ବିଏମସି ୧୦ରୁ ୧୫ ଗୁଣା ସମ୍ପତ୍ତି କର ବୃଦ୍ଧିକୁ କଂଗ୍ରେସର ବିରୋଧ, ମହାନଗର ଅଞ୍ଚଳରେ ଆନ୍ଦୋଳନ ଧମକ

ଭୁବନେଶ୍ୱର: ରାଜଧାନୀର ଘର ମାଲିକମାନଙ୍କଠାରୁ ସମ୍ପତ୍ତି କର ୧୦ରୁ ୧୫ ଗୁଣ ବୃଦ୍ଧି ପ୍ରସ୍ତାବକୁ ବିରୋଧ କରିଛି କଂଗ୍ରେସ । ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁଗୋ, ବିଧାୟକ ସୁରେଶ ରାଉତ ରାୟ ଏକ ସାମ୍ବାଦିକ ସମ୍ମିଳନୀରେ ଏହାକୁ ବିରୋଧ କରିବା ସହ ତୁରନ୍ତ ପ୍ରତ୍ୟାହାର ପାଇଁ ଦାବି କରିଛନ୍ତି ।

କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ  ୨୦୦୩ ମସିହାରେ ଓଡ଼ିଶା ମ୍ୟୁନିସ୍‍ପାଲଟି କର୍ପୋରେସନ ଆକ୍ଟ ଅନୁମୋଦିତ ହୋଇଥିଲା। ଏହି ନିୟମ ଅନୁସାରେ ଭୁବନେଶ୍ୱର ମହାନଗର ନିଗମ ଅଂଚଳ ଅଧିବାସୀଙ୍କ ଠାରୁ ହୋଲଡିଂ ଟ୍ୟାକ୍ସ ଆଦାୟ କରାଯାଉଥିଲା। ସେତେବେଳେ ଭୁବନେଶ୍ୱର  ଅଧିବାସୀମାନଙ୍କ ଠାରୁ କେବଳ ଘର ବା କୋଠାବାଡ଼ିର ନିର୍ମାଣ ଦୈର୍ଘ୍ୟ-ପ୍ରସ୍ତ ହିସାବରେ ଆଦାୟ କରାଯାଉଥିଲା। କିନ୍ତୁ କରୋନା ମହାମାରୀ ସମୟରେ ଯେତେବେଳେ ରାଜ୍ୟରେ ପ୍ରତ୍ୟେକ ବ୍ୟକ୍ତି ନିଜର ଜୀବନକୁ ବଂଚାଇବା ପାଇଁ ଘରଭତିରେ ଲୁଚି ରହିଥିଲେ ଠିକ୍‍ ସେତିିକି ବେଳେ ଅତି ଚତୁରତାର ସହିତ ଭୁବନେଶ୍ୱର ମହାନିଗମର କମିଶନର ଏକ ଜନବିରୋଧୀ ନିୟମ କରିଛନ୍ତି ।  ଏହି ନିୟମ ଦ୍ୱାରା ଭୁବନେଶ୍ୱର ସହରାଂଚଳର ସମସ୍ତ ବସ୍ତି ବାସିନ୍ଦାଙ୍କ ଠାରୁ ଆରମ୍ଭ କରି ବଡ଼ ବଡ଼ ବ୍ୟବସାୟ ପ୍ରତିଷ୍ଠାନ ଗୁଡ଼ିକରୁ ୧୦ରୁ ୧୫ଗୁଣା ସଂପତି କର ଲାଗୁ କରିଦିଆଗଲା। ଏହି ନିୟମ ଓଡ଼ିଶା ମ୍ୟୁନିସପାଲ କର୍ପୋରେସନ ଆଇନ-୨୦୦୩ର ଧାରା୨- ୨୦୫, ଧାରା -୨୦୬, ଧାରା- ୨୧୦, ଧାରା, ୨୧୪ ଏବଂ ଧାରା- ୨୧୫ ଅନୁସାରେ ଗଠନ ହୋଇ ନାହିଁ।

ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ କହିଛନ୍ତି ଯେ  ମ୍ୟୁନିସ୍‍ପାଲ ଆଇନ ୨୦୦୩କୁ ଅଣଦେଖା କରି ଏକ ଜନବିରୋଧି ନିଷ୍ପତ୍ତି ନିଆଯାଇଛି।   ଦୀର୍ଘ ୧୦ମାସରୁ ଅଧିକ ହୋଇଗଲାଣି ରାଜ୍ୟର ପ୍ରତ୍ୟେକ ବ୍ୟକ୍ତି କରୋନା ମହାମାରୀ ଭୟରେ ଜୀବିକା ହରାଇ ସାରିଛନ୍ତି। ଯେତେବେଳେ ପ୍ରତ୍ୟେକ ବ୍ୟକ୍ତି ଜୀବନ ଓ ଜୀବିକା ସହିତ ଲଢ଼େଇ କରୁଛି ସେତେବେଳେ ଏଭଳି ଏକ ଜନବିରୋଧି ନିଷ୍ପତି ନିଆଯାଇଛି। ଏହି ନିୟମ ଅନୁସାରେ ଭୁବନେଶ୍ୱର ମହାନଗର ନିଗମର ପ୍ରତ୍ୟେକ ଅଧିବାସୀ ଯେଉଁମାନଙ୍କର ଘର ଏବଂ ଜମି ଅଛି ସେମାନଙ୍କରୁ ୧୦ରୁ ୧୫ଗୁଣା ଅଧିକ ହୋଲିଡିଂ ଟ୍ୟାକ୍ସ ଆଦାୟ କରାଯାଉଛି ଏବଂ ଆଦାୟ ପାଇଁ ନୋଟିସ ମଧ୍ୟ ଦିଆଯାଉଛି। ସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏ ପର୍ଯ୍ୟନ୍ତ ଭୁବନେଶ୍ୱର ମହାନଗର ନିଗମର ୧୧ କୋଟିରୁ ଅଧିକ ଟଙ୍କା ହୋଲଡିଂ ଟ୍ୟାକ୍ସ ବାକି ପଡ଼ିଥିବା ବେଳେ ତାକୁ ଆଦାୟ କରିବାରେ ନା ଗନ୍ଧ ଧରୁ ନଥିବା ଅଧିକାରୀମାନେ ୧୦ରୁ ୧୫ଗୁଣା ଅଧିକ ହୋଲଡିଂ ଟ୍ୟାକ୍ସ ଆଦାୟ କରିବାର ନିୟମ କରିଛନ୍ତି। ସବୁଠାରୁ ବଡ଼ କଥା ହେଲା ଏ ପର୍ଯ୍ୟନ୍ତ ଭୁବନେଶ୍ୱର ମହାନଗର ନିଗମ ଓଡ଼ିଶା ମ୍ୟୁନିସପାଲ ଆକ୍ଟ ୨୦୧୫ ଅନୁସାରେ  ବିଭିନ୍ନ ଅଂଚଳର ଜମିର ମୂଲ୍ୟାୟନ କରିବାପାଇଁ ଏକ କମିଟି ଗଠନ କରିବା କଥା। ଏହି କମିଟିରେ ଚେୟାରମ୍ୟାନ ଜଣେ ବିଚାର ବିଭାଗୀୟ ଅଧିକାରୀ ରହିବାର ନିୟମ ରହିଛି ଏବଂ ଅନ୍ୟ ୬ଜଣ ଏଥିରେ ମେମ୍ବର ରହିବା କଥା ମାତ୍ର ତାହା କରାଯାଇ ନାହିଁ । ତେଣୁ ବିଏମସି ଅଧୀନରେ ଜମିର ମୂଲ୍ୟାୟନ ନିମନ୍ତେ କେବେ କମିଟି ଗଠନ ହୋଇଥିଲା, କେଉଁମାନେ ଏହାର ସଦସ୍ୟ ଥିଲେ ଓ କିଏ ଏହାର ଅଧ୍ୟକ୍ଷ ଥିଲେ ତାହା ସରକାର ସ୍ପଷ୍ଟ କରିବା ଆବଶ୍ୟକ ବୋଲି ଶ୍ରୀ କାନୁନଗୋ କହିଛନ୍ତି ।

