ପ୍ରଶ୍ନ କଲା କଂଗ୍ରେସ: ବିଜେଡ଼ି ନେତା କ’ଣ ସରକାର ଓ କରୋନା ଆଇନଠାରୁ ଉପରେ ?

ବିଜେଡ଼ି ନେତାମାନେ କ’ଣ କରୋନା ଆଇନଠାରୁ ଉପରେ କି ବୋଲି ସରକାରଙ୍କୁ ପ୍ରଶ୍ନ କରିଛି କଂଗ୍ରେସ । କେବଳ ସେତିକି ନୁହେଁ ବାଙ୍କି ଅଞ୍ଚଳରେ ଯଦି ଏହି ବିଜେଡ଼ି ନେତାଙ୍କ ଲାଗି କରୋନା ବ୍ୟାପେ ତେବେ ଏଥିପାଇଁ କିଏ ଦାୟୀ ରହିବ ବୋଲି  ପୂର୍ବତନ ବିଧାୟକ ତଥା କଂଗ୍ରେସ ନେତା ଦେବାଶିଷ ପଟ୍ଟନାୟକ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ କରିଛନ୍ତି । ସରକାର କେବଳ କଟକଣା ସାଧାରଣ ଲୋକଙ୍କ ପାଇଁ କରୁଛନ୍ତି ଓ ତାଙ୍କରି ଦଳର ନେତାମାନେ ତାକୁ ଭାଙ୍ଗି ଚାଲିଛନ୍ତି ବୋଲି ଦେବାଶିଷ କହିଛନ୍ତି ।

ଏକ ସାମ୍ବାଦିକ ସମ୍ମିଳନୀରେ ଦେବାଶିଷ କହିଛନ୍ତି ଯେ  ଗତ ଜୁଲାଇ ମାସ ୨୫ ତାରିଖ,୨୯ ତାରିଖ ଓ ୩୧ ତାରିଖ ଦିନ ବାଙ୍କିରେ ତିନୋଟି ପେଟ୍ରୋଲ ପମ୍ପ ଉଦଘାଟନ ହୋଇଥିଲା।ଗୋଟିଏ ଏଚପିସିଏଲ(HPCL) ଥିବାବେଳେ ଅନ୍ୟ ଦୁଇଟି ବିପିସିଏଲ(BPCL) କମ୍ପାନୀର ଥିଲା।  ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ ନିଜର ଶତାଧିକ ସମର୍ଥକଙ୍କ ସହ ଏହି ପେଟ୍ରୋଲ ପମ୍ପ ଉଦ୍ଘାଟନ କରିଥିଲେ। ।  ଏହା  ପୂର୍ବରୁ  ବାଙ୍କି ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କ ନେତୃତ୍ୱରେ କୋଭିଡ ନିୟମ  ଉଲଂଘନ କରି ରକ୍ତଦାନ ଶିବିର ଏବଂ ଜନ୍ମଦିନ ପାଳନ କରାଯାଇଥିଲା।

ତଳିଆ ଅଫିସରଙ୍କ ସମେତ ବାଙ୍କିର ପ୍ରଶାସନ, ପୁଲିସ ଏବଂ ଜିଲ୍ଲା ପ୍ରଶାସନ ସବୁ ଜାଣିଶୁଣି ନିରବଦ୍ରଷ୍ଟା ସାଜି ତାଙ୍କୁ ସାହାଯ୍ୟ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ଶ୍ରୀ ପଟ୍ଟନାୟକ। ଯଦି ଜଣେ ସାଧାରଣ ବ୍ୟକ୍ତି ଜରୁରୀ କାର୍ଯ୍ୟରେ ବାହାରକୁ ଯିବାବେଳେ ପୋଲିସ ଫାଇନ କରୁଛି ମାତ୍ର ବିଜେଡିର ବିଧାୟକ ଏବଂ ପୂର୍ବତନ ବିଧାୟକ ପ୍ରଶାସନ ବିନା ଅନୁମତିରେ ବାଙ୍କୀକୁ କିଭଳି ଆସି ପ୍ରଏବଂ ଆଇନକୁ ଭାଙ୍ଗୁଛନ୍ତି ତାହାର ଚିତ୍ର ଜୁଲାଇ ୩୧ ତାରିଖ ସମସ୍ତ ଛପା ଓ ବୈଦୁତିକ ଗଣମାଧ୍ୟମରେ ପ୍ରକାଶ ପାଇଛି ।

ଏ ନେଇ ଥାନାରେ ଏତେଲା ଦେଲେ ବି କେହି ରଖୁନାହାନ୍ତି।ଯେତେବେଳେ ଗଣମାଧ୍ୟମରେ  ଏହା  ପ୍ରକାଶ ହେଲା ,ସେବେଠାରୁ ଉପରିସ୍ଥ ଅଧିକାରୀ ଙ୍କ ଚାପରେ ପୋଲିସ, ଉପଜିଲ୍ଲାପାଳ ଓ ତହସିଲଦାର ବାରମ୍ବାର ବୈଠକ କରିବା ସତ୍ତ୍ୱେ ଏଫ ଆଇ ଆର (FIR) ହୋଇପାରିଲା ନାହିଁ । ଏହି ଅବସରରେ ସେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କ ବିରୋଧରେ, ଜୟନାରାୟଣ ମିଶ୍ର ଓ ନାଉରୀ ନାଏକଙ୍କ ବିରୋଧରେ ହୋଇଥିବା ମାମାଲାକୁ ଉଲ୍ଲେଖ କରି ବିଜେଡ଼ି ବିଧାୟକଙ୍କୁ କାହିଁକି ବାଦ ଦିଆଗଲା ବୋଲି ପ୍ରଶ୍ନ କରିଛନ୍ତି । ଏହା ବ୍ୟତୀତ କ୍ବାରେଣ୍ଟାଇନ ଶେଷ କରିଥିବା ପ୍ରବାସୀଙ୍କୁ ୨ ହଜାର ଟଙ୍କା ପ୍ରଦାନ ନ କରିବା,  ସ୍ବାସ୍ଥ୍ୟ ବିଭାଗୀୟ କର୍ମଚାରୀଙ୍କ ନିଯୁକ୍ତି ବିଳମ୍ବିତ କରିବାକୁ ନେଇ ମଧ୍ୟ ସରକାରଙ୍କ ଆଭିମୁଖ୍ୟକୁ ସମାଲୋଚନା କରିଛନ୍ତି ।   ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତା ମନୋରଞ୍ଜନ ଦାଶ, ବିଶ୍ୱ ରଞ୍ଜନ ଦାଶ ଓ ଦୀପକ କୁମାର ମହାପାତ୍ର ଉପସ୍ଥିତ ଥିଲେ।

Comments are closed.