କଂଗ୍ରେସ ପ୍ରଭାରୀଙ୍କ ନିଶାଣରେ ବିଜେଡ଼ି ସରକାର: ଶାସନ ବିଫଳ, ଅବ୍ୟବସ୍ଥା ଚରମ

ଭୁବନେଶ୍ୱର: ରାଜ୍ୟ କଂଗ୍ରେସର ପ୍ରଭାରୀ ଦାୟିତ୍ଵ ନେବା ପରେ ପ୍ରଥମଥର ପାଇଁ ଓଡ଼ିଶାଗସ୍ତରେ ଆସି ରାଜ୍ୟ ସରକାରଙ୍କୁ କଟୁ ସମାଲୋଚନା କରିଛନ୍ତି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଡ଼. ଚେଲ୍ଲାକୁମାର ରାଜ୍ୟରେ ଶାସନ ବ୍ୟବସ୍ଥା ବିଫଳ ହୋଇଛି ଓ ଅବ୍ୟବସ୍ଥା ଚରମ ସୀମାରେ ପହଞ୍ଚିଥିବା ଅଭିଯୋଗ କରିଛନ୍ତି ।

ସର୍ବପ୍ରଥମେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଉପଲକ୍ଷେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ ଉତ୍କଳମଣିଙ୍କ ସ୍ମୃତିଚାରଣ କରି କହିଲେ ଯେ ପଣ୍ଡିତ ଗୋପବନ୍ଧୁ ଦାସ ଓଡିଶା ପ୍ରଦେଶ କଂଗ୍ରେସ କମିଟିର ସଂସ୍ଥାପକ ଅଧ୍ୟକ୍ଷ ଥିଲେ ଓ ତାଙ୍କରି ମାର୍ଗ ସଦା ଅନୁକରଣୀୟ। ଦେଶର ସ୍ୱାଧିନତା ଆନ୍ଦୋଳନରୁ କଂଗ୍ରେସର ଜନ୍ମ ଏବଂ ଏକ ରାଜନୈତିକ ଦଳ ଭାବରେ କଂଗ୍ରେସ ସର୍ବଦା ବିକାଶ ଉପରେ ଗୁରୁତ୍ୱ ଦେଇ ଆସିଛି। ସାଧାରଣ ଜନତାଙ୍କର ସର୍ବାଙ୍ଗୀନ ଉନ୍ନତି ପାଇଁ ବିଭିନ୍ନ ସାମ୍ବିଧାନିକ ପଦପଦବୀ ଏବଂ ପଂଚାୟତିରାଜ ବ୍ୟବସ୍ଥା ଭଳି ଲୋକାଭିମୁଖୀ ଓ ଜନତାଙ୍କ ନିକଟରେ ଉତରଦାୟୀ ସରକାର ଦେଶକୁ ଦେଇଆସିଛି। କିନ୍ତୁ ଆଜିର ଦିନରେ ଓଡିଶା ଭଳି ପ୍ରାକୃତିକ ସଂପଦରେ ଭରପୁର ପ୍ରଦେଶର ଜନତା କର୍ମନିଯୁକ୍ତି ନ ପାଇ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଦୀର୍ଘ ୨୧ ବର୍ଷ ଧରି ଶାସନ କ୍ଷମତାରେ ଥିବା ଦଳ ରାଜ୍ୟରେ ନିଯୁକ୍ତିର ସୁଯୋଗ ସୃଷ୍ଟି କରିନପାରିବା ଚରମ ଅପାରଗତାକୁ ପଦାରେ ପକାଉଛି। ରାଜ୍ୟର ଆର୍ଥିକ ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ ସ୍ଥିତିରେ ଅଛି। ୨୦୦୦ ମସିହାରେ ରାଜ୍ୟର ଋଣ ପରିମାଣ ୧୮,୧୦୦ କୋଟି ଥିବା ବେଳେ ୨୦୨୦ ମସିହାରେ ଏହା ବୃଦ୍ଧି ପାଇ ୧,୩୦,୦୦୦ କୋଟିରେ ପହଂଚିଛି। ରାଜ୍ୟର ୩୫ଟି ବୃହତ୍‍ ଶିଳ୍ପ ଯଥା ରାଉରକେଲା ଷ୍ଟିଲ ପ୍ଲାଂଟ, ପାରାଦ୍ୱୀପ ପୋର୍ଟ, ନାଲ୍‍କୋ ଓ ହାଲ୍‍ ଆଦି କଂଗ୍ରେସ ଶାସନ ସମୟରେ ପ୍ରତିଷ୍ଠା ହୋଇଥିଲା। ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସମୟରେ ‘ହଜାର ଦିନରେ ହଜାର ଶିଳ୍ପ’ ଓଡିଶାର ଶିଳ୍ପାୟନ କ୍ଷେତ୍ରରେ ଏକ ଯୁଗାନ୍ତକାରୀ ପଦକ୍ଷେପ ଥିଲା ଏବଂ ତା ସହିତ ୨.୫ ଲକ୍ଷ ମଧ୍ୟମ ଓ କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠା କରାଯାଇଥିଲା। କଂଗ୍ରେସ ସରକାର ସମୟରେ ଓଡିଶାରେ ୯ଟି ସୂତାକଳ ପ୍ରତିଷ୍ଠା ହୋଇଥିଲା। କିନ୍ତୁ ବର୍ତମାନ ସମସ୍ତ ଶିଳ୍ପ ପ୍ରତିଷ୍ଠାନ ବିଜେଡି ସରକାର ସମୟରେ ବନ୍ଦ ହୋଇଯାଇଛି ବୋଲି ଡ଼. ଚେଲ୍ଲାକୁମାର କହିଥିଲେ ।

