ଦିବ୍ୟାଙ୍ଗ ଯୁବତୀଙ୍କୁ ଯୌନ ନିର୍ଯ୍ୟାତନା: ମନ୍ତ୍ରୀ ଅଶୋକ ପଣ୍ଡା ଓ ଭିନ୍ନକ୍ଷମ ଆୟୋଗ ଅଧ୍ୟକ୍ଷା ସୁଲୋଚନା ଦାସଙ୍କ ବହିସ୍କାର ଦାବି କଲା କଂଗ୍ରେସ

ଭୁବନେଶ୍ୱର: ନିଖିଳ ଉତ୍କଳ ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘର ଦିବ୍ୟାଙ୍ଗ ଯୁବତୀଙ୍କୁ ଯୌନ ନିର୍ଯ୍ୟାତନା ପ୍ରସଙ୍ଗରେ ସରକାରଙ୍କୁ ଘେରିଛି କଂଗ୍ରେସ । ଦଳପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ବିଭାଗୀୟ ମନ୍ତ୍ରୀ ଅଶୋକ ପଣ୍ଡା ଓ ଭିନ୍ନକ୍ଷମ ଆୟୋଗ ଅଧ୍ୟକ୍ଷା ସୁଲୋଚନା ଦାସଙ୍କ ବହିଷ୍କାର ଦାବି କରାଯାଇଛି ।

ଦଳ ପକ୍ଷରୁ କୁହାଯାଇଛି ଯେ ନଭେମ୍ବର ୨୩ ତାରିଖରେ ଏୟାରପୋର୍ଟ ଥାନାରେ କେସ ନଂ -୨୪୮/୨୦ ରୁଜୁ ହୋଇଥିଲେ ଏ ସଂକ୍ରାନ୍ତରେ ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ଅଭିଯୁକ୍ତ  ସୁରେଶ ବେହେରା ବଡ଼ ରାଜନେତା, ମନ୍ତ୍ରୀ, ସରକାରୀ ବାବୁ ମାନଙ୍କ ଛତ୍ରଛାୟା ତଳେ ରହି  ଅନୁଷ୍ଠାନ ମଧ୍ୟରେ ଅସଦାଚରଣ, ଦୁଷ୍କର୍ମ ଉଦ୍ୟମ ଓ ଯୌନ ନିର୍ଯ୍ୟାତନା କରି ଆସୁଥିଲା ଏହାର ପର୍ଦାଫାସ କରିବାକୁ ପ୍ରଦେଶ ମହିଳା କଂଗ୍ରେସ ପ୍ରତିନିଧି ମଣ୍ଡଳୀ ଘଟଣାସ୍ଥଳକୁ ଗସ୍ତକରି ସବିଶେଷ ତଥ୍ୟ ସଂଗ୍ରହ କରିଛନ୍ତି। ଗୌରହରି ନାୟକ, ନାରାୟଣ ସାହୁ, ରଞ୍ଜନ ସାହୁଙ୍କ ସହଯୋଗରେ ଦୀର୍ଘଦିନ ଧରି ଏପରି ହୀନ ଉଦ୍ୟମ ଓ କାର୍ଯ୍ୟ କରିଆସିଥିବା ସୁରେଶ ବେହେରାଙ୍କୁ ପୋଲିସ୍‍ ଖୋଜି ନପାଇବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ରାଜ୍ୟ ଭିନ୍ନକ୍ଷମ ଓ ସଶକ୍ତୀକରଣ ଆୟୋଗ ଅଧ୍ୟକ୍ଷା  ସୁଲୋଚନା ଦାସ ଘଟଣାସ୍ଥଳକୁ ଗସ୍ତକରି ଅନ୍ତେବାସୀଙ୍କ ଠାରୁ କୌଣସି ତଥ୍ୟ, ଘଟଣା ନଶୁଣିବା, ସ୍ମାରକପତ୍ର ଗ୍ରହଣ ନକରିବା ଏପରି ଏକ ସ୍ପର୍ଶକାତର ଓ ସମ୍ବେଦନଶୀଳ ଘଟଣାରେ ତାଙ୍କର ସଂପୃକ୍ତି ଥିବାର ଯଥେଷ୍ଟ ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ।

