ରାଜ୍ୟରେ ବର୍ଧିତ ଶିଶୁ ଅପରାଧ ବିରୋଧରେ କଂଗ୍ରେସର ମଶାଲ ଶୋଭାଯାତ୍ରା

ଭୁବନେଶ୍ୱର:  କ୍ରମ ବର୍ଦ୍ଧିଷ୍ଣୁ ଶିଶୁ ଅପରହଣ, ହତ୍ୟା ଓ ଦୁଷ୍କର୍ମକୁ ବିରୋଧ କରି ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ପକ୍ଷରୁ ସଭାପତି   ବିଶ୍ୱଜିତ୍‍ ଦାସଙ୍କ ନେତୃତ୍ୱରେ  ଏକ ମଶାଲ ଅନୁଷ୍ଠିତ ହୋଇଛି । ଏହି ଅବସରରେ ଶ୍ରୀ ଦାସ ରାଜ୍ୟରେ ଶିଶୁଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୋଧରେ ରାଜ୍ୟ ସରକାରଙ୍କ ଭୂମିକାକୁ କଟୁ ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ  ରାଜ୍ୟରେ ଦିନକୁ ପ୍ରାୟ ୧୧ ଜଣ ଶିଶୁ ନିଖୋଜ ହେଉଛନ୍ତି। ବର୍ଷକୁ ପ୍ରାୟ ୪୩୧୫ ଜଣ ଶିଶୁଙ୍କର ଅପହରଣ ଘଟଣା ସଂପ୍ରତି ଅଭିଭାବକ, ପରିବାରବର୍ଗ ଓ ସର୍ବୋପରି ସଭ୍ୟ ସମାଜରେ ଗଭୀର ଚିନ୍ତାର କାରଣ ହୋଇଛି। ପରୀ, ସ୍ୱାତୀ, ପିହୁ, ଆୟୁଷ ପରି କୁନିକୁନି ଶିଶୁକନ୍ୟା ଓ ଶିଶୁପୁତ୍ରଙ୍କୁ ଅପହରଣ ଓ ସ୍ଥଳବିଶେଷରେ ଦୁଷ୍କର୍ମ ଏବଂ ହତ୍ୟା ଘଟଣା ରାଜ୍ୟରେ ସାଧାରଣ ଜନତାଙ୍କ ମନରେ ଭୟ ସୃଷ୍ଟି କରିଛି। ଏ ରାଜ୍ୟକୁ ଦୀର୍ଘ ୨୧ ବର୍ଷ ଧରି ଶାସନ କରୁଥିବା ବିଜୁ ଜନତା ଦଳର ସରକାର ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଛନ୍ତି।

ସେହିପରି ଏହି ଘଟଣାରେ ସେ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ସମାଲୋଚନା କରିଛନ୍ତି ।  ମୁଖ୍ୟମନ୍ତ୍ରୀ ଗୃହ ବିଭାଗର ମଧ୍ୟ ମନ୍ତ୍ରୀ। ମାତ୍ର ତାଙ୍କର ନିଷ୍କ୍ରିୟତା ଓ ଅପାରଗତା ଫଳରେ ନିରୀହ, ନିଷ୍ପାପ ଶିଶୁମାନେ ଯୌନପିପାସୁ ଓ ଅପହରଣକାରୀଙ୍କର ଶିକାର ହୋଇଚାଲିଛନ୍ତି। ପୀଡ଼ିତ ବା ପୀଡ଼ିତା ଶିଶୁର ପରିବାରବର୍ଗଙ୍କ ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲେ ବି ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଉନାହିଁ। ପୋଲିସର ମନ୍ଥର ତଦନ୍ତ ଉପରେ ଜନସାଧାରଣଙ୍କର ବି ଭରଷା ପାଉନି। ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଏବଂ ଜିଲ୍ଲାପାଳମାନେ ଯେପରି ତତ୍ପରତା ଦେଖାଇବା କଥା ତାହା ପରିଲକ୍ଷିତ ହେଉନାହିଁ। ଆଇନ୍‍ଶୃଙ୍ଖଳା ପରିସ୍ଥିତି ସଂପୂର୍ଣ୍ଣ ରୂପେ ଭୁଷୁଡି ପଡିଛି।


୨୦୧୬ ସେପ୍ଟେମ୍ବର ଠାରୁ ଆଜିଯାଏଁ ରାଜ୍ୟରେ ପ୍ରାୟ ୭୦୦୦ ନାବାଳକ ଓ ନାବାଳିକା ନିଖୋଜ ହୋଇଛନ୍ତି ବୋଲି ସରକାରୀ ସୂତ୍ର କହୁଛି। ଏଥିରୁ ପ୍ରାୟ ୫୦୫୦ ଜଣ ହେଉଛନ୍ତି କେବଳ ନାବାଳିକା। ସେହିପରି ଘରୋଇ ହିଂସା, ମହିଳା ନିର୍ଯ୍ୟାତନାରେ ଓଡିଶା ଦେଶରେ ତୃତୀୟ ରାଜ୍ୟର ଅପବାଦ ବହନ କରୁଛି। ନାରୀ ନିର୍ଯ୍ୟାତନା, ନାବାଳିକାଙ୍କୁ ଅପହରଣ, ଯୌନ ନିର୍ଯ୍ୟାତନା, ଦୁଷ୍କର୍ମ, ଗଣଦୁଷ୍କର୍ମ ଓ ହତ୍ୟା ଏବଂ ଚୋରି, ଡକାୟତି, ଛିନ୍‍ତାଇ ଆଦି ଅପରାଧ ଘଟଣା ସଂଖ୍ୟା ପ୍ରତିବର୍ଷ ଉଦ୍‍ବେଗଜନକ ଭାବେ ବୃଦ୍ଧି ପାଉଥିଲେ ମଧ୍ୟ ଏଭଳି ସ୍ପର୍ଶକାତର ଓ ସମ୍ବେଦନଶୀଳ ଘଟଣାକୁ ନିୟନ୍ତ୍ରଣ କରିବାରେ ନବୀନବାବୁ ଓ ତାଙ୍କ ସରକାର ସଂପୂର୍ଣ୍ଣ ବିଫଳ ହୋଇଛନ୍ତି। ଆସନ୍ତା କାଲି ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ପକ୍ଷରୁ ମଧ୍ୟ ଏହି ପ୍ରସଙ୍ଗରେ ବିକ୍ଷୋଭ ପ୍ରଦର୍ଶନ କରାଯିବ। ଏହି କାର୍ଯ୍ୟକ୍ରମରେ ଯୋଗୀନାଥ ବାହୁବଳେନ୍ଦ୍ର, ସୁବ୍ରତ ମହାପାତ୍ର, ଲିଙ୍ଗରାଜ ସାହୁ, ଅଜୟ ସାହୁ, ଆଲୋକ ଲେଙ୍କା, ଜୟକୃଷ୍ଣ ସୁବୁଦ୍ଧି, ମୋହନ ଜେନା, ରଞ୍ଜନ ମହାଳିକ, ଆଶିଷ ମଲ୍ଲିକ, ଅକ୍ଷୟ ଦାସ, ସଂଜୟ ନାୟକ, ମନୋଜ ସାହୁ, ସାମସନ ଦାସ, ସାଗର ପଟ୍ଟନାୟକ, କାର୍ତିକେସ୍ୱର କାଣ୍ଡି, ନିହାର ରଞ୍ଜନ ପରିଜା, ବାପିନା କୁଣ୍ଡୁ ପ୍ରମୁଖ ଅଂଶଗ୍ରହଣ କରିଥିଲେ।

Comments are closed.