ସେ ପୁଣି କହିଥିଲେ ଯେ  ଏକ କୃଷି ପ୍ରଧାନ ରାଜ୍ୟ ହୋଇଥିଲେ ମଧ୍ୟ କଂଗ୍ରେସ ସରକାର ସମୟରେ ପ୍ରତିଷ୍ଠା ହୋଇଥିବା ବୃହତ୍‍ ଜଳସେଚନ ପ୍ରକଳ୍ପ ଯଥା ହୀରାକୁଦ ଡ୍ୟାମ, ରେଙ୍ଗାଲି ପ୍ରୋଜେକ୍ଟ, ସୁବର୍ଣ୍ଣରେଖା ପ୍ରୋଜେକ୍ଟ, ଅପର ଇନ୍ଦ୍ରାବତୀ, ଲୋୟର ଇନ୍ଦ୍ରାବତୀ ଓ କୋଲାବ ତଥା ୧୨ଟି ମଧ୍ୟମ ଜଳସେଚନ ପ୍ରକଳ୍ପକୁ ବାଦ୍‍ ଦେଇ ଗୋଟିଏ ବି ଜଳସେଚନ ପ୍ରକଳ୍ପ ବିଗତ ୨୧ ବର୍ଷ ଭିତରେ କରାଯାଇନାହିଁ। ଏହାବାଦ୍‍ ସମଗ୍ର ରାଜ୍ୟର ଚାଷ ଜମିର ମାତ୍ର ୩୫ ପ୍ରତିଶତ ଜମି ମଧ୍ୟ ଜଳସେଚିତ ହୋଇପାରୁନାହିଁ। ଏହା ବିଜେଡି ସରକାରଙ୍କ ପ୍ରଶାସନିକ ବିଫଳତାର ନଗ୍ନ ଉଦାହରଣ।

ଏତିକିରେ ଡ଼. ଚେଲ୍ଲାକୁମାର ଅଟକି ନ ଥିଲେ । ରାଜ୍ୟର ବେକାରୀ ନିମନ୍ତେ ସେ ବିଜେଡ଼ି ସରକାରକୁ ଦାୟୀ କହିଥିଲେ । ସେ କହିଥିଲେ ଓଡିଶାରେ ବେକାରୀ ସମସ୍ୟା ଅନ୍ୟ ରାଜ୍ୟ ତୁଳନାରେ ଅତି ଉତ୍କଟ ଏବଂ ଏହା ୨୪ ପ୍ରତିଶତ। ଯାହାକି ଜାତୀୟ ହାରଠାରୁ ଯଥେଷ୍ଟ ଅଧିକ। କୋଭିଡ୍‍ ସମୟରେ ରାଜ୍ୟକୁ ଫେରିଥିବା ୧୫ ଲକ୍ଷ ପ୍ରବାସୀ ଶ୍ରମିକ ରୋଜଗାର ନପାଇ ପୁନର୍ବାର କର୍ମସଂସ୍ଥାନ ଆଶାରେ ବାହାର ରାଜ୍ୟକୁ ଯିବା ଆରମ୍ଭ କଲେଣି। ଓଡିଶା ସରକାରଙ୍କର ସ୍କିଲ୍‍ ମ୍ୟାପିଂ କାର୍ଯ୍ୟ କେବଳ ଘୋଷଣାରେ ସୀମିତ ରହିଗଲା।ଶିକ୍ଷା କ୍ଷେତ୍ରରେ ବିଗତ ୨୧ ବର୍ଷ ଭିତରେ ଓଡିଶା ଅତ୍ୟନ୍ତ ଦୟନୀୟ ସ୍ଥିତିରେ ପହଂଚିଛି। ପାଖାପାଖି ୨୦ ହଜାର ସ୍କୁଲ ବନ୍ଦ ହେବାକୁ ବସିଛି ଏବଂ ପ୍ରାଥମିକ ସ୍ତରରେ ଅଧାରୁ ପାଠ ଛାଡୁଥିବା ପିଲାଙ୍କ ସଂଖ୍ୟା ଓଡିଶାରେ ସର୍ବାଧିକ। ନିକଟରେ ଓଡିଶା ବିଶ୍ୱ ବିଦ୍ୟାଳୟ ସଂଶୋଧନ ଆଇନ୍‍ ଭଳି ଏକ କଳା ଆଇନ୍‍ କରାଯାଇ ବିଶ୍ୱ ବିଦ୍ୟାଳୟରେ ସରକାରୀ ହସ୍ତକ୍ଷେପ ପାଇଁ ରାସ୍ତା ପରିଷ୍କାର କରାଯାଇଛି। ଏହା ଓଡିଶା ଶିକ୍ଷା ବ୍ୟବସ୍ଥା ପ୍ରତି ଚରମ ଉପହାସ।ଓଡିଶାର ସ୍ୱାସ୍ଥ୍ୟ ସେବା ଅତ୍ୟନ୍ତ ବିପର୍ଯ୍ୟସ୍ତ। ଶିଶୁ ମୃତ୍ୟୁରେ ଓଡିଶା ସମଗ୍ର ଦେଶରେ ୩ ନମ୍ବର ସ୍ଥାନରେ ଥିବା ବେଳେ ୫ ବର୍ଷରୁ କମ୍‍ ଶିଶୁଙ୍କ ମୃତ୍ୟୁରେ ସମଗ୍ର ଦେଶରେ ୨ୟ ସ୍ଥାନ ଅଧିକାର କରିଛି। ରାଜ୍ୟରେ ୬୫ ପ୍ରତିଶତ ଶିଶୁ ଅପପୃଷ୍ଟିର ଶିକାର ହେଉଥିବା ବେଳେ ୪୮ ପ୍ରତିଶତ ମହିଳା ଅପପୃଷ୍ଟିର କବଳରେ କବଳିତ ବୋଲି ଡ଼. ଚେଲ୍ଲାକୁମାର କହିଥିଲେ ।

ରାଜ୍ୟରେ ଆଇନ୍‍ର ଶାସନ ନାହିଁ କହିଲେ ଚଳେ। ଗଣତନ୍ତ୍ରରେ ନିର୍ବାଚିତ ପ୍ରତିନିଧିଙ୍କ ଦ୍ୱାରା ଶାସନ ବ୍ୟବସ୍ଥା ଚାଲିବା ପରିବର୍ତେ କିଛି ମୁଷ୍ଟିମେୟ ପ୍ରଶାସନିକ ଅଧିକାରୀଙ୍କ ଦ୍ୱାରା ଶାସନ ବ୍ୟବସ୍ଥାକୁ ନିୟନ୍ତ୍ରଣ କରାଯାଉଛି। ରାଜ୍ୟରେ ପଂଚାୟତିରାଜ ବ୍ୟବସ୍ଥା ସଂପୂର୍ଣ୍ଣ ଫେଲ୍‍ ମାରିଛି ଏବଂ ବିଧାୟକ ତଥା ମନ୍ତ୍ରୀମାନଙ୍କର ପ୍ରଶାସନିକ କାର୍ଯ୍ୟରେ କୌଣସି ଭୂମିକା ରହୁନାହିଁ। କରୋନା ବିପତି ସମୟରେ ମାସ୍କ, ଭେଂଟିଲେଟର ତଥା ବିଭିନ୍ନ ଚିକିତ୍ସା ଉପକରଣ କିଣିବାରେ ରାଜ୍ୟ ସରକାରଙ୍କ କୋଟି କୋଟି ଟଙ୍କାର ଦୁର୍ନୀତି ଏ ସରକାରର ସମ୍ବେଦନହୀନତାକୁ ପଦାରେ ପକାଇ ଦେଇଛି। ପ୍ରଭୁ ଜଗନ୍ନାଥ ଏଭଳି ସମ୍ବେଦନହୀନ ସରକାରକୁ କଦାପି କ୍ଷମା କରିବେ ନାହିଁ ବୋଲି ଉଲ୍ଲେଖ କରି କଂଗ୍ରେସ ଏହା ବିରୋଧରେ ସଚେତନତା ସୃଷ୍ଟି କରିବ ବୋଲି କହିଥିଲେ ।

ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ସଭାପତି  ନିରଞ୍ଜନ ପଟ୍ଟନାୟକ, ବିଧାୟକ ଦଳ ନେତା  ନରସିଂହ ମିଶ୍ର, ପିସିସି କାର୍ଯ୍ୟକାରୀ ସଭାପତି  ପ୍ରଦୀପ ମାଝୀ, ସାଂସଦ  ସପ୍ତଗିରି ଉଲାକା ଓ ପୂର୍ବତନ ଅର୍ଥମନ୍ତ୍ରୀ ପଂଚାନନ କାନୁନ୍‍ଗୋ ଉପସ୍ଥିତ ଥିଲେ ।

Comments are closed.