ପୋଷ୍ଟର ଫାଡି କଂଗ୍ରେସର ପେଟ୍ରୋଲ ଦର ବୃଦ୍ଧିର ପ୍ରତିବାଦ

ସମ୍ବଲପୁର : ଏବେ ଦେଶରେ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସର ଅହେତୁକ ମୂଲ୍ୟ ବୃଦ୍ଧିର ପ୍ରତିବାଦରେ ସମ୍ବଲପୁର ଯୁବ କଂଗ୍ରେସ ପକ୍ଷରୁ ବିଭିନ୍ନ ପେଟ୍ରୋଲ ପମ୍ପ ଗୁଡିକରେ ଲାଗିଥିବା ହୋଡିଂ ଚିରା ଯାଇ ପ୍ରତିବାଦ କରାଯାଇଛି। ଯୁବ କଂଗ୍ରେସ ରାଜ୍ୟ ସାଧାରଣ ସମ୍ପାଦକ ଆଶୁତୋଷ ସ୍ୱାଇଁ ଓ ଜିଲା ଯୁବ କଂଗ୍ରେସ ସଭାପତି ପ୍ଲାବନ ବହିଦାରଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କର୍ମୀ ମାନେ ସ୍ଥାନୀୟ ଲକ୍ଷ୍ମୀ ଟକିଜ ଛକ ସ୍ଥିତ କାର୍ଯ୍ୟାଳୟରୁ ଏକ ରାଲିରେ ବାହାରି ସହରର ୨ଟି ପେଟ୍ରୋଲ ପମ୍ପ ଗୁଡିକୁ ଯାଇ ତୈଳ ଓ ଗ୍ୟାସ ଦର ବୃଦ୍ଧି ବିରୋଧରେ ତୀବ୍ର ପ୍ରତିବାଦ କରି ନାରାବାଜି କରିଥିଲେ ଏବଂ ଲାଗିଥିବା ପ୍ରଧାନମନ୍ତ୍ରୀଙ୍କ ଫଟୋ ଥିବା ହୋଡିଂ ଗୁଡିକୁ ଚିରି ଫୋଫାଡି ଦେଇଥିଲେ। ଏହି ଅବସରରେ ସାଧାରଣ ସମ୍ପାଦକ ଆଶୁତୋଷ ସ୍ୱାଇଁ କହିଛନ୍ତି ଯେ ପେଟ୍ରୋଲିୟମ ପଦାର୍ଥର ଅହେତୁକ ମୂଲ୍ୟ ବୃଦ୍ଧି ଯୋଗୁଁ ଜନତା ନାହିଁ ନ ଥିବା ଆର୍ଥିକ କଷ୍ଟ ଭୋଗୁଛନ୍ତି। ବିଗତ ୬ ବର୍ଷ ମଧ୍ୟରେ ପେଟ୍ରୋଲିୟମ ପଦାର୍ଥର ଟିକସରୁ କେନ୍ଦ୍ର ସରକାର ୨୦ ଲକ୍ଷ କୋଟିରୁ ଉର୍ଦ୍ଧ ଟଙ୍କାର ଟିକସ ଆଦାୟ କରିସାରିଛନ୍ତି। ଲୋକଙ୍କ ସମସ୍ୟାକୁ ଉପେକ୍ଷା କରି ପ୍ରଚାର ପ୍ରସାର ପାଇଁ ପ୍ରତ୍ୟେକ ପେଟ୍ରୋଲ ପମ୍ପରେ ବଡ ବଡ ହୋଡିଂ ଲଗାଇ ନିଜର ଫଟୋ ସ୍ଥାନିତ କରିବା ଅତ୍ୟନ୍ତ ଲଜ୍ଜାଜନକ ଓ ନିନ୍ଦନୀୟ ଅଟେ ବୋଲି ସ୍ୱାଇଁ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ମୋହନ ସାହା, ଶେଖ ହାସିମ, ବିକାଶ ବେହେରା, ସଞ୍ଜୀବ ବେହେରା, ମୌସୁମ ପଟ୍ଟନାୟକ, ନିଲକଣ୍ଠ ମେସୁଆ, ହରି ମେହେର, ମୁକେଶ ଶର୍ମା, ରିତିକ ପ୍ରଧାନ ଙ୍କ ସମେତ ଅନ୍ୟ କର୍ମୀ ମାନେ ଅଂଶ ଗ୍ରହଣ କରିଥିଲେ। ସୂଚନାଯୋଗ୍ୟ ଯେ ଗତ ୨୬ ତାରିଖରେ ଯୁବ ଛାତ୍ର କଂଗ୍ରେସ ନେତା ଅର୍ଣ୍ଣବ ବାବୁଙ୍କ ନେତୃତ୍ୱରେ ପେଟ୍ରୋଲ ପମ୍ପ ଗୁଡିକରେ ଦର ବୃଦ୍ଧି ପ୍ରତିବାଦରେ ପ୍ରଧାନମନ୍ତ୍ରୀଙ୍କ ପୋଷ୍ଟର ଗୁଡିକରେ କଳା ବୋଳା ଯାଇଥିଲା।

Comments
Loading...