ନାହିଁ। ଏଇଥିପାଇଁ କେବଳ ‘‘ଗାନ୍ଧୀ’’ ନାଁ ହିଁ ଦଳକୁ ଏକାଠି ରଖିବାକୁ ସକ୍ଷମ ଓ ବିନା ‘‘ଗାନ୍ଧୀ’’ରେ ଦଳର ଅସ୍ତିତ୍ବ ନାହିଁ ଏପରି ଏକ ବଦ୍ଧମୂଳ ଧାରଣା କଂଗ୍ରେସ ନେତାଙ୍କ ମନଭିତରେ ବସାବାନ୍ଧିଛି ।

କଂଗ୍ରେସ ଦଳରେ ଦଳର ଅଧ୍ୟକ୍ଷ ପଦ ସମ୍ଭାଳିବା ପରି ବଡ଼ ନେତାଙ୍କ ଅଭାବ ନାହିଁ । ମାତ୍ର  ଏହି ଅଧ୍ୟକ୍ଷ ସମସ୍ତଙ୍କ ପାଇଁ ସ୍ବୀକାରଯୋଗ୍ୟ ହେବ କି ନାହିଁ ତାହା ହିଁ ବଡ଼ ସମସ୍ୟା । ତେଣୁ ଗାନ୍ଧୀ ପରିବାରର ବିନା ସମ୍ମତି ବା ବିନା ସ୍ବୀକୃତିରେ କେହି ନୂତନ ଅଧ୍ୟକ୍ଷ ହୋଇପାରିବେ ନାହିଁ କିମ୍ବା ତିଷ୍ଠି ପାରିବେ ନାହିଁ ତାହା ଜଳଜଳ ଦିଶୁଛି । ଏହି ସ୍ଥିତିରେ ଗାନ୍ଧୀ ପରିବାର ପ୍ରତି ବିଶ୍ବସ୍ତ ଥିବା ନେତାମାନଙ୍କ ନାଁ ଅଧ୍ୟକ୍ଷ ପଦ ନିମନ୍ତେ ବିଚାର କରାଯାଇପାରେ ।

କଂଗ୍ରେସ ଏବେ ଏକ ବଡ଼ ବିଚିତ୍ର ସ୍ଥିତିରେ ଗତି କରୁଛି । ବିରୋଧୀଦଳ ଭାବରେ ଦାୟିତ୍ବ ଠିକ୍ ଭାବରେ ନିର୍ବାହ କରିବାରେ ବ୍ୟର୍ଥ ହୋଇଛି । ସେମାନଙ୍କ ନିକଟରେ ପ୍ରଚୁର ସୁଯୋଗ ଥିଲା, ମାତ୍ର ସେହି ସୁଯୋଗକୁ ସେମାନେ ସଠିକ ଉପଯୋଗ କରିବାରେ ସଫଳ ହୋଇ ପାରିନାହାନ୍ତି । ଯେଉଁଠି ବି କଂଗ୍ରେସ କ୍ଷମତାକୁ ଆସିଛି, ତାହାକୁ ସେମାନେ ସମ୍ଭାଳିବାର ସୁଯୋଗ ହରାଇଛନ୍ତି ଓ ଜିତିଥିବା ବାଜି ହାତରୁ ଖସିଛି । କଂଗ୍ରେସର ସକ୍ରିୟ ନେତୃତ୍ବର ଅର୍ଥ ନୁହେଁ ଯେ ଏପରି କୌଣସି ବ୍ୟକ୍ତି ଆସିବ ଯିଏ କି ରାତାରାତି ଚମତ୍କାର କରିବାକୁ ସକ୍ଷମ ହେବ । ଏହା କଦାପି ସମ୍ଭବ ନୁହେଁ । ଏହି ସ୍ଥିତିରେ ଗାନ୍ଧୀ ପରିବାର ବାହାରୁ କାହାକୁ ନେତୃତ୍ବ ଦିଆଯିବ ତାହା ଏବେ କଳ୍ପନା କରିବା ବି ଅସମ୍ଭବ । ହୋଇପାରନ୍ତି ସେ ମନମୋହନ, ଅହମ୍ମଦ ପଟେଲ କିମ୍ବା ଗାନ୍ଧୀ ପରିବାରର ଘନିଷ୍ଠ କୁହାଯାଉଥିବା ତାଙ୍କ ପରି ଆଉ କେହି ।

Comments are closed.