ଓଡିଶାରେ ପହଞ୍ଚିଲେ କଂଗ୍ରେସ ପ୍ରଭାରୀ ଏ ଚେଲ୍ଲା କୁମାର, ଶୋଭାଯାତ୍ରାକୁ ମିଳିଲାନି ଅନୁମତି

ଭୁବନେଶ୍ବର: କଂଗ୍ରେସର ଓଡିଶା ପ୍ରଭାରୀ ଏ ଚେଲ୍ଲା କୁମାର ଆଜି ଓଡ଼ିଶାରେ ପହଞ୍ଚିଛନ୍ତି। କିନ୍ତୁ ତାଙ୍କ ଶୋଭାଯାତ୍ରାକୁ କମିଶନରେଟ୍ ପୁଲିସ ପକ୍ଷରୁ ଅନୁମତି ମିଳିନାହିଁ। କେବଳ ୩ଟି ଗାଡି ନେଇ ଯାତ୍ରା କରିବାକୁ କମିଶନରେଟ ପୁୁଲିସ ଅନୁମତି ଦେଇଛି।
ଓଡିଶା କଂଗ୍ରେସ ପ୍ରଭାରୀ ଏ ଚେଲ୍ଲା କୁମାର ୬ ଦିନିଆ ଗସ୍ତରେ ଆସିଛନ୍ତି। ଆଜି ସେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛନ୍ତି। ଆଜି ରାତି ସେ ପୁରୀ ଶ୍ରୀକ୍ଷେତ୍ରରେ ରହିବେ। ଆସନ୍ତାକାଲି ରାଜ୍ୟ କଂଗ୍ରେସ ଭବନରେ ଓଡ଼ିଶା କଂଗ୍ରେସର ପ୍ରଭାରୀ ଏ ଚେଲ୍ଲା କୁମାରଙ୍କୁ ସମ୍ବର୍ଦ୍ଧନା ଦିଆଯିବ । ଓଡିଶା ପ୍ରଭାରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଏହା ହେଉଛି ତାଙ୍କର ପ୍ରଥମ ଓଡ଼ିଶା ଗସ୍ତ । ଓଡ଼ିଶାରେ ୬ଦିନ ରହଣି ମଧ୍ୟରେ ସେ ସବୁଦଳର ନେତାଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି ଏବଂ ଓଡ଼ିଶାରେ ଅନୁଷ୍ଠିତ ହେବାକୁ ଥିବା ଉପନିର୍ବାଚନର ୨ଟି ବିଧାନସଭା ମଣ୍ଡଳୀ ଗସ୍ତ କାର୍ଯ୍ୟକ୍ରମ ରହିଛି।
ଆଜି ଓଡ଼ିଶା କଂଗ୍ରେସ ପ୍ରଭାରୀ ଏ.ଚେଲ୍ଲା କୁମାର ୬ ଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ବରରେ ପହଞ୍ଚିଛନ୍ତି । ତେବେ ତାଙ୍କୁ ଶୋଭାଯାତ୍ରାରେ ପାଛୋଟି ନେବା ପ୍ରସ୍ତାବକୁ ଭୁବନେଶ୍ୱର କମିସନରେଟ ପୁଲିସ ଅନୁମତି ପ୍ରଦାନ କରିନାହିଁ। ସର୍ବାଧିକ ୩ଟି ଗାଡ଼ି ନେଇ ଯାତ୍ରା କରିବାକୁ ପୁଲିସ କମିସନରେଟ୍ ନିର୍ଦେଶ ଦେଇଛି।
ଓଡ଼ିଶା କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାରଙ୍କ ଶୋଭାଯାତ୍ରାକୁ ଅନୁମତି ନ ମିଳିବା ପ୍ରସଙ୍ଗରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ନିଜର ପ୍ରତିକ୍ରିୟା ଦେଇଛନ୍ତି। ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଦଳୀୟ କର୍ମୀ ତାଙ୍କୁ ଶୋଭାଯାତ୍ରାରେ ନେବା ଲାଗି ଆଗ୍ରହୀ ଅଛନ୍ତି । ସରକାର ଓ ପୁଲିସ ବିଭାଗ କରୋନା ଆଳ ଦେଖାଇ ଏସବୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟ ରାଲି, ସଭାସମିତି କେମିତି ହେଉଛି ବୋଲିଂ ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି। ପ୍ରଭାରୀ ଦାୟିତ୍ୱ ମିଳିବା ପରେ ଚେଲ୍ଲା କୁମାର ପ୍ରଥମ ଥର ଓଡ଼ିଶା ଗସ୍ତ କରିଥିବାରୁ କର୍ମୀଙ୍କ ମଧ୍ୟରେ ଉତ୍ସାହ ରହିଛି। କିନ୍ତୁ ପୁଲିସ ପକ୍ଷରୁ ମନା କରାଯାଇଥିବାରୁ ଆମେ ଏହାକୁ ମାନିବୁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

Comments are closed.