କଂଗ୍ରେସ ନିଶାଣରେ ଅନୁଭବ: ସାଂସଦଙ୍କ ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର ଜାଲ

ଭୁବନେଶ୍ୱର: ପତ୍ନୀଙ୍କ ସହ ପାରିବାରିକ ବିବାଦକୁ ନେଇ ଅଡ଼ୁଆରେ ପଡ଼ିଥିବା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ବିରୋଧରେ କଂଗ୍ରେସ ଆଣିଛି ସାଂଘାତିକ ଅଭିଯୋଗ । ବିିଭିନ୍ନ ସମୟରେ ବିବାଦରେ ରହୁଥିବା ସାଂସଦ ଅନୁଭବ ମହାନ୍ତିଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ପ୍ରଶ୍ନ । କଂଗ୍ରେସ ନେତା ତଥା ମୁଖପାତ୍ର ନିଶିକାନ୍ତ ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀରେ ସାଂସଦ ନିଜ ଶିକ୍ଷାଗତ ଯୋଗ୍ୟତା ସଂକ୍ରାନ୍ତ ତଥ୍ୟ ଗୋପନ ରଖିଛନ୍ତି ଓ ଏହା ସଂସଦର ଗାରିମା ନଷ୍ଟ କରିଛି । ତେଣୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଶ୍ରୀ ମିଶ୍ର କହିଛନ୍ତି ।  ତାଙ୍କ ଶିକ୍ଷାଗତ ଯୋଗ୍ୟତା ସଂପର୍କରେ ସୂଚନା
ଅଧିକାର ଆଇନ୍‍ ବଳରେ ମିଳିଥିବା ତଥ୍ୟ ସାମ୍‍ନାକୁ ଆସିବା ପରେ ଓଡ଼ିଶାବାସୀ ଆଶ୍ଚର୍ଯ୍ୟ ହେବେ ବୋଲି ନିଶିକାନ୍ତ କହିଛନ୍ତି।

ନିଶିକାନ୍ତ କହିଛନ୍ତି ଯେ ସାଂସଦ ଭାବରେ ନାମାଙ୍କନ ପତ୍ର ଦାଖଲ ସମୟରେ କନ୍ଦରପୁର କଲେଜର ଯୁକ୍ତ ୩ ଛାତ୍ର ବୋଲି କୁହାଯାଇଥିଲା ।   କିନ୍ତୁ  ସାଂସଦଙ୍କ ଶିକ୍ଷାଗତ ଯୋଗ୍ୟତା ସଂପର୍କରେ ନୂଆତଥ୍ୟ ସାମ୍‍ନାକୁ ଆସିଛି। ସୂଚନା ଅଧିକାର ଆଇନ୍‍ ବଳରେ ଖ୍ରୀଷ୍ଟ ମହାବିଦ୍ୟାଳୟ ଠାରୁ ମିଳିଥିବା ତଥ୍ୟ ଆଧାରରେ ୨୦୦୦ ମସିହାରେ ସାଂସଦ ଅନୁଭବ ମହାନ୍ତି +୨ ପରୀକ୍ଷା ଦେଇ ଫେଲ ହୋଇଛନ୍ତି ।

ତେଣୁ ସାଂସଦ ଅନୁଭବ ରାଜନୀତି ପ୍ରଭାବରେ ମିଛକୁ ସତ ଓ ସତକୁ ମିଛ ବୋଲି ପ୍ରମାଣ କରି ଚାଲିଛନ୍ତି । ଭୁଲ ତଥ୍ୟ ଦେଇ ସଂସଦର ଗାରିମା ନଷ୍ଟ କରିଛନ୍ତି । ଏତିକି ସାଧାରଣ ଅଭିଯୋଗ ଯଦି ଅନ୍ୟ କୌଣସି ସରକାରୀ କର୍ମଚାରୀଙ୍କ ବିରୋଧରେ ଆସିଥାଆନ୍ତା, ତେବେ ତାଙ୍କ ବିରୋଧରେ କେବେଠାରୁ କଠୋର ପଦକ୍ଷେପ ସରକାର ଗ୍ରହଣ କରି ସାରନ୍ତେଣି । ମାତ୍ର ଅନୁଭବଙ୍କୁ ସରକାର ଘଣ୍ଟ ଘୋଡ଼ାଇ ରଖୁଛନ୍ତି ।   ବିଜୁ ଜନତା ଦଳ ‘ମା’କୁ ସମ୍ମାନ’ ନାଁରେ କୁମ୍ଭୀର କାନ୍ଦଣା କାନ୍ଦୁଥିବା ସ୍ଥଳେ ଖୋଦ୍‍ ସେହି ଦଳର ସାଂସଦ ବିଗତ ଦିନରେ ବାରମ୍ବାର ତାଙ୍କ ଔଦ୍ଧତ୍ୟର ପ୍ରମାଣ ଦେଇଥିବା ବେଳେ ଏବେ ତାଙ୍କ ପତ୍ନୀଙ୍କ ପାଖରେ ଏହି ଔଦ୍ଧତ୍ୟର ପ୍ରତିପାଦିତ କରିଛନ୍ତି ବୋଲି କଂଗ୍ରେସ କହିଛି। ଏଣୁ ସ୍ୱଚ୍ଛ ଶାସନର ଡିଣ୍ଡିମ ପିଟୁଥିବା ବିଜେଡି ସରକାର ଯଦି ସ୍ୱଚ୍ଛତାକୁ ସାଧାରଣ ସମ୍ମାନ ଥାଏ, ତେବେ ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଶ୍ରୀମିଶ୍ର ଆହ୍ବାନ ଦେଇଛନ୍ତି ।  ଏହି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ଜ୍ଞାନଦେବ ବେଉରା,
ଜିନେଶ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.