ନୀଳାଚଳ ଇସ୍ପାତ କାରଖାନା ବିକ୍ରି ଉଦ୍ୟମକୁ ନେଇ ପ୍ରଶ୍ନ ଉଠାଇଲା କଂଗ୍ରେସ: ବିଜେଡ଼ି-ବିଜେପିକୁ ସମାଲୋଚନା

ଭୁବନେଶ୍ୱର : ଓଡ଼ିଶା ଶିଳ୍ପ ଜଗତର ଏକ ମାଇଲଖୁଣ୍ଟ ରୂପେ ପରିଚିତ ନୀଳାଚଳ ଇସ୍ପାତ ନିଗମକୁ ଘରୋଇ କମ୍ପାନୀକୁ ବିକ୍ରି କରିବା ପାଇଁ ବିଜେଡ଼ି ଓ ବିଜେପି କରିଥିବା ମସୁଧା କରୁଥିବା ଅଭିଯୋଗ କରିଛି କଂଗ୍ରେସ । ଦୁଇ ଦଳ ମିଳିମିଶି ଏହି ସଂସ୍ଥାକୁ ଅନ୍ୟକୁ ଟେକିଦେବାକୁ ବସିଛନ୍ତି ବୋଲି ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସ ନେତା ପଞ୍ଚାନନ କାନୁନଗୋ ଅଭିଯୋଗ କରିଛନ୍ତି। ଶ୍ରୀ କାନୁନଗୋ କହିଛନ୍ତି ଯେ ତଳସ୍ତରରେ ଯଦିଓ ଲୋକ ଦେଖାଣିଆ ଭାବରେ ବିଜେଡ଼ି-ବିଜେପି ନିଜ ନିଜ ଭିତରେ କଳିର ନାଟକ ଦେଖାଉଛନ୍ତି, ମାତ୍ର ରାଜ୍ୟର ଖଣି, ଜମି, ପାଣି, କଳ କାରଖାନା ବିକ୍ରିପାଇଁ ଦୁହେଁ ଏକାଠି କାମ କରୁଛନ୍ତି ।  ବିଜେଡ଼ି କେନ୍ଦ୍ର ବିଜେପି ପାଖରେ କେଉଁ ଉଦ୍ଦେଶ୍ୟରେ ଆତ୍ମ ସମର୍ପଣ କରିଛି ତାହା ଆଦୌ ବୁଝା ପଡ଼ୁନାହିଁ। ରାଜ୍ୟର ସ୍ୱାର୍ଥକୁ ବଳିଦେଇ, ନିଜ ନିଜ ସ୍ୱାର୍ଥରକ୍ଷା ଉଦ୍ଦେଶ୍ୟରେ ଉଭୟ ବିଜେପି ଓ ବିଜେଡ଼ି ଲାଗିଛନ୍ତି। ରାଜ୍ୟର ଏକ ଲାଭଦାୟକ କାରଖାନା- ନୀଳାଚଳ ଇସ୍ପାତ ସଂପର୍କୀୟ ଚୁକ୍ତିପତ୍ରରୁ ଏକଥା ସ୍ପଷ୍ଟ ଅନୁମେୟ। ଗତ ଅଗଷ୍ଟ ୨୭ ତାରିଖରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଏକ ଉଚ୍ଚସ୍ତରୀୟ ବୈଠକରେ ନିଳାଚଳ ନିଗମର ଅଂଶ ବିକ୍ରି ପାଇଁ ଯେଉଁ ବିକଳିଆ ଭାବ ଦେଖାଇଛନ୍ତି ତାହା ସେହି ଦିନର ଅଫିସ୍‍ ମେମୋରେଣ୍ଡମ ରୁ ସ୍ପଷ୍ଟ ଜଣାପଡ଼େ। ଏହି ବୈଠକରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମନ୍ତ୍ରୀ, ଅଧିକାରୀମାନେ ଯୋଗ ଦେଇ ନୀଳାଚଳର ଅଂଶଧନ ବିକ୍ରିପାଇଁ ପ୍ରସ୍ତାବ ଅନୁମୋଦନ କରିଛନ୍ତି। ଏହି କାରଖାନାର ମୂଲ୍ୟବାନ ଖଣି, ଜଳ ଯୋଗାଣ, ମୂଲ୍ୟବାନ ଜମି ଓ ଉତମ ଯୋଗାଯୋଗ ବ୍ୟବସ୍ଥା ପ୍ରସ୍ତୁତ ହୋଇସାରିଛି। ଏହାକୁ ବିକ୍ରି କରି ଦେବା ନିମନ୍ତେ ଏହାହିଁ ପ୍ରକୃତ ସମୟ। ଏହାକୁ ମିଳିଥିବା ଖଣି କାର୍ଯ୍ୟ ଗତ ଫେବୃୟାରୀ ଓ ମାର୍ଚ୍ଚ ମାସରେ ଆରମ୍ଭ ହୋଇଥିଲା। ଏହି କାରଖାନାର ସବୁଠାରୁ ବଡ଼ ସଂପଦ ହେଉଛି ୮୭୪.୨୯ ହେକ୍ଟର ପରିମିତ ଖଣି ଯେଉଁଥିରେ ୧୧୦ ମିଲିଅନ ଟନ୍‍ ଲୁହାପଥର ଗଚ୍ଛିତ ଅଛି ଏବଂ ଏହି ପଥରରେ ଲୌହ ଅଂଶ ୬୫% ରୁ ଅଧିକ। ଏହି ଖଣି ଲିଜ୍‍ର ଅବଧି ୫୦ ବର୍ଷ ଥିଲେ ମଧ୍ୟ ଅଳ୍ପ କିଛି ଦିନ ତଳେ ଏହାକୁ ଫରେଷ୍ଟ କ୍ଲିୟରାନ୍ସ ମିଳିଛି। ଏହି ଖଣିରୁ ୧୦.୮.୨୦୧୯ ରେ ପ୍ରଥମ ଉତୋଳନ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହାହିଁ ଘରୋଇ କମ୍ପାନୀମାନଙ୍କ ପାଇଁ ସର୍ବୋତମ ଲୋଭନୀୟ ଆକର୍ଷଣ ସାଜିଛି। ରାଜ୍ୟକୁ ଉପଯୁକ୍ତ ମୂଲ୍ୟ ମିଳୁ ବା ନମିଳୁ, ବିଜେଡ଼ି ଓ ବିଜେପି ନେତାଙ୍କୁ ବେଶ୍‍ ଭଲ କମିଶନି ନିଶ୍ଚୟ ମିଳିବ ବୋଲି ଶ୍ରୀ କାନୁନଗୋ ଅଭିଯୋଗ କରିଛନ୍ତି ।  ଅନ୍ୟପକ୍ଷରେ ନୀଳାଚଳ ଇସ୍ପାତ ନିଗମରେ ବର୍ତମାନ କାର୍ଯ୍ୟକରୁଥିବା ୫ହଜାରରୁ ଉର୍ଦ୍ଧ କର୍ମଚାରୀଙ୍କ ଛଟେଇ ହେବାର ଆଶଙ୍କା ଦେଖାଦେଇଛି। ଜାଣିସୁଣି ସରକାର ନୀଳାଚଳ ଇସ୍ପାତ ନିଗମର ଉତ୍ପାଦନକୁ ବିଗତ କିଛି ମାସ ହେଲାଣି ବନ୍ଦକରି ଦେଇଛନ୍ତି। ସେଠାରେ କାର୍ଯ୍ୟକରୁଥିବା ହଜାର ହଜାର କର୍ମଚାରୀ ମାସ ମାସ ଧରି ଦରମା ନପାଇ କରୋନା ମହାବିପତି ସମୟରେ ହନ୍ତସନ୍ତ ହେଉଛନ୍ତି।  ଏହି କାରଖାନା ଚଳାଇଲେ ନିଜର ଖଣି  ଏବଂ ଉନ୍ନତ ମାନର ଇନ୍‍ଫ୍ରାଷ୍ଟକ୍‍ଚର ହେତୁ ଅତ୍ୟନ୍ତ ଲାଭ ମିଳିବ। ରାଜ୍ୟ ସରକାର ଓ.ଏମ୍‍.ସି. ଜରିଆରେ ଏମ୍‍.ଏମ୍‍.ଟି.ସି ର ଅଂଶଧନ ୪୯.୭୮ % କାହିଁକି କିଣୁ ନାହାନ୍ତି। ରାଜ୍ୟର କେଉଁ ବୃହତର ସ୍ୱାର୍ଥପାଇଁ ରାଜ୍ୟ ସରକାର କେନ୍ଦ୍ର ସହିତ ନୀଳାଚଳ ଇସ୍ପାତର ବିକ୍ରି ପାଇଁ ରାଜି ହେଲେ ସେ କଥା ରାଜ୍ୟବାସୀଙ୍କ ଆଗରେ ସ୍ପଷ୍ଟ କରିବାକୁ ଶ୍ରୀ କାନୁନ୍‍ଗୋ ଆହ୍ୱାନ ଦେଇଛନ୍ତି ।  ରାଜ୍ୟର ମୁଖ୍ୟ ଶାସନ ସଚୀବ କେନ୍ଦ୍ରର ସମସ୍ତ କାର୍ଯ୍ୟାନୁଷ୍ଠାନକୁ ରାଜ୍ୟ ସରକାର ସମର୍ଥନ କରନ୍ତି ବୋଲି ଉକ୍ତ ଉଚ୍ଚସ୍ତରୀୟ ବୈଠକରେ କହଥିଲେ ଯାହାକି ସଂପୂର୍ଣ୍ଣ ଭାବରେ ରାଜ୍ୟର ସ୍ୱାର୍ଥ ବିରୋଧି।

ନୀଳାଚଳ ଇସ୍ପାତ ନିଗମରେ-ଏମଏମଟିସିର  ୪୯.୭୮ %, ଓଏମସିର ୨୦.୪୭%, ଇପିକଲର ୧୨%, ଏନଏମଡ଼ିସିର୧୦%, ଭେଲ, ମେକନ ଓ ଅନ୍ୟମାନଙ୍କର ୭.୬୫% ର ଅଂଶଧନ ରହିଅଛି। ୧୯୮୨ ମସିହାରେ କଂଗ୍ରେସ ସରକାର ସମୟରେ କାରଖାନା ଆରମ୍ଭ ହୋଇଥିଲା ଏବଂ ୧୯୯୫ ମସିହାରୁ ପୁର୍ଣ୍ଣ କାର୍ଯ୍ୟକ୍ଷମ ହୋଇ ଉତ୍ପାଦନ ଆରମ୍ଭ ହୋଇଥିଲା।  ନୀଳାଚଳ ଇସ୍ପାତ ନିଗମକୁ  ଓଡ଼ିଶାରେ କାର୍ଯ୍ୟକରୁଥିବା ଏକ ରାଷ୍ଟ୍ରାୟତ ଉଦ୍ୟୋଗ ନିଜ ହାତକୁ ନେବା ଉଚିତ୍‍ ହୋଇଥାନ୍ତା। କିନ୍ତୁ ଅତ୍ୟନ୍ତ ପରିତାପର ବିଷୟ ଏହିକିଯେ ଏ ବିଷୟରେ କେନ୍ଦ୍ର ସରକାର ସଂପୂର୍ଣ୍ଣରୂପେ ନୀରବ ରହିଛନ୍ତି। ଏହାର ଉତରଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଦେବା ଉଚିତ ବୋଲି ଶ୍ରୀ କାନୁନଗୋ ଦାବି କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ  ଜ୍ଞାନଦେବ ବେଉରା ଓ ମୁଖପାତ୍ର ପ୍ରଶାନ୍ତ ଶତପଥି ଉପସ୍ଥିତ ଥିଲେ ।

Comments are closed.