ସେହିପରି  ଏ କମିଟି କେଉଁ ତାରିଖରେ ଗଠନ କରାଯାଇଥିଲା ଏବଂ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ଏହାର ବିଜ୍ଞାପନ କେବେ ଦିଆଯାଇଥିଲା। ଧାରା-୨୦୬ ଅନୁସାରେ ମହାନଗର ନିଗମ ଅଧିବାସୀ ମାନଙ୍କ ଠାରୁ କୌଣସି ଅଭିଯୋଗ ମଗାଯାଇଛିକି ଏବଂ କେଉଁ କେଉଁମାନେ ଅଭିଯୋଗ ଦାଖଲ କରିଛନ୍ତି; ଭୁବନେଶ୍ୱର ବିଭିନ୍ନ ଅଂଚଳରେ ଏବଂ ଏହି ଶୁଣାଣି ପାଇଁ କେଉମାସ କେଉ ତାରିଖ ଧାର୍ଯ୍ୟ କରାଯାଇଥିଲା ତାହା ପ୍ରକାଶିତ ହୋଇଥିଲା। ଯଦି ଏଭଳି ଅଭିଯୋଗ ଶୁଣାଣି ହୋଇ ନାହିଁ ବା କମିଟି ଗଠନ କରାଯାଇ ନାହିଁ ବା ଭୁବନେଶ୍ୱରରେ ଧାରା ୨୦୧୪ ଅନୁସାରେ ଭୁବନେଶ୍ୱର ବିଭିନ୍ନ ଅଂଚଳରେ ୟୁନିଟି ପ୍ରସ୍ତୁତ ହୋଇନାହିଁ। ତାହେଲେ କିଭଳି ଯୋରଯବରଦସ୍ତ ଏବଂ ଜୁଲମ କରି ଏଭଳି ସମ୍ପତି କର (ପ୍ରପଟି କର) ଆଦାୟ କରାଯାଉଛି ବୋଲି କଂଗ୍ରେସ ପ୍ରଶ୍ନ କରିଛି ।

ଭୁବନେଶ୍ୱର ଜିଲ୍ଳା କଂଗ୍ରେସ ସଭାପତି  ବିଶ୍ୱଜିତ୍‍ ଦାଶ କହିଛନ୍ତି ଏ ବର୍ଦ୍ଧିତ ପ୍ରପଟି ବା ହୋଲଡିଂ ଟ୍ୟାକ୍ସ ଆଇନକୁ ଶୀଘ୍ର ପ୍ରତ୍ୟାହାର କରନ୍ତୁ ଏବଂ ଯେଉଁମାନଙ୍କ ପାଖରୁ ଏହା ଆଦାୟ କରାଯାଇଛି ସେମାନଙ୍କୁ ତୁରନ୍ତ ଫେରସ୍ତ କରାଯାଉ ବା ଯଦି କିଛି ପୂର୍ବ ବକେୟା ଅଛି ସେଥିରେ ଆଜଷ୍ଟଟ କରାଯାଉ ଆସନ୍ତା ଫେବୃଆରୀ ୧୫ ତାରିଖରେ ଯଦି ଭୁବନେଶ୍ୱର ମହାନଗର ନିଗମ ଏହି ଜନବିରୋଧୀ ନିଷ୍ପତିକୁ ସ୍ଥଗିତ ନରଖନ୍ତି ସାରା ମହାନଗର ନିଗମ ଅଂଚଳରେ ଏକ ଜନଆନ୍ଦୋଳନ ସୃଷ୍ଟି ହେବ ଏବଂ ଭୁବନେଶ୍ୱରକୁ ବନ୍ଦ କରିବା ନିଷ୍ପତି ନିଆଯିବ। ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସର ବରିଷ୍ଠ ନେତା ଶିବାନନ୍ଦ ରାୟ, ପ୍ରଦେଶ କଂଗ୍ରେସ ମୁଖପାତ୍ର  ରଜନୀ ମହାନ୍ତି, ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ବ୍ଲକ ସଭାପତି ତଥା ବରିଷ୍ଠ ନେତା  ଅଶୋକ ଦାସ ଉପସ୍ଥିତ ଥିଲେ।

Comments are closed.