ରାହୁଲ ହେବେନି ପ୍ରଧାନମନ୍ତ୍ରୀ ପ୍ରାର୍ଥୀ: ଚିଦମ୍ବରମ୍‍

0

ଚେନ୍ନଇ : ରାଜନୈତିକ ବାଧ୍ୟବାଧକତାକ୍ରମେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ କରାଯିବା ପ୍ରସ୍ତାବ ଉପରେ ଦଳ କ୍ରମଶଃ ପରଦା ଢ଼ାଙ୍କିବା ଆରମ୍ଭ କରିଛି। ସହଯୋଗୀ ଦଳଗୁଡିକ ସମର୍ଥନ ଦେଲେ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବା ନେଇ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ରାହୁଲ ନିଜେ କହୁଛନ୍ତି; ମାତ୍ର ୨୦୧୯ ଲୋକସଭା ନିର୍ବାଚନରେ ତାଙ୍କୁ ଦଳ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦମ୍ବରମ୍‍। ସୋମବାର ଇଲେକ୍‍ଟ୍ରୋନିକ୍ସ ଗଣମାଧ୍ୟମ ‘ନ୍ୟୁଜ୍‍୧୮’କୁ ସାକ୍ଷାତକାର ଦେଇ ଚିଦମ୍ବରମ୍‍ କହିଛନ୍ତି, ଲୋକସଭା ନିର୍ବାଚନ ଲାଗି ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବା ନିହାତି ଆବଶ୍ୟକ ନୁହେଁ। ପୂର୍ବରୁ ଅନେକ ନେତା ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଘୋଷିତ ନ ହୋଇ ମଧ୍ୟ ଏହି ପଦ ଅଳଂଙ୍କୃତ କରିଛନ୍ତି; ଏଣୁ କଂଗ୍ରେସ ରାହୁଲ କିମ୍ବା ଅନ୍ୟ କୌଣସି ନେତାଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଘୋଷଣା ନ କରି ଆଗାମୀ ନିର୍ବାଚନ ଲଢ଼ିବ। ରାହୁଲଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରାଯିବ ବୋଲି କଂଗ୍ରେସ ନେତୃବୃନ୍ଦ କେବେ କହିନାହାନ୍ତି। ଏ ନେଇ କେତେକ ମହଲରେ ଯେଉଁ ଆଲୋଚନା ଚାଲିଛି ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି) ଏଥିରେ ହସ୍ତକ୍ଷେପ ପୂର୍ବକ ଏହି ଆଲୋଚନାକୁ ବନ୍ଦ କରିଦେଇଛି ବୋଲି ଚିଦମ୍ବରମ୍‍ କହିଛନ୍ତି।
ବିଜେପିକୁ କ୍ଷମତାଚ୍ୟୁତ କରିବା କଂଗ୍ରେସର ଲକ୍ଷ୍ୟ ବୋଲି ଚିଦମ୍ବରମ ଦୋହରାଇଛନ୍ତି। ସେ ଆହୁରି କହିଛନ୍ତି ଯେ ବିଜେପି ସରକାର ସ୍ଥାନରେ କଂଗ୍ରେସ ଦେଶରେ ଏଭଳି ଏକ ସରକାର ଆଣିବାକୁ ଉଦ୍ୟମ କରୁଛି ଯାହା ପ୍ରଗତିଶୀଳ ହେବା ସହ ପ୍ରତ୍ୟେକ ବ୍ୟକ୍ତିଙ୍କ ସ୍ୱାଧୀନତାକୁ ସମ୍ମାନ ଦେବ, ଶୁଳ୍କ ଆତଙ୍କବାଦରେ ଲିପ୍ତ ନ ରହି ଶିଶୁ ଓ ମହିଳାଙ୍କ ସୁରକ୍ଷା ଦିଗରେ ଧ୍ୟାନ ନିବେଶ କରିବ ଏବଂ ସର୍ବୋପରି କୃଷକଙ୍କ ହିତକୁ ଗୁରୁତ୍ୱ ଦେବ। ଏ ନେଇ ଦଳ ଏକ ମଜବୁତ ମେଣ୍ଟ ଗଠନ କରିବାକୁ ଉଦ୍ୟମ କରୁଛି। ପ୍ରଧାନମନ୍ତ୍ରୀ କିଏ ହେବ ତାହା ନିର୍ବାଚନ ଜିତିବା ପରେ ମେଣ୍ଟ ସହଯୋଗୀମାନେ ନିଷ୍ପତ୍ତି ନେବେ ବୋଲି ଚିଦମ୍ବରମ ସ୍ପଷ୍ଟ କରିଛନ୍ତି।
ଗତ ଦୁଇ ଦଶନ୍ଧି ମଧ୍ୟରେ ଆଞ୍ଚଳିକ ଦଳଗୁଡିକର ପ୍ରଭାବ ବୃଦ୍ଧି ପାଇଥିବା ସ୍ୱୀକାର କରି ସେ କହିଛନ୍ତି, ବିଜେପି ଏବଂ କଂଗ୍ରେସର ଭୋଟ ସଂଖ୍ୟା ମିଳିତ ଭାବେ ୫୦%ରୁ ତଳକୁ ଖସି ଆସି ଥିବାବେଳେ ପ୍ରଭାବଶାଳୀ ଆଞ୍ଚଳିକ ଦଳଗୁଡିକ ଜାତୀୟ ଦଳର ଭୋଟ ନିଜ ସପକ୍ଷରେ ନେବାରେ ସକ୍ଷମ ହୋଇଛନ୍ତି। କଂଗ୍ରେସ ସହିତ ହାତ ମିଳାଇବା ପରିପ୍ରେକ୍ଷୀରେ ଆଞ୍ଚଳିକ ଦଳଗୁଡିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ଧମକାଉଥିବା ଅଭିଯୋଗ କରି ସେ ଏହାର ତୀବ୍ର ନିନ୍ଦା କରିଛନ୍ତି। ରାଜ୍ୟସ୍ତରରେ କଂଗ୍ରେସ ମଜବୁତ ମେଣ୍ଟ ଗଠନରେ ସଫଳ ହେଲେ ପରିସ୍ଥିତି ବଦଳିବ ବୋଲି ଚିଦମ୍ବରମ ଆଶାବ୍ୟକ୍ତ କରିଛନ୍ତି।
ରାହୁଲ ଚଳିତମାସ ପ୍ରାରମ୍ଭରେ କହିଥିଲେ ଯେ ମିତ୍ର ଦଳଗୁଡିକ ଚାହିଁଲେ ସେ ନିଶ୍ଚିତ ଭାବେ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବେ; କିନ୍ତୁ ସର୍ବପ୍ରଥମେ ଏକଜୁଟ ହୋଇ ବିଜେପିକୁ କ୍ଷମତାଚ୍ୟୁତ କରିବା ତାଙ୍କର ତଥା ଦଳର ମୂଳ ଲକ୍ଷ୍ୟ ହେବ। ଏହି ଉଦ୍ଦେଶ୍ୟ ପୂରଣ ଲାଗି କଂଗ୍ରେସ ଆଞ୍ଚଳିକ ଦଳଗୁଡିକୁ ନେଇ ବୃହତ୍‍ ମେଣ୍ଟ ଗଠନ ଦିଗରେ ଯତ୍‍ପରୋନାସ୍ତି ଉଦ୍ୟମ ଚଳାଇଛି। ବାସ୍ତବ କ୍ଷେତ୍ରରେ ଏ ଦିଗରେ ଦଳକୁ ଏଯାବତ୍‍ ଆଶାନୁରୂପ ସଫଳତା ମିଳିନାହିଁ। ବିଶେଷକରି କୌଣସି ପ୍ରଭାବଶାଳୀ ଆଞ୍ଚଳିକ ଦଳର ସମର୍ଥନ ଲାଭ କରିବାରେ କଂଗ୍ରେସ ଅଦ୍ୟାବଧି ସଫଳ ହୋଇପାରି ନାହିଁ।

Leave A Reply