ସେହିପରି ଦଳ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ ୨୦୨୦ ମସିହା ଅଗଷ୍ଟ ୧୫ ରିଖ ପବିତ୍ର ସ୍ୱାଧୀନତା ଦିବସରେ ଶ୍ରୀମତୀ ଦାସ କୋଭିଡ-୧୯ର ସରକାରୀ କଟକଣାକୁ ବେଖାତିର କରି ସୁରେଶ ବେହେରାର ନିମନ୍ତ୍ରଣରେ ଉକ୍ତ ଅନୁଷ୍ଠାନରେ ପତାକା ଉତୋଳନ କରିବା ଓ କାର୍ଯ୍ୟକ୍ରମରେ ଯୋଗଦେବା ସହ ସୁରେଶ ବେହେରା ସହିତ ଫଟୋ ଉଠାଇବା ଯେ ଶ୍ରୀମତୀ ଦାସଙ୍କର ସୁରେଶ ସହ ଦୀର୍ଘଦିନର ଦୃଢ଼ ଘନିଷ୍ଠ ସମ୍ପର୍କ ରହିଥିବାର ସ୍ପଷ୍ଟ ପ୍ରମାଣିତ କରୁଛି। ସୁରେଶ ବେହେରାର ଚାରିତ୍ରିକ ତଥ୍ୟ ଓ ଚାକିରି କାଳର ସ୍ୱଚ୍ଛତାକୁ ସଠିକ୍‍ ରୂପେ ପରୀକ୍ଷା ନକରି ଆୟୋଗର ଅଧ୍ୟକ୍ଷା ଶ୍ରୀମତୀ ଦାସ ଓ ଭିନ୍ନକ୍ଷମ ମନ୍ତ୍ରୀ ଶ୍ରୀଯୁକ୍ତ ଅଶୋକ ପଣ୍ଡା, ଉକ୍ତ ଅନୁଷ୍ଠାନର ସଭାପତି ବିଧାୟକ ଅନନ୍ତ ନାରାୟଣ ଜେନା, ଉଚ୍ଚପଦସ୍ଥ ଅଧିକାରୀ ମାନଙ୍କ ସୁପାରିଶ ଅନୁସାରେ ଶ୍ରୀ ବେହେରାଙ୍କୁ ରାଜ୍ୟସ୍ତରୀୟ ଭିନ୍ନକ୍ଷମ ଦିବସରେ ପୁରସ୍କୃତ କରିବା ଘଟଣା ଅତ୍ୟନ୍ତ ନିନ୍ଦନୀୟ ବୋଲି କଂଗ୍ରେସ କମିଟିର ପ୍ରାକ୍ତନ ମୁଖପାତ୍ର ତଥା ବରିଷ୍ଠ କଂଗ୍ରେସ ନେତା  ପଦ୍ମାକର ଗୁରୁ କହିଛନ୍ତି ।

କଂଗ୍ରେସ ନେତ୍ରୀ ରଶ୍ମୀ ମହାପାତ୍ର କହିଛନ୍ତି ଯେ ଉଭୟ ମନ୍ତ୍ରୀ ଓ ଆୟୋଗ ଅଧ୍ୟକ୍ଷା ସଂପୂର୍ଣ୍ଣ ମିଛ କହୁଛନ୍ତି ଓ ସେମାନେ ଯେପର୍ଯ୍ୟନ୍ତ ପଦବୀରେ ଥିବେ ଘଟଣାର ସତ୍ୟାସତ୍ୟର ପର୍ଦାଫାସ ହୋଇପାରିବ ନାହିଁ । ଉକ୍ତ ଘଟଣାରେ ବହୁ ଆଗରୁ ଅନୁଷ୍ଠାନରେ କାର୍ଯ୍ୟରତା ସୁବାସିନୀ ଦେବୀ, ସୁଜାତା ଦେବୀ, ମନୋରମା ଦେବୀ, ପୂର୍ଣ୍ଣ ବାବୁ ଓ ସଂଯୁକ୍ତା ଦେବୀ ପ୍ରମୁଖ ବିଭାଗୀୟ ସଚିବ, ଆୟୋଗ ଅଧ୍ୟକ୍ଷାଙ୍କୁ ସୁରେଶ ବେହେରାଙ୍କ ବିଷୟରେ ଅଭିଯୋଗ କରିଥିଲେ ବି ସେମାନଙ୍କର କଥାକୁ କେହିବି କର୍ଣ୍ଣପାତ କରି ନାହାନ୍ତି ।  ୨୪ ଘଂଟା ମଧ୍ୟରେ ମୁଖ୍ୟମନ୍ତ୍ରୀ ମହାଶୟ ଘଟଣାକୁ ଗୁରୁତ୍ୱର ସହ ଗ୍ରହଣ କରି କଠୋର ପଦକ୍ଷେପ ଗ୍ରହଣ ପୂର୍ବକ ମନ୍ତ୍ରୀ ଶ୍ରୀ ପଣ୍ଡା, ଆୟୋଗ ଅଧ୍ୟକ୍ଷା ଶ୍ରୀମତୀ ଦାସ, ବିଧାୟକ ଶ୍ରୀ ଜେନା ଓ ଉପସଚିବ ଅମ୍ବିକା ପଟ୍ଟନାୟକଙ୍କୁ ବହିଷ୍କାର କରା ନ ଗଲେ ଆନ୍ଦୋଳନ ତୀବ୍ର ହେବ ବୋଲି ଶ୍ରୀ ଗୁରୁ କହିଛନ୍ତି । ଏହି ତଥ୍ୟ ଅନୁସନ୍ଧାନ କମିଟିରେ   ରଶ୍ମି ମହାପାତ୍ର, ସ୍ୱାଧୀନବାଳା ଦାସ, ପଦ୍ମାକର ଗୁରୁ, ସ୍ୱାଗତିକା ପଟ୍ଟନାୟକ, ନିରୁପମା ପାତ୍ର, ଚୈତାଳି ପଟ୍ଟନାୟକ, କୁସୁମ ପ୍ରଧାନ, ସୁଭଦ୍ରା ମିଶ୍ର, ଦୀପକ ମହାପାତ୍ର ପ୍ରମୁଖ ଥିବା ବେଳେ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ରଶ୍ମି ମହାପାତ୍ର, ପଦ୍ମାକର ଗୁରୁ, ନିରୁପମା ପାତ୍ର, ସୁବାଷିନୀ ବେହେରା ଓ ରବିନ୍ଦ୍ର କୁମାର ବେହେରା ଉପସ୍ଥିତ ଥିଲେ।

Comments are closed.