ଛାତ୍ର କଂଗ୍ରେସର ଅଭିଯୋଗ, ନବୀନ ସରକାରଙ୍କ ପାଖରେ ମଣିଷ ଜୀବନ ମୂଲ୍ୟହୀନ

ଭୁବନେଶ୍ୱର: ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟରେ ଚାଲିଥିବା ଗୁଟଖା କମ୍ପାନୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଭିତିରି ପ୍ରୋତ୍ସାହନ ରହିଛି ବୋଲି କହି କ୍ଷୋଭ ପ୍ରକାଶ କରିଛନ୍ତି। ଗୁଟଖା ବ୍ୟବସାୟକୁ ବନ୍ଦ କରିବାପାଇଁ ସମସ୍ତ ଆଇନ ଥିବାବେଳେ ନବୀନ ଶାସନର ବାହୁଛାୟା ତଳେ ଏହା ଅବାଧରେ ଚାଲିଛି। ସମ୍ବଲପୁର ଉପକଣ୍ଠସ୍ଥିତ ସମ୍ବଲପୁରରୁ ଝାରସୁଗୁଡ଼ା ଯାଇଥିବା ବିଜୁ ଏକ୍ସପ୍ରେସ ରାସ୍ତା କଡ଼ରେ ପରଧୁଆ ପାଲ୍ଲିରେ କେ.ପି. ସୁଗନ୍ଧ ଲିମିଟେଡ ନାମକ କମ୍ପାନୀ ସରକାରଙ୍କ ସମସ୍ତ ପ୍ରତିବନ୍ଧକ ଓ ନିୟମାବଳୀ ଉଲଙ୍ଘନ କରି “ମଧୁବନ” ସଫଳ ଗୁଟଖା ଓ ପାନମସଲା ଅବାଧରେ ତିଆରି କରୁଛି। ଏହାର ସୁରକ୍ଷା ଦାୟୀତ୍ବ ନେଇଛି ନବୀନ ସରକାରଙ୍କ ପ୍ରଶାସନ। ଦୁଇଜଣ ମନ୍ତ୍ରୀଙ୍କର ପ୍ରୋତ୍ସାହନରେ ଏହା ଚାଲିଛି ବୋଲି ଛାତ୍ର କଂଗ୍ରେସ ଅଭିଯୋଗ କରିଛନ୍ତି। ଏହି କମ୍ପାନୀର ମାଲିକଙ୍କ ସହ ଦୁଇଜଣ ମନ୍ତ୍ରୀଙ୍କର ଭିତିରି ସଂପର୍କ ରହିଛି। ଅଗ୍ନିସମ ବିଭାଗରୁ ଏହି କମ୍ପାନୀକୁ ଅନୁମତି ଦିଆଯାଇ ନାହିଁ। ମାତ୍ର ଏହା ଚାଲୁଛି କିପରି। ଏଥପାଇଁ ଗୃହବିଭାଗର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଦାୟୀ।

ଅନ୍ୟ ପକ୍ଷରେ ଏହି କମ୍ପାନୀର ଶ୍ରମିକ ଅତି ନିର୍ଯ୍ୟାତିତ ଅବସ୍ଥାରେ ଏବଂ ଅସ୍ଵାସ୍ଥ୍ୟକର ପରିବେଷରେ କାମ କରୁଛନ୍ତି। ହେଲେ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ ପାଖ ଜିଲ୍ଲାର ଜନପ୍ରତିନିଧି ହୋଇ ମଧ୍ୟ ଏହାକୁ ଘଂଟ ଘୋଡାଇଛନ୍ତି। ଏମାନଙ୍କୁ ଦାୟୀ କରିବାର କାରଣ ହେଲା ବାରମ୍ବାର ସ୍ଥାନୀୟ ଲୋକ ଏହି କମ୍ପାନୀ ବିରୋଧରେ ଏମାନଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି, ଏମାନଙ୍କର ବିଭାଗୀୟ କର୍ତ୍ତୃପକ୍ଷମାନଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି ମାତ୍ର, ସ୍ଥାନୀୟ ଲୋକଙ୍କ ଅଭିଯୋଗକୁ ଏମାନେ ଉପେକ୍ଷା କରିଛନ୍ତି। କାରଣ ଏହି କମ୍ପାନୀର ମାଲିକଙ୍କ ସହ ଏହି ଦୁଇଜଣ ବିଶିଷ୍ଟ ରାଜନେତାଙ୍କର ଭିତିରି ସଂପର୍କ ରହିଛି।

ସରକାରୀ ବ୍ୟାନ ସତ୍ତ୍ୱେ ଦୀର୍ଘ ୮ ବର୍ଷ ହେବ ଏହି ବ୍ୟବସାୟ ଖୁଲମଖୋଲା ଚାଲିଆସୁଥିବା ବେଳେ ପ୍ରଶାସନ କାହିଁକି ନୀରବ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ବୋଲି ଛାତ୍ର କଂଗ୍ରେସ କହିଛି। ନିକଟରେ ଏହି କମ୍ପାନୀରେ ହୋଇଥିବା ଅଗ୍ନିକାଣ୍ଡରେ ବହୁ ଶ୍ରମିକ ପୋଡ଼ିଯାଇଛନ୍ତି। ତିନିଜଣ ମଧ୍ୟ ମୃତ୍ୟୁବରଣ କରିଛନ୍ତି।

ସୂଚନାଯୋଗ୍ୟ ଯେ ରାଜ୍ୟ ସରକାରଙ୍କ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଚିଠି ସଂଖ୍ୟା ୩୬୭, ତା ୩.୧.୨୦୧୩ ଅନୁଯାୟୀ ରାଜ୍ୟରେ ୨୦୧୩ ମସିହାର ଗୁଟଖା ଉତ୍ପାଦନ ଓ ବିକ୍ରି ନିଷେଧ କରାଯାଇଛି। ଖାଦ୍ୟସୁରକ୍ଷା ଓ ସାଧାରଣ ଆଇନ ୨୦୧୧ ଅନୁଯାୟୀ ଗୁଟଖା ସ୍ଵାସ୍ଥ୍ୟ ପାଇଁ ହାନୀକାରକ ଦ୍ରବ୍ୟର ବ୍ୟବହାର ହୋଇଥିବାରୁ ଏହାକୁ ୨୦୧୩ ମସିହା ସଂଶୋଧନ ସଂଶୋଧନ ପରେ ନିଷିଦ୍ଧ କରାଯାଇଛି।

ପ୍ରଦେଶ ଛାତ୍ର କଂଗ୍ରେସ କମ୍ପାନୀର ମାଲିକଙ୍କୁ ଗିରଫ ଓ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ, ଦୁର୍ଘଟଣା ପାଇଁ ଶ୍ରମମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର କାର୍ଯ୍ୟାନୁଷ୍ଠାନ ଗ୍ରହଣ, ମୃତ ଶ୍ରମିକଙ୍କ ପରିବାରକୁ ୨୫ଲକ୍ଷ ଏବଂ ଆହତ ଶ୍ରମିକଙ୍କୁ ୫ଲକ୍ଷ ଟଙ୍କା ଲେଖାଏ କ୍ଷତିପୂରଣ ଓ କମ୍ପାନୀକୁ ତୁରନ୍ତ ବନ୍ଦ କରାଯିବାକୁ ଦାବି କରିଛି।

Comments are closed.