ଦିଲ୍ଲୀ ହିଂସା ପଛରେ ଯୋଗେନ୍ଦ୍ର ଯାଦବଙ୍କ ଷଡ଼ଯନ୍ତ୍ର: କଂଗ୍ରେସ ସାଂସଦ

ନୂଆଦିଲ୍ଲୀ: ମୋଦୀ ସରକାରଙ୍କ କୃଷି ଆଇନ ବିରୋଧରେ ସଡ଼କରୁ ସଂସଦ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିଛି। ଏଭଳି ପରିସ୍ଥିତିରେ ବୁଧବାର ଦିଲ୍ଲୀ ହିଂସାକୁ ନେଇ ପଞ୍ଜାବର ଲୁଧିଆନାରୁ କଂଗ୍ରେସ ସାଂସଦ ରୱନିତ ସିଂହ ବିଟ୍ଟୁ ମିଳିତ କୃଷକ ମଞ୍ଚର ନେତା ଯୋଗେନ୍ଦ୍ର ଯାଦବଙ୍କ ବିରୋଧରେ ବଡ଼ ଅଭିଯୋଗ ଆଣିଛନ୍ତି। ଗତ ଗଣତନ୍ତ୍ର ଦିବସରେ ଦିଲ୍ଲୀରେ ଟ୍ରାକ୍ଟର ରାଲି ସମୟରେ ଘଟିଥିବା ହିଂସାକାଣ୍ଡ ପଛରେ ଯୋଗେନ୍ଦ୍ର ଯାଦବଙ୍କ ଷଡ଼ଯନ୍ତ୍ର ରହିଥିବା ବିଟ୍ଟୁ ଅଭିଯୋଗ କରିଛନ୍ତି। ଯଦି ତାଙ୍କୁ ଧରାଯାଏ, ତେବେ କୃଷକ ଏବଂ ସରକାରଙ୍କ ମଧ୍ୟରେ ଆଜି ସମସ୍ୟାର ସମାଧାନ ହୋଇପାରିବ, କାରଣ ଆନ୍ଦୋଳନରେ ନିଆଁ ଲଗାଉଥିବା ଅସଲ ବ୍ୟକ୍ତି ଯୋଗେନ୍ଦ୍ର ବୋଲି ବିଟ୍ଟୁ କହିଛନ୍ତି।
କଂଗ୍ରେସ ସାଂସଦ ବିଟ୍ଟୁ ଦିଲ୍ଲୀ ହିଂସା ପାଇଁ ଯୋଗେନ୍ଦ୍ରଙ୍କୁ ଦାୟୀ କରିଛନ୍ତି। କେବଳ ଏତିକି ନୁହେଁ, ବିଟ୍ଟୁ ଆହୁରି କହିଛନ୍ତି ଯେ, କୃଷକ ଆନ୍ଦୋଳନରେ ଖଲିସ୍ତାନୀ ଅର୍ଥ ଖର୍ଚ୍ଚ ହେଉଛି। କୃଷକମାନେ ନିଜ ଆନ୍ଦୋଳନକୁ ନେଇ ବିକ୍ଷୋଭ କରୁଥିଲେ, କିନ୍ତୁ ଯୋଗେନ୍ଦ୍ର ଯାଦବ ନିଜ ଏଜେଣ୍ଡା କାର୍ଯ୍ୟକାରୀ କରୁଛନ୍ତି ବୋଲି ସେ କହିଛନ୍ତି।