କଂଗ୍ରେସ ମୁଖପାତ୍ର ରାଜୀବ ତ୍ୟାଗୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ : କଂଗ୍ରେସର ସର୍ବଭାରତୀୟ ମୁଖପାତ୍ର ରାଜୀବ ତ୍ୟାଗୀଙ୍କର ହୃଦ୍ଘାତରେ ମୃତ୍ୟୁ ଘଟିଛି। ବୁଧବାର ଅପରାହ୍ଣ ୫ଟାରେ ଟେଲିଭିଜନ ଚାନେଲ ‘ଆଜ୍ ତକ୍’ରେ ଆୟୋଜିତ ବିତର୍କରେ ଅଂଶଗ୍ରହଣ କରି ବୈଶାଳୀସ୍ଥିତ ନିଜ ବାସଭବନକୁ ଫେରିବା ପରେ ସେ ହଠାତ୍ ଚେତା ହରାଇ ପଡ଼ିଯାଇଥିଲେ। ତୁରନ୍ତ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ ସେଠାରେ ପହଞ୍ଚିବାବେଳକୁ ପ୍ରାଣବାୟୁ ଉଡ଼ି ଯାଇଥିଲା। ନିକଟରେ ସେ ୫୪ତମ ଜନ୍ମଦିବସ ପାଳନ କରିଥିଲେ। ତ୍ୟାଗୀଙ୍କ ବିୟୋଗରେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଭଦ୍ରାଙ୍କ ସହ କଂଗ୍ରେସ ମହଲରେ ଶୋକପ୍ରକାଶ ପାଇଛି।