‘ଗାନ୍ଧୀ ପରିବାରକୁ ସୁରକ୍ଷା ପାଇଁ କଂଗ୍ରେସର ବିକ୍ଷୋଭ’

ନୂଆଦିଲ୍ଲୀ : କଂଗ୍ରେସର ଆଜିର ବିକ୍ଷୋଭ ଗାନ୍ଧୀ ପରିବାରକୁ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ତଦନ୍ତରୁ ସୁରକ୍ଷା ଦେବା ଲାଗି ଉଦ୍ଧିଷ୍ଟ ବୋଲି ବିଜେପିର ବରିଷ୍ଠ ନେତା ରବିଶଙ୍କର ପ୍ରସାଦ କହିଛନ୍ତି । ସେ କହିଛନ୍ତି ଯେ ସମୟର ପରିବର୍ତ୍ତନ ହେଉଥିବାବେଳେ ଗଣତନ୍ତ୍ରର ପରିଭାଷା ପରିବର୍ତ୍ତନ ହେଉଛି । ଗାନ୍ଧୀ ପରିବାର ସଦସ୍ୟ ଭାବେ ରାହୁଲ ଗାନ୍ଧୀଙ୍କର ଅହଂକାର ଏବେ ମଧ୍ୟ ତୁଟି ନାହିଁ। କଂଗ୍ରେସ ଶାସନ ସମୟରେ ଦେଶର ଗଣତନ୍ତ୍ର ଦୁର୍ନୀତିରେ ବୁଡି ରହିଥିଲା। ରାହୁଲଙ୍କୁ ଯଦି ଜାମିନ ନ ମିଳିଲା ତେବେ ନ୍ୟାୟପାଳିକାକୁ ଦୁର୍ନୀତିଗ୍ରସ୍ତ ବୋଲି କୁହାଯାଉଛି। ରାହୁଲ ଯଦି ନିର୍ବାଚନରେ ହାରିଲେ ତେବେ ନିର୍ବାଚନ ଆୟୋଗକୁ ଦୁର୍ନୀତିଗ୍ରସ୍ତ କୁହାଯାଉଛି। ରାହୁଲଙ୍କ ଇଚ୍ଛାରେ ଯଦି ସବୁ ବ୍ୟବସ୍ଥା କାମ କଲା ତେବେ ସବୁକିଛି ଠିକ୍ ବୋଲି କୁହାଯିବ। ଦରଦାମ ବୃଦ୍ଧି ପ୍ରତିବାଦରେ କଂଗ୍ରେସ ଆଜି ପାଳିଥିବା କଳା ଦିବସକୁ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମଧ୍ୟ ସମାଲୋଚନା କରିଛନ୍ତି। ଶାହା କହିଛନ୍ତି ଯେ ୨୦୨୧ ଅଗଷ୍ଟ ୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଯୋଧ୍ୟା ରାମ ମନ୍ଦିର ନିର୍ମାଣର ଶିଳାନ୍ୟାସ କରିଥିଲେ। ତେଣୁ ରାମ ମନ୍ଦିର ନିର୍ମାଣକୁ ବିରୋଧ କରିବା ଲାଗି କଂଗ୍ରେସ ଆଜିର ଦିନରେ ଉଦ୍ଦେଶ୍ୟମୂଳକ ଭାବେ ଏହି ବିକ୍ଷୋଭ ପ୍ରଦର୍ଶନ କରିଛି। ସେହିପରି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ କଂଗ୍ରେସର ଆଜିର ବିକ୍ଷୋଭ ରାମ ଭକ୍ତଙ୍କ ପ୍ରତି ଏକ ଅପମାନ।

Comments are